Unknown

 

 

 

 

 

 

 

 

 

 

ଶୁଭବାର୍ତ୍ତା

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

ସୁଧୀ ପାଠକ ବୃନ୍ଦ !

 

ମଧୁ ମକ୍ଷିକା ନାନା ପୁଷ୍ପରୁ ରସ ସଂଗ୍ରହ କରି ମଧୁ ଫେଣାରେ ସଂଚୟ କରିଥାଏ । ତାହା ଦରକାର ସମୟରେ ଅନ୍ୟର କାର୍ଯ୍ୟରେ ଲାଗେ । ମୁଁ ସେହିପରି ନାନ ଶାସ୍ତ୍ରରୁ ଏହା ସଂଗ୍ରହ କରିଛି, ତୁମମାନଙ୍କର କାର୍ଯ୍ୟରେ ଲାଗିବ ବୋଲି ।

 

ବାବା ବୈକୁଣ୍ଠନାଥ

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

 

ଆଧ୍ୟାତ୍ମ ଜୀବନ ଲାଭ ପାଇଁ ଉପାୟ ଓ ପ୍ରସ୍ତୁତି

 

ପ୍ରଖମେ ବିଶ୍ଵାସ

 

ଈଶ୍ଵରାନୁଭୂତି ପାଇଁ ଆତ୍ମବିଶ୍ଵାସ

୨.

ଦ୍ଵିତୀୟ ଅଧ୍ୟାୟ

 

ଭକ୍ତ ଭଗବାନଙ୍କ ସଂପର୍କ

 

ଭକ୍ତର ଲକ୍ଷଣ

 

ଧର୍ମଲାଭ ପାଇଁ ପ୍ରୟାସ

୩.

ତୃତୀୟ ଅଧ୍ୟାୟ

 

ସାଧନା ପଥରେ ଅନ୍ତରାୟ

 

ନିର୍ଭିକ ଭାବରେ ସାଧନା କଲେ ଧର୍ମ ଲାଭ ହେବ

 

ପ୍ରଥମେ ନିଜକୁ ବଞ୍ଚାଅ, ପରେ ଧର୍ମ ଲାଭ

 

ପୁରୁଷାକାର

୪.

ଚତୁର୍ଥ ଅଧ୍ୟାୟ

 

ସଂସ୍କାର

 

ଶୁଭ ସଂସ୍କାରର ପ୍ରଭାବ

 

ଅଭ୍ୟାସରୁ ସ୍ଵଭାବ ସୃଷ୍ଟି

 

ମାୟାର ପ୍ରଭାବ

୫.

ପଞ୍ଚମ ଅଧ୍ୟାୟ

 

ଗୁରୁ ଓ ଶିଷ୍ୟ

 

ପ୍ରକୃତ ଶିଷ୍ୟ

 

ପ୍ରକୃତ ଶିଷ୍ୟର ଭାର ଗୁରୁ ଗ୍ରହଣ କରନ୍ତି

 

ନିର୍ବିଚାରରେ ଶିଷ୍ୟ କରିଲେ ଗୁରୁଙ୍କୁ କଷ୍ଟ ଭୋଗିବାକୁ ହୁଏ

 

ସିଦ୍ଧିଲାଭର ଉପାୟ

 

ଗୁରୁବାକ୍ୟରେ ବିଶ୍ଵାସ କଲେ ଭଗବାନ ମିଳିବେ

 

ଯଥାର୍ଥ ଗୁରୁ ସେବା

 

ଗୁରୁକରଣ ଏବଂ ଗୁରୁଙ୍କର ଆବଶ୍ୟକତା

 

ସଦ୍ଗୁରୁଙ୍କ ସ୍ଵରୂପ

 

ଗୁରୁ କେଉଁ ମନ୍ତ୍ର ଦାନ କରନ୍ତି ?

 

ମନ୍ତ୍ର ଶକ୍ତିର ପ୍ରୟୋଗ ବିଧି

 

ଗୁରୁ ଦକ୍ଷିଣା ଓ ଶିଷ୍ୟଠାରେ ଶକ୍ତି ସଂଚରଣ

 

ଭକ୍ତିରେ ପୂଜା ପ୍ରକୃତ ପୂଜା

୬.

ଷଷ୍ଠ ଅଧ୍ୟାୟ

 

ଧାର୍ମିକ ଜୀବନରେ ନୀଚ ବୃତ୍ତି

 

ବେପାରୀ ବୁଦ୍ଧି ଧାର୍ମକ ଜୀବନରେ ପରିତ୍ୟାଜ୍ୟ

 

ସାଧନା ବିନା ସିଦ୍ଧି ନୀହିଁ

୭.

ସପ୍ତମ ଅଧ୍ୟାୟ

 

ଆଧ୍ୟାତ୍ମକତାର ଉବାଦାନ

 

ଜପ ସାଧନ ପ୍ରଣାଳୀ

 

ଆତ୍ମାର ବାଣୀ

୮.

ଅଷ୍ଟମ ଆଧ୍ୟାୟ

 

ଧ୍ୟାନର ପ୍ରସ୍ତୁତି

 

ଧ୍ୟାନରେ ମନ ଏକାଗ୍ର ନ ହେବାର କାରଣ

 

ଧ୍ୟାନ ନିମିତ୍ତ ପ୍ରକୃଷ୍ଟ ସ୍ଥାନ

 

ଧ୍ୟାନ ନିମିତ୍ତ ଆମନ

 

ଧ୍ୟାନ ବିଧାନ

 

ଧ୍ୟାନ ବେଳେ ମାନସିକ ଚିନ୍ତା

 

ଧ୍ୟାନରେ କଳ୍ପନା ହିଁ ସମ୍ବଳ

 

ଧ୍ୟେୟ ବସ୍ତୁ

 

ଧ୍ୟାନବେଳେ ମାନସିକ ପ୍ରସ୍ତୁତି

 

ଧ୍ୟାନ ପାଇଁ ସମୟ ନିର୍ଣ୍ଣୟ

 

ଧ୍ୟାନର ଅନ୍ତିମ ସୋପାନ

୯.

ନବମ ଅଧ୍ୟାୟ

 

ପ୍ରାର୍ଥାନା

 

ବଦ୍ଧ ଜୀବର ଗତି

୧୦.

ଦଶମ ଅଧ୍ୟାୟ

 

ଯୋଗ

୧୧.

ଏକାଦଶ ଅଧ୍ୟାୟ

 

ଧର୍ମ ସାଧନା

 

ସଂଯମ ଜୀବନ

୧୨.

ଦ୍ଵାଦଶ ଅଧ୍ୟୟ

 

ସନ୍ନ୍ୟାସୀ ଓ ସଂସାର

 

ଭ୍ରଷ୍ଟ ସନ୍ନ୍ୟାସୀ

 

ସଂସାର କ’ଣ ?

 

ସଂସାର ଦୁଇ ପ୍ରକାର

 

ସମସ୍ୟା ସମାଧାନ

 

ସଂସାରୀର ବଦ୍ଧମୁକ୍ତ ଅବସ୍ଥା

୧୩.

ତ୍ରୟୋଦଶ ଅଧ୍ୟାୟ

 

ଜ୍ଞାନ

 

ଭ୍ରମାତ୍ମକ ଭାବନାର ବିନାଶ

 

ଦେବମାନବ ଓ ପଶୁ ମାନବ

୧୪.

ଚତୁର୍ଦ୍ଦଶ ଅଧ୍ୟାୟ

 

କର୍ମ ଓ ଭକ୍ତି

 

ପ୍ରକୃତ ଭକ୍ତି ଲାଭର ଉପାୟ

 

ଅହିଂସା ଭାବ

୧୫.

ପଞ୍ଚଦଶ ଅଧ୍ୟାୟ

 

ମନ

 

ମନସ୍ଥିର ପାଇଁ କୌଶଳ

 

ମନଭୂତ

 

କଞ୍ଚାମନ

୧୬.

ଷୋଡ଼ଶ ଅଧ୍ୟାୟ

 

ଅମର ବାଣୀ

 

ଦେବରାଜ୍ୟ ସମ୍ଭବ ହେବ କିପରି ?

 

ପ୍ରଥମ ଅଧ୍ୟାୟ

 

ଅଧ୍ୟାତ୍ମ ଜୀବନ ଲାଭ ପାଇଁ ଉପାୟ ଓ ପ୍ରସ୍ତୁତି

 

ମାନବ ଜୀବନର ଉଦ୍ଦେଶ୍ୟ ଈଶ୍ୱର ଲାଭ । ଏକଥା କେବେ ହେଲେ ଭୁଲନା । ପଶୁପରି ଆହାର, ନିଦ୍ରା, ଇନ୍ଦ୍ରୟ ସୁଖ, ବାଜେ ଗଳ୍ପ, ପର ଚର୍ଚ୍ଚାଦି ବାଜେ କାମରେ ନିଜର ଆୟୁଷ କ୍ଷୟ କରି ଶେଷକୁ ଦୁଃଖ ଭୋଗ କରିବ କାହିଁକି ? ଭଗବାନଙ୍କର ଯେତେବେଳେ ଇଚ୍ଛା ହେବ, ସେତେବେଳେ ହେବ, ଏକଥା କହି ଜଡ଼ ଓ ଅକର୍ମା ହୋଇ ରୁହନା । ଯେତେଦିନ ଯାଏ ତୁମ ଶରୀରରେ ବଳବୀର୍ଯ୍ୟ ଅଛି, ସମସ୍ତ ଶକ୍ତି ନିୟୋଗକରି ଭଗବାନଙ୍କୁ ଲାଭ କରିବା ନିମନ୍ତେ ଲାଗିପଡ଼ । ହେଳା କରନା ।

 

ଇଶ୍ଵର ଲାଭ କରିବାକୁ ହେଲେ ନିମ୍ନଲିଖିତ ଉପଦେଶଗୁଡ଼ିକ ପ୍ରତି ଲକ୍ଷ୍ୟ ଦେବା ଆବଶୟକ । ୧- ଧୈର୍ଯ୍ୟ, ୨- ଅଧ୍ୟବସାୟ, ୩- ଦେହ ମନର ପବିତ୍ରତା, ୪- ତୀବ୍ର ଆକାଂକ୍ଷା ବା ବ୍ୟାକୁଳତା, ୫- ଷଟ୍ ସମ୍ପଦ, ଯଥା- (ଶମ) ଅନ୍ତଃକରଣ ସ୍ଥିରିତା, (ଦମ) ଇନ୍ଦ୍ରୟ ନିଗ୍ରହ, (ଉପରତି) ବିଷୟାଶକ୍ତି ତ୍ୟାଗ, (ତିତିକ୍ଷା) ସବୁ ପ୍ରକାର ଦୁଃଖରେ ଅବିଚଳିତ ରହିବା, (ଶ୍ରଦ୍ଧା) ଗୁରୁ ଓ ଶାସ୍ତ୍ର ବାକ୍ୟରେ ବିଶ୍ଵାସ ସ୍ଥାପନ କରିବା ଓ (ସମାଧାନ), ଈଷ୍ଟଙ୍କଠାରେ ଚିତ୍ତ ସ୍ଥାପନ । ଏସବୁ ଏକାନ୍ତ ଆବଶ୍ୟକ ।

 

ତ୍ୟାଗ, ପ୍ରେମ ଓ ପବିତ୍ରତା ଈଶ୍ଵର ଲାଭର ପ୍ରଧାନ ଉପାୟ । ଏସବୁ ପରସ୍ପରର ସହାୟକ । ଗୋଟିଏ ଥିଲେ ଅନ୍ୟ ଦୁଇଟି ଆପେ ରହିବ । ସମସ୍ତ ବିଷୟ ବାସନାରେ ବିତୃଷ୍ଣା, ସର୍ବଜୀବକୁ ଭଲ ପାଇବା ଏବଂ ଅନ୍ତର ବାହାର, କାୟ-ମନ-ବାକ୍ୟରେ ପବିତ୍ରତା ନ ରହିଲେ, ପ୍ରେମ-ସ୍ଵରୂପ, ପରମ ପବିତ୍ର ପରମେଶ୍ଵରଙ୍କୁ ଲାଭ କରିବା ଅସମ୍ଭବ । ଯାର ‘ମୁଁ, ମୋର ଭାବ ନାହିଁ ଆପଣାପର ନାହିଁ, ସେ ନିଜକୁ ଯେତେ ଲୁଚାଇ ରଖିଲେ କ’ଣ ଲୁଚାଇ ହେବ ? ଅଗ୍ନିକୁ କ’ଣ କେହି ଲୁଚାଇ ରଖିପାରେ ? ସେହିପରି ଭକ୍ତ ବା ପ୍ରେମିକ ଲୁଚି ରହିପାରେନା ।

 

ଆଧ୍ୟାତ୍ମିକ ଜୀବନ ଲାଭ କରିବାକୁ ହେଲେ ପୁରୁଷାକାର ଦରକାର । ଆମେ ନିଜ ଚେଷ୍ଟାରେ ସାଧନ ଭଜନ କରି ଭଗବାନ ଲାଭ କରିବା, ଏହି ଦୃଢ଼ ସଂକଳ୍ପ କରି ନିଷ୍ଠା ସହକାରେ ତିନି ଚାରି ବର୍ଷ ପ୍ରତ୍ୟହ ଅନ୍ତତଃ ସକାଳେ ଓ ସଂଧ୍ୟାରେ ଦୁଇଘଣ୍ଟା କରି ଆସନରେ ବସି, ଜପ-ଧ୍ୟାନ କରି ଦେଖ, ସେଥିରୁ ନିଶ୍ଚୟ ଆନନ୍ଦ ମିଳିବ ଓ ଅନୁଭୂତି କ୍ରମେ ବଢ଼ିବ ।

 

ପ୍ରଥମେ ବିଶ୍ଵାସ

 

ବିଶ୍ଵାସ ଦ୍ଵାରା ଅସମ୍ଭବ ହୋଇପାରେ । ବିଶ୍ଵାସ ରୂପକ ନୌକାରେ ବସି ହଲଚଲ ହେବା କିମ୍ବା ସଂଶୟ କରିବ ଅର୍ଥ ଆଣ୍ଠୁଏ ଜଳରେ ବୁଡ଼ି ମରିବା ବ୍ୟତୀତ ଆଉ ବା କ’ଣ ହୋଇପାରେ । ଆଶା ହିଁ ଜୀବନ, ସବୁ ଶକ୍ତି ଓ ଚେଷ୍ଟାର ଉସ୍ । ଆଶା ନ ଥିଲେ ଜଣକୁ ନିର୍ଜୀବ ବା ଜୀବନ୍ମତ ବୁଝିବାକୁ ହେବ । ଯେ ପର୍ଯ୍ୟନ୍ତ ଆଶା ଅଛି । ତେଣୁ ଭଗବାନଙ୍କୁ ପାଇବାର ଆଶା ମୃତ୍ୟୁ ପର୍ଯ୍ୟନ୍ତ ଛାଡ଼ିବାକୁ ନୁହେଁ । ଭଗବାନ ଇଚ୍ଛାକଲେ ଯେ କୌଣସି ମୁହୂର୍ତ୍ତରେ ଅଥବା ଅନ୍ତିମ କାଳରେ ଦର୍ଶନ ଦେଇ ପାରିବେ ।

 

 

 

ଈଶ୍ଵରାନୁଭୁତି ପାଇଁ ଆତ୍ମବିଶ୍ଵାସ

 

ନିଜକୁ ଦୁର୍ବଳ ମନେ କର ନାହିଁ । ନିଜ ଉପରେ ପୂର୍ଣ୍ଣ ବିଶ୍ଵାସ ରଖ । ସର୍ବଦା ଭାବ ଆମର ଅସାଧୟ କିଛି ନାହିଁ। ଆମେ ସବୁ କରିପାରିବା । ମନ ପାଖରେ ପରାଜୟ ସ୍ଵୀକାର କରିବ କାହିଁକି ? ଜାଣିରଖ, ମନକୁ ବଶ କରିପାରିଲେ ଗଜତ ଓ ସମସ୍ତ ଇନ୍ଦ୍ରୟ ତୁମ ବଶରେ ରହିବ । ତୁମେ ବିଶ୍ଵଜୟୀ ହେବ । ଯାହାର ନିଜ ଉପରେ ବିଶ୍ଵାସ ନାହିଁ, ତାହାର ଈଶ୍ଵରାନୁଭୂତି ହୁଏ ନାହିଁ। ତା କଥା ମଧ୍ୟ କେହି ଶୁଣନ୍ତି ନାହିଁ । ଭଗବାନଙ୍କୁ ଚାହଁତ ପାଇବ, ଆଉ ବିଷୟ ସୁଖ ମଧ୍ୟ ତାଙ୍କରି ଠାରୁ ପାଇବ । କିନ୍ତୁ ଏ ଦୁଇ କାମ ପାଇଁ ଖଟିବାକୁ ପଡ଼ିବ, ନ ଖଟିଲେ କିଛି ମିଳିବ ନାହିଁ ।

 

ସଂସାରରେ ବିଷୟ, ସମ୍ପତ୍ତି ଓ ମାନ, ଯଶ ପାଇଁ ଦିନରାତି ଆହାର ନିଦ୍ରା ତ୍ୟାଗ କରି ଦେହ, ମନ, ପ୍ରାଣ ଦେଇ ସମସ୍ତେ ଖଟନ୍ତି; ଭାବନ୍ତି ଏକ ମୁହୂର୍ତ୍ତ ମଯ୍ୟ ବିଶ୍ରାମ ନାହିଁ କିମ୍ବା ରିହାତି ନାହିଁ । ତେବେ ସୁଦ୍ଧା ଯାହା ଚାହୁଁଛି ତାହା ପାଉନାହିଁ କିମ୍ବା ରିହାତି ନାହିଁ । ତେବେ ସୁଦ୍ଧା ଯାହା ଚାହୁଁଛି ତାହା ପାଉନାହିଁ କିମ୍ବା ଆଶା ଆକାଂକ୍ଷା ପୂରଣ ହେଉନାହିଁ । ସେହି ପ୍ରକାରେ ଯେବେ ଜଣେ ଭଗବାନଙ୍କ ନିମନ୍ତେ ଖଟି ପାରନ୍ତା, ତେବେ ଭଗବାନଙ୍କୁ ନିଶ୍ଚୟ ଲାଭ କରନ୍ତା । ମୋହମୁଗ୍ଧ ମାନବ, ମଣି, କାଞ୍ଚନ ଛାଡ଼ି, କାଚ ଧରି ଭ୍ରମରେ ଖେଳୁଛି । ଜୀବନରେ ବାରମ୍ବାର ଧକ୍କା ଖାଇ ସୁଦ୍ଧା ତାର ଚୈତନ୍ୟ ଉଦୟ ହେଉ ନାହିଁ । ଏହା ହିଁ ମାହାମାୟାର ଖେଳ ।

 

ଦ୍ଵିତୀୟ ଅଧ୍ୟାୟ

 

ଭକ୍ତ ଭଗବାନଙ୍କ ସମ୍ପର୍କ

 

ଭକ୍ତ କହନ୍ତି କାହାକୁ ? ଯାହାର ଭଗବାନଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି, ନିଷ୍କାମ ଅହେତୁକୀ ଭକ୍ତି, ଯେକି ଭଗବତ୍ ପ୍ରେମରେ ଉନ୍ମାଦ, ଏପରି ଭକ୍ତର ବୋଝ ଭଗବାନ ବହନ କରନ୍ତି । ‘ଯୋଗକ୍ଷେମଂ ଯୋଗମ୍ୟହଂ’ । ଏପରି ଭକ୍ତ ବଡ଼ ଦୁର୍ଲଭ । ଏକମାତ୍ର ଶୁଦ୍ଧାଭକ୍ତିରେ ବା ଶୁଦ୍ଧପ୍ରମରେ ଭଗବାନ ଭକ୍ତାଧୀନ ଓ ପ୍ରେମ ଦାୟରେ ଭକ୍ତର ପାଖରେ ବନ୍ଧା ପଡ଼ି ପରାଜୟ ସ୍ଵୀକାର କରନ୍ତି । ଭକ୍ତି ଯେପରି ଭଗବାନଙ୍କୁ ଛାଡ଼ି ରହି ପାରେନା, ଭଗବାନ ସେହିପରି ଭକ୍ତକୁ ଛାଡ଼ି ରହି ପାରନ୍ତି ନାହିଁ । ଉଦାହରଣ—ଠିକ୍ ପ୍ରେମାସକ୍ତ ଯୁବକ-ଯୁବତିଙ୍କ ପରି । ସେମାନଙ୍କ ପ୍ରେମ ସ୍ଵାର୍ଥପ୍ରେମ କିନ୍ତୁ ଭଗବତ ପ୍ରେମ ଇନ୍ଦ୍ରିତାତୀତା ଆଉ ମଧ୍ୟ ବିନା ଜ୍ଞାନରେ ପରାଭକ୍ତି ଲାଭ ହୁଏନା । ପରମେଶ୍ଵର ସର୍ବଭୁତରେ, ସର୍ବଜୀବରେ ଅଛନ୍ତି । ଜୀବଜଗତ ତାଙ୍କଠାରେ ଭିନ୍ନ ସତ୍ତା ନୁହେଁ । ଏହା ଉପଲବ୍ଧ କରିବାକୁ ହେବ । ପରମାତ୍ମାଙ୍କ ସହିତ ଜୀବ ଜଗତ ଓ ଅନ୍ତରାତ୍ମାର ଏକାତ୍ମବୋଧ ହିଁ ପରାଭକ୍ତି ଓ ପରମ ଜ୍ଞାନ । ତେବେ ଅଧିକାରୀ ଜଗତରେ ବିରଳ ।ପଥ ମଧ୍ୟ ଅତ୍ୟନ୍ତ ଦୁଃସାଧ୍ୟ । ଜ୍ଞାନ ମିଶ୍ରା ଭକ୍ତି ହିଁ ଅପେକ୍ଷାକୃତ ସହଜ ଓ ସୁଗମ ପଥ ।

 

ମେଘ ଯେତେ ଗର୍ଜନ କରୁ, ଯେତେ ଝଡ଼ ବୃଷ୍ଟି ହେଉ, ଯେତେ ବିଦ୍ୟୁତ୍ ଚମକୁ ବା ବଜ୍ରପାତ ହେଉ, ଚାତକପକ୍ଷୀ ଏ ସବୁକୁ ଭୟ ନ କରି ଆକାଶକୁ ଅନାଇ ମନମୁତାବକ ବର୍ଷାଜଳ ପାନ କରି ତା’ର ତୃଷ୍ଣା ନିବାରଣ କରିଥାଏ । ସେ ତୃଷାରେ ପ୍ରାଣ ବିସର୍ଜନ କରିପାରେ, କିନ୍ତୁ ନୀଚରେ ଥିବା ଜଳାଶୟରୁ କେବେହେଲେ ଜଳ ପିଇବ ନାହିଁ । ସେହିପରି ଭକ୍ତ ତା’ର ପ୍ରାଣର ତୃଷା ମେଣ୍ଟାଇବା ନିମିତ୍ତ ଭଗବାନଙ୍କ ବ୍ୟତୀତ ଅନ୍ୟ କୌଣସିର ପ୍ରତ୍ୟାଶା ରଖେ ନାହିଁ । ସେଥିପାଇଁ ଯେତେ ବାଧା-ବିଘ୍ନ ଘଟିଲେ ମଧ୍ୟ ସେ ବିଚଳିତ ହୁଏ ନାହିଁ ।

 

ଭକ୍ତର ଲକ୍ଷଣ

 

କଷ୍ଟ ନକେଲ କୃଷ୍ଣ ଲାଭ ହୁଏନା । ଗୋଟିଏ ଶିଶୁ ନ ଖଟିଲେ ପାଏ । କାରଣ ସେ ଜାଣେ—‘ମା’ ତାର ସବୁ । ତାର ଯାହା ଦରକାର ‘ମା’ ବ୍ୟତୀତ ଆଉ କିଛି ଜାଣେ ନାହିଁ । ତାକୁ ନିଜ ପାଇଁ କିଛି ଭାବିବାକୁ ପଡ଼େ ନାହିଁ । ଧର୍ମ ଜୀବନରେ ଠିକ୍ ଶିଶୁର ମନ ଓ ଶିଶୁର ପ୍ରାଣ ଦରକାର । ଶିଶୁକୁ ଯେତେବେଳେ କ୍ଷୁଧା ଲାଗେ ସେ କାନ୍ଦେ । ସେତେବେଳେ ମା’ ତାକୁ ଆପେ କୋଳକୁ ନେଇ କ୍ଷୀର ପାନ କରାଏ । ଭକ୍ତ ସେହିପରି ଭକ୍ତି ଲାଭର ପିପାସାରେ ବ୍ୟାକୁଳ ହୋଇ ପ୍ରାର୍ଥନା କରି କାନ୍ଦିଲେ ଭଗବାନ ତା କଥା ଶୁଣନ୍ତି । ସେଥିଲାଗି କୁହାଯାଏ ଯେ, ଭକ୍ତର ଲକ୍ଷଣ ଶିଶୁଭଳି ।

 

ଧର୍ମଲାଭ ପାଇଁ ପ୍ରୟାସ

 

ଯେ ସବୁ ସମୟରେ, ସବୁ କାମରେ ଭଗବାନଙ୍କୁ ସ୍ମରଣ, ମନନ ଓ ନାମଜପ କରନ୍ତି ଏବଂ ତାଙ୍କୁ(ଭଗବାନଙ୍କୁ) ହିଁ ଏକମାତ୍ର ସାର ଓ ସର୍ବସମ୍ଵଳ ବୋଲି ଜାଣନ୍ତି; ସେ ଆପଦ ବିପଦରେ ମଧ୍ୟ ଭଗବାନଙ୍କୁ ଭୁଲନ୍ତି ନାହିଁ । ମୃତ୍ୟୁକାଳରେ ସେ ଇଷ୍ଟ ଚିନ୍ତାରେ ରୋଗ ଯନ୍ତ୍ରଣା ଭୁଲି ଯାଆନ୍ତି । ସଂସାର-ଧନ-ଜନାଦିରେ ତାଙ୍କର ଆସକ୍ତି ଆସେ ନାହିଁ । ସେହି ଭାନବାରେ ଚିତ୍ତ ତଦ୍ଗତ୍ ହୋଇଯାଏ । ଏହା ପୂର୍ବ ଅଭ୍ୟାସ ବଳରେ ସ୍ଵଭାବ ସିଦ୍ଧ ହୋଇଯାଏ । ନାମ ଓ ନାମୀ ଏକ । ଏହି ଧାରଣା ମନରେ ଯେତେ ଦୃଢ଼ ହୁଏ, ତାଙ୍କର (ଭଗବାନଙ୍କର) ଆବିର୍ଭାବ ଓ ସାନିଧ୍ୟ ପ୍ରାଣେ ପ୍ରାଣେ ତେତେ ଅନୁଭୂତ ହୁଏ ।

 

ଯତ୍ନ ଓ ଚେଷ୍ଟା ଦ୍ଵାରା ସମସ୍ତ ବିଷୟ ସିଦ୍ଧ ହୁଏ । ବିଫଳ ହେଳେ ବାରମ୍ବାର ଚେଷ୍ଟାକର-। ଯେବେ ଚେଷ୍ଟା କରିବା ସତ୍ତ୍ଵେ ସିଦ୍ଧି ଲାଭ ନ ହୁଏ, ତେବେ ଜାଣିବ ଯେପରି ଚେଷ୍ଟା କରିବା ଉଚିତ ସେପରି କରି ପାରିନାହିଁ । ଚେଷ୍ଟା କଲେ ସବୁ ବିଷୟ ସହଜ ଓ ଅନାୟାସରେ ସାଧ୍ୟ ହେବ-। କ୍ରମେ ଏହା ଅଭ୍ୟାସ ହୋଇ ସ୍ଵଭାବରେ ପରିଣତ ହେବ । ପ୍ରକୃତରେ ଭଗବାନ କିଛି ଅଭାବ ରଖନ୍ତି ନାହିଁ । ଅଭାବ କେବଳ ମନୁଷ୍ୟ ମନରେ । ସୁଖ-ଦୁଃଖ, ଅଭାବ-ଅଶାନ୍ତି ସବୁ ମନରେ; ମାତ୍ର ବାହାରେ ନୁହେଁ । ଯାହାର ଯେପରି ଭାବ, ତାହାର ସେପରି ଲାଭ ।

 

ଆଜିକାଲି ସବୁକ୍ଷେତ୍ରରେ ଦେଖାଯାଏ ଯେ, ବିନା ପରିଶ୍ରମରେ ମଜୁରୀ ହାସଲ କରିନେବା ଭାରି ସହଜ । ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ସେହିପରି ଭାବନା ଦେଖାଯାଏ । ଆମେ କିଛି କରିବୁ ନାହିଁ କିମ୍ବା କୌଣସି ନିୟମରେ ପରିଚାଳିତ ହେବୁ ନାହିଁ । କେବଳ ସୁରୁ ଓ ଇଶ୍ଵରଙ୍କ ଦୟାରେ ସବୁ ହୋଇଗଲେ ଭଲ । ଭଗବାନ କ’ଣ ଶାଗ,ମୁଗ ନା କ’ଣ ? ପଇସା ଦେଇ କିଣି ନେବ । ଶୀଘ୍ର ଭଗବାନ ଲାଭ ନିମନ୍ତେ ଏତେ ବ୍ୟସ୍ତ କାହିଁକି ? କର୍ମ କ୍ଷେତ୍ରକୁ ଆସିଛ କର୍ମ କରିଯାଅ । ଫଳ କାମନା କାହିଁକି ?

 

ଯେତେ ପାର ତାଙ୍କୁ ସ୍ମରଣ, ମନନ କର, ତାଙ୍କୁ ହିଁ ଆପଣାର ବୋଲି ଭାବ । ସେ ଇହକାଳ ଓ ପରକାଳର ଏକମାତ୍ର ଆଶ୍ରୟ ବୋଲି ମନେକର । ତାଙ୍କୁ (ଭଗବାନଙ୍କୁ) ସମସ୍ତ ମନ-ପ୍ରାଣ ଦେଇ ଭଲପାଅ । ଯେ ଯାହାକୁ ଭଲପାଏ ସେ ତାହା କଥା ସର୍ବଦା ଭାବି ସୁଖ ଓ ଆନନ୍ଦ ପାଏ । ଅନ୍ୟ କଥା ତାକୁ ଭଲ ଲାଗେନା ।

 

ଭଗବାନଙ୍କୁ ଭଲପାଇବାକୁ କାଙ୍ଗାଳ ହୁଅ । ତାଙ୍କର ପ୍ରେମମୟ ମୂର୍ତ୍ତିର ଦର୍ଶନ ପାଇଁ ବ୍ୟାକୁଳ ହୋଇ କାନ୍ଦ । ତାଙ୍କର ପାଇଁ ପାଗଳ ହୁଅ । ଯେପରିକି ତାଙ୍କ ପାଗଳ ହୁଅ । ଯେପରିକି ତାଙ୍କ ବ୍ୟତୀତ ଜୀବନ ରହିବା ଅସମ୍ଭବ । ତାଙ୍କ ପରି ଆପଣାର ଆଉ କିଏ ଅଛି ? ତାଙ୍କ ପରି କ୍ଷମାମୟ ଆଉ କିଏ ଅଛି? ତାଙ୍କ ପରି ସଖା, ସହୃଦ କେହି ଏ ତିନି ଲୋକରେ ମିଳିବେ ନାହିଁ । ତାଙ୍କର ଭଲ ପାଇବା ଅସୀମ, ଧାରଣାତୀତ । ଏପରି ପ୍ରଭୁଙ୍କ ଶରଣାପନ୍ନ ନ ହେବା ମନୁଷ୍ୟର ମାନବ ଜନ୍ମ ବୃଥା । ତାଙ୍କର ସେହି ଅମୃତ ସାଗରକୁ ଡ଼େଇଁପଡ଼, ଅମୃତ ପାଇବ । ଭଗବାନ କାହା ଉପରେ ରାଗନ୍ତି ନାହିଁ । ଆମେ ଯେପରି ଆଶା ପ୍ରତ୍ୟାଶାର ବଶବର୍ତ୍ତୀ ହୋଇ ତହିଁରେ ବାଧା ପାଇଲେ ଅନ୍ୟ ଉପରେ କିମ୍ବା ବେଳେବେଳେ ଭଗବାନଙ୍କ ଉପରେ ମଧ୍ୟ ରାଗିଯାଉଁ, ସେ ସପରି କାହାଠାରୁ କିଛି ପାଇବାର ଆଶା ରଖି ନ ଥାନ୍ତି ଓ ତାଙ୍କ ଆଶା ପ୍ରତ୍ୟାଶାରେ କେହି ବାଧା ଦେଇ ପାରନ୍ତି ନାହିଁ । ଏପରିକି ତୁମେ ତାଙ୍କୁ ଭୁଲିଗଲେ ମଧ୍ୟ ତାଙ୍କର କିଛି ଯାଏ ଆସେନାହିଁ । ଯାହା ହେବ ତାହା ତୁମ୍ଭର ଅମଙ୍ଗଳ ବା ମଙ୍ଗଳ ।ଭଗବାନଙ୍କର କିଛି କ୍ଷତି ନାହିଁ ।

 

ଯେତେ ଭଜନ ସାଧନ କରିବ, ସେତେ ଭଗବାନଙ୍କର କୃପା ବୁଝି ପାରିବ ଓ ହୃଦୟଙ୍ଗମ କରିପାରିବ । ବ୍ୟାକୁଳତା ତାଙ୍କ ଅନ୍ଦରମହଲର ଚାବିକାଠି । ଧ୍ୟାନ ଓ ଜପର ଅଭ୍ୟାସ ସବୁ ସମୟରେ ସବୁ ଯାଗାରେ ହୋଇପାରିବ । ଯୋଗରେ ସିଦ୍ଧି ଲାଭର ପ୍ରଥମ ଲକ୍ଷଣ ୧-ମୁଁ ନିଶ୍ଚୟ ସଫଳ ହେବି, ଏହି ବିଶ୍ଵାସ । ୨- ଶ୍ରଦ୍ଧା ପୂର୍ବକ ସାଧନ, ୩- ଗୁରୁପୂଜା, ୪- ସମତା, ୫- ଇନ୍ଦ୍ରୟ ନିଗ୍ରହ, ୬-ପରିମିତି ଆହାର । ସପ୍ତମ ବୋଲି ଆଉ କିଛି ନାହିଁ । ଅତଏବ ଏହି କେତୋଟି ସମସ୍ତ ମୁମୁକ୍ଷୁ ବ୍ୟକ୍ତିଙ୍କ ପକ୍ଷେ ପ୍ରଯୁଜ୍ୟ । ସୁଖ କୁହ, ଦୁଃଖ କୁହ ସବୁ ବନ୍ଧନ । ଏ ଦୁଇଟିର ଉପରକୁ ଗଲେ ଶାନ୍ତି, ମୁକ୍ତି ଲାଭ ହୁଏ ।ଭଜନ ଦ୍ଵାରା ଯାହା ଉପଲବ୍ଧ ହୁଏ ବା ହେବ ସେ ସବୁ ଗୁରୁ ବ୍ୟତୀତ ଅନ୍ୟ କାହାକୁ କହିବା ଉଚିତ ନୁହେଁ । ସେ ତୁମର ଆଧ୍ୟାତ୍ମିକ ରତ୍ନ ସ୍ଵରୂପ, ତାହା ଅତି ଗୋପନ ରଖିବା ଶ୍ରେୟଷ୍କର । ତଦ୍ରୁପ ତୁମର ଦୋଷ, ତ୍ରୁଟି ଆଦି କଥା ଅନ୍ୟ ଆଗରେ କହି ବୁଲିବ ନାହିଁ । ବରଂ ସେ ଭୁଲ ନିମନ୍ତେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କେଲ ସେ ଶକ୍ତି ପ୍ରଦାନ କରି ସମସ୍ତ ସୁଧାରି ଦେବେ ।

 

ତୃତୀୟ ଅଧ୍ୟାୟ

 

ସାଧନା ପଥରେ ଅନ୍ତରାୟ

 

ଦୋଷ ଓ ଗୁଣ ନେଇ ମଣିଷ । ତେଣୁ ଦୋଷ ଗୁଣ କମ୍ ବା ବେଶୀ ସମସ୍ତଙ୍କର ରହିଛି-। ପରର ଦୋଷ ତ୍ରୁଟି ଅନୁସନ୍ଧାନ ନ କରି ନିଜର ଦୋଷ ତ୍ରୁଟି ଦେଖ । ପରର ଗୁଣକୁ ଏବଂ ନିଜର ଦୋଷକୁ ବଡ଼ ମନେ କର । ପରର ଦୋଷକୁ ଓ ନିଜ ଗୁଣକୁ ଛୋଟ କରି ଦେଖ । ମାଛି ପଚା ଘା’ ବା ବ୍ରଣରେ ବସେ, ମହୁମାଛି ଫୁଲରେ ବସେ । ପର ଚର୍ଚ୍ଚା ଦ୍ଵାରା ଆତ୍ମ ଚର୍ଚ୍ଚାର କ୍ଷତି ଘଟିଥାଏ। ଏହା ବୁଝ । ଏପରିକି ସିଦ୍ଧ ପୁରୁଷ ଓ ସଦ୍ଗୁରୁଙ୍କର ମଧ୍ୟ ବ୍ୟାବହାରିକ କାର୍ଯ୍ୟକଳାପରେ ଦୋଷ-ତ୍ରୁଟି ଓ ଭ୍ରମ-ପ୍ରମାଦ କିଛି ନା କିଛି ଥାଇପାରେ । କିନ୍ତୁ ତାଙ୍କର ସଦ୍ଗୁଣ ଏତେ ବେଶୀ ଯେ, ସେ ଦୋଷ ତାଙ୍କ ଭୂଷଣ ସ୍ଵରୂପ ହୋଇଯାଏ । ପୁନଶ୍ଚ ଯେ ଯାହାକୁ ଭଲପାଏ, ତାର ଦୋଷ ସେ ଦେଖେ ନାହିଁ-

 

ଦୈବ ବା ଅଦୃଷ୍ଟ ଉପରେ ନିର୍ଭର କରି ବସି ରହିଲେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ବରଂ ତା ଫଳରେ ମନୁଷ୍ୟ ହୀନବୀର୍ଯ୍ୟ ଓ ତାମସିକ ହୋଇ ଅଧୋଗତିକୁ ପ୍ରାପ୍ତ ହୁଏ । ଲୋକେ ନିଜ ଦୋଷରୁ ଭୁଲ୍ କରନ୍ତି ବା ବିଫଳ ହୁଅନ୍ତି । କିନ୍ତୁ ଦୋଷ ଲଦନ୍ତି ଦୈବ ବା ଭାଗ୍ୟ କିମ୍ବା ଭଗବାନ ନଚେତ ଗୁରୁ ଏବଂ ଗ୍ରହଙ୍କ ଉପରେ । ବାଟ ଚାଲିବାବେଳେ ରାସ୍ତାକୁ ନ ଚାହିଁ ଉପର ମୁହାଁ ହୋଇ ଚାଲୁ ଚାଲୁ ଖୁଣ୍ଟି କରି ଯେବେ ଖାଲରେ ପଡ଼ନ୍ତି ତେବେ ଦୋଷ ଦିଅନ୍ତି ଜମିକୁ-। କହନ୍ତି ଜମିଟା ସମାନ ନ ଥିଲା । ଏକଥା ଯେପରି, ଭଗବାନଙ୍କୁ ଦୋଷ ଦେବାଟା ଠିକ୍ ସେହିପରି କଥା ।

 

ସଂସାର-ଜ୍ଵାଳା, ଯନ୍ତ୍ରଣା, ମନ, କଷାକଷି, ଝଗଡ଼ା, ଅଶାନ୍ତିର କଥା ଭାବି ଭାବି ମନ ଖରାପ କରିବ ନାହିଁ । ତଦ୍ଵାରା କିଛି ଲାଭ ନାହିଁ । ଏସବୁ ନେଇ ମନେ ମନେ ବା ଅନ୍ୟ ସହିତ ଆଲୋଚନା କଲେ ଅଧିକ ଅଶାନ୍ତି ବଢ଼େ । ଯେତେ ପାର ସହିଯିବାକୁ ଚେଷ୍ଟା କରିବ ।

 

‘ଯେ ସହେ ସେ ରହେ, ଯେ ନ ସହେ, ସେ ନାଶ ହୁଏ।’

ନିର୍ଭୀକ ଭାବରେ ସାଧନା କଲେ ଧର୍ମ ଲାଭ ହେବ

 

ଜ୍ଞାନ, ଭକ୍ତି, ଧର୍ମ, ନିଜକୁ ଅର୍ଜନ କରିବାକୁ ହୁଏ । ସେଥିପାଇଁ ଖୁବ୍ ଖଟିବାକୁ ପଡ଼େ । ତେବେ ଯାଇ ତାହା ନିଜସ୍ଵ ହୁଏ, ସ୍ଥାୟୀ ହୁଏ, ଆନନ୍ଦରେ ମନ ଭରପୂର ହୋଇଯାଏ । କେହି କାହାକୁ ଏହା ଦେଇ ପାରେନା । ଏଥିପାଇଁ ସାଧନା ଆବଶ୍ୟକ । ବିନା ସାଧନାରେ ସିଦ୍ଧି ହୁଏ ନାହିଁ-। ବିନା ଶ୍ରମରେ ଯାହା ମିଳିଥାଏ ତହିଁରେ ସୁରୁତ୍ଵ ନ ଥାଏ । ତାହା ଯେପରି ସହଜରେ ମିଳେ ସେହିପରି ସହଜରେ ହଜେ । ଧର୍ମ ଭାବକୁ ନିଜସ୍ଵ କରିବାର ଅର୍ଥ, ନିଜକୁ ତଦ୍ଭାବରେ ଭାବିତ କରିବା । ଏହା ଏପରି ହେବା ଦରକାର – ଯାହା ଫଳରେ ନିଜର ଜନ୍ମଗତ ସ୍ଵଭାବ ବଦଳିଯାଇ ତୁମେ ଅନ୍ୟ ଏକ ନୂତନ ମାନବ ହୋଇ ପାରିବ । ଅର୍ଥାତ୍ ଏହି ଶରୀରରେ ନବଜନ୍ମ ଲାଭ କରିବ-। ସେଥିପାଇଁ ଜୀବନ ପଣ କରି ଲାଗି ପଡ଼ିଲେ ହେଲା ।

 

ନିଜକୁ ଦେଲେ ନିଜକୁ ମିଳିବ । ପର ମଧ୍ୟ ଆପଣାର ହେବ । ଯେତେ ନିଜକୁ ସେଥିରୁ ବଞ୍ଚିତ କରିବାକୁ ଚାହିଁବ, ସେତେ ନିଜର କ୍ଷତି ହେବ, ନିଜେ ମଧ୍ୟ ପର ହୋଇଯିବ । ଅବିରାମ ସଂଗ୍ରାମ ଚଳାଅ । ବୀର ପରି ଆଗେଇ ଚାଲ । କ୍ଷତବିକ୍ଷତ ହେଲେ ସୁଦ୍ଧା ସେଥିପ୍ରତି ଭୃକ୍ଷେପ କର ନାହିଁ । ଭୟ ଶୂନ୍ୟ ହୁଅ । କାହାକୁ ଭୟ କରିବ ? ପରାଜୟକୁ ମନରେ ସ୍ଥାନ ଦିଅନା । ମନ୍ତ୍ରର ସାଧନ ଅଥବା ଶରୀର ପତନ । ହେବ ତ ଜୟ ବ ହେବ ତ ମରଣ ପଣ । ମରିବ ତ ବୀର ଭଳି ମର । ତା, ହେଲେ କାମ ଫତେ ।

 

ପ୍ରଥମେ ନିଜକୁ ବଞ୍ଚାଅ, ପରେ ଧର୍ମ ଲାଭ

 

ପୁରୁଷ ବା ସ୍ତ୍ରୀ ପ୍ରତ୍ୟେକଙ୍କର କିଛି ନା କିଛି ଅର୍ଥ ଉପାର୍ଜନ ବିଦ୍ୟା ବା ଶିଳ୍ପାଦି ଶିକ୍ଷା କରିବା ଏକାନ୍ତ ଆବଶ୍ୟକ, ଯାହା ଫଳରେ ସେ ନିଜେ ସ୍ଵାଧୀନ ଭାବରେ ଶ୍ରମ କରି ଜୀବିକା ନିର୍ବାହ କରିପାରିବ । ପରବଶ ହେବ ମହା ଦୁଃଖଦାୟକ । ଯା’ ପକ୍ଷରେ ପେଟପୁରା ମୁଠାଏ ଖାଇବାକୁ ସମ୍ଭବ ହୋଇପାରେ ନାହିଁ, ଧର୍ମ ଲାଭ ତ ସେ କ୍ଷେତ୍ରରେ ଅତି ଦୁରୂହ ।

 

ପୁରୁଷାକାର

 

ଉପଦେଶ ତ ବହୁତ ଶୁଣିଛ, ଶୁଣୁଛ ଓ ବହିରେ ପଢ଼ିଛ । ସେ ସବୁକୁ ଯଦି ଆଚରଣରେ ପରିଣତ କରାନଯାଏ, ତେବେ ହଜାର ଉପଦେଶ ମଧ୍ୟ କିଛି କାମରେ ଆସିବ ନାହିଁ କେହି ତୁମକୁ କିଛି କରିଦେଇ ପାରିବ ନାହିଁ । ନିଜକୁ ସବୁ କରିବାକୁ ହେବ । ଯେ ଜୀବନ ମରଣ ପଣ କରି ଉଠି ପଡ଼ି ଲାଗିବ ତାକୁ ହିଁ ଭଗବାନ ସହାୟ ହେବେ, କୃପା କରିବେ । ଏପରିକି ତାର ବୋଝ ନିଜ କାନ୍ଧରେ ଥୋଇ ତାକୁ କିଛି ବାଟ ଆଗେଇ ଦେଇ ଆସିବେ । ପ୍ରଥମରେ ପୁରୁଷାକାର, ପରେ କୃପା, ଶେଷରେ ବସ୍ତୁଲାଭ ।

 

ଚତୁର୍ଥ ଅଧ୍ୟାୟ

 

ସଂସ୍କାର

 

ସେବା, ସ୍ଵାଧ୍ୟାୟ, ସାଧନ, ସତ୍ୟ ଓ ସଂଯମ ଏହି ପଞ୍ଚ ‘ସ’ କାର ଉପାସନା ସିଦ୍ଧିଲାଭର ଶ୍ରେଷ୍ଠ ଉପାୟ । ସତତ ସଯତ୍ନରେ ଓ ସାଧ୍ୟାନୁସାରେ ଏସବୁର ଅନୁଷ୍ଠାନ କରିବା ଦରକାର । ପୂଜା, ସେବା, ଜପ, ଧ୍ୟାନ ପ୍ରଭୃତି ନିତ୍ୟକର୍ମ ନିଷ୍ଠାର ସହିତ କଲେ ପୂର୍ବର ଓ ଇହଜନ୍ମର ଅଶୁଭ ସଂସ୍କାର ନଷ୍ଟ ହୁଏ । ଶୁଭ ସଂସ୍କାରର ଉପ୍ତି ହୁଏ ଓ ବୃଦ୍ଧି ଘଟେ । ସାଧନ, ଭଜନ, କ୍ରମଶଃ ସହଜ ସାଧ୍ୟ ହୁଏ ଏବଂ ଚିତ୍ତ ଶୁଦ୍ଧ ଓ ମନସ୍ଥିର ହେବା ସଙ୍ଗେ ସଙ୍ଗେ ତତ୍ତ୍ଵଜ୍ଞାନ ଲାଭ ହୁଏ ।

 

ଶୁଭ ସଂସ୍କାରର ପ୍ରଭାବ

 

ପ୍ରକୃତ ଧର୍ମଲାଭ ବଡ଼ କଠିନ କଥା । ଯା’ର ତା’ର ହୁଏନା । ଭିତରେ କିଛି ଥିବା ଦରକାର । ସୁକୃତ ବା ଶୁଭ ସଂସ୍କାର, ସରଳତା, ଆନ୍ତରିକାତା, ଅଭାବବୋଧ, ଏସବୁ ଥିଲେ ସିନା ହେବ । ଯେପରି ଭିଜା କାଠରେ ହଠାତ୍ ନିଆଁ ଲାଗେ ନାହିଁ, ସେହିପରି କେତେକ ବ୍ୟକ୍ତି ଅଛନ୍ତି ଯାହାଙ୍କର ଏ ଜନ୍ମରେ କିଛି ହେବା ଅସମ୍ଭବ । ସଂସାରୀ ବଦ୍ଧଜୀବ ଓଦାକାଠ ସଦୃଶ । ସେମାନଙ୍କର ଧର୍ମଭାବ ସହଜରେ ହୁଏ ନାହିଁ । ତେବେ ସୁଦ୍ଧା ଲାଗିପଡ଼ି କିଛି ଏ ଜନ୍ମରେ ସଞ୍ଚୟ କରିବା ଦରକାର ।

 

ପୂର୍ବ ଜନ୍ମର ସୁସଂସ୍କାର ନ ଥିଲେ ଶାସ୍ତ୍ର ଓ ଗୁରୁ ଉପଦେଶ ଠିକ୍ ଭାବରେ ହୃଦୟଙ୍ଗମ କରି ହୁଏ ନାହିଁ । ବିଦ୍ୟା-ବୁଦ୍ଧି ଦ୍ଵାରା ସମାଜରେ ଉଚ୍ଚ ପଦ, ମାନ ସମ୍ଭ୍ରମ ଲାଭ କରାଯାଏ । ବ୍ୟବସାୟ ବାଣିଜ୍ୟରେ ଖୁବ୍ ଉନ୍ନତି କରି ତୁମେ କୋଟିପତି ହୋଇପାର, କିନ୍ତୁ ଧର୍ମ ବା ସୂକ୍ଷ୍ମ ପରମାର୍ଥ ତତ୍ତ୍ଵ ବିଷୟରେ ଅଜ୍ଞାତ ସହଜରେ ଦୂର ହୁଏ ନାହିଁ । ତେବେ ସତ୍ୟ-ସଙ୍ଗ ଓ ସଦ୍-ଗୁରୁ ଆଶ୍ରୟ ମିଳିଥାଏ ଏବଂ ତା ଫଳରେ କ୍ରମେ ଆଧ୍ୟାତ୍ମିକ ଦିଗରେ ଉନ୍ନତି ସାଧିତ ହୁଏ ।

 

ପୂର୍ବ ଜନ୍ମର କିଛି ସତ୍‌ସଂସ୍କାର ବା ସୁକୁତି ନ ଥିଲେ ଧର୍ମ ପ୍ରତି ବା ଇଶ୍ୱରଙ୍କ ପ୍ରତି ବିଶ୍ୱାସ ହୁଏ ନାହିଁ କି ମତି -ଗତି ସେ ଦିଗକୁ ଯାଏ ନାହିଁ । ଏଥିପାଇଁ ହତାଶ ହୋଇ ଛାଡ଼ିବାର ନୁହେଁ । ସମସ୍ତ ଅନ୍ତରାୟ ଅତିକ୍ରମ କରିବା ପାଇଁ ଯେତେଦୂର ପାର ଦୃଢ ପ୍ରତିଜ୍ଞ ହେବାକୁ ପଡ଼ିବ। ବାଧା ବିଘ୍ନକୁ ଯତେ ଭୟ କରିବ ସେ ସବୁ ସେତେ ଭୟ ଦେଖାଇବେ। ତୁମର ଦୃଢ଼ ଓ ଅଟଳ ପ୍ରତିଜ୍ଞା ଦେଖିଲେ ସେ ସବୁ ଆପେ ବାଟ ଛାଡ଼ି ଅପସରି ଯିବେ ଏବଂ ଶତ୍ରୁ ନ ହୋଇ ସହାୟକ ହେବେ ।

 

ଅଭ୍ୟାସରୁ ସ୍ଵଭାବ ସୃଷ୍ଟି

 

ଶୁଭ ସଂସ୍କାର ବେଶୀ ନ ଥିଲେ ମଧ୍ୟ, ଚେଷ୍ଟା, ଆଗ୍ରହ, ଅଭ୍ୟାସ ବଳରେ ଅନୁକୂଳ ସଂସ୍କାର ଜାତ ହୁଏ । ଅଭ୍ୟାସରେ ମହାଶକ୍ତି ଅଛି । ଅହରହ ଶ୍ରଦ୍ଧା ସହକାରେ ଦୀର୍ଘକାଳ ଧରି ଅଭ୍ୟାସ କଲେ ଅଭ୍ୟାସ ଦୃଢ଼ ହୁଏ । ଯାହା ଅଭ୍ୟାସ କରିବ ତାହା ଦିନେ ସ୍ଵଭାବରେ ପରିଣତ ହେବ । ସେତେବେଳେ କୌଣସି କାର୍ଯ୍ୟ ପାଇଁ ଜୋର କରିବା ଆବଶ୍ୟକ ହେବ ନାହିଁ । ତାହା ଆପେ ଆପେ ହେବ ।ଭଗବାନଙ୍କର ସ୍ମରଣ, ମନନ, ପ୍ରାର୍ଥନା, ଜପ, ଧ୍ୟାନ ଆଦି ଅଭ୍ୟାସ କଲେ, ଅନ୍ୟ କାମରେ ଲାଗିଥିବାବେଳେ ମଧ୍ୟ ତୁମ ଭିତରେ ତାହା ସବୁ ସ୍ଵତଃ ଚାଲିଥିବ ।

 

ଏହା ବୋଲି କ’ଣ ସାଧନ, ଭଜନ ଛାଡ଼ିଦେଇ ତା’ର କୃପା ଉପରେ ନିର୍ଭର କରି ବସି ରହିବ ? ଯେ ତୃଷାରେ ବ୍ୟାକୁଳ, ଯା’ର ମନରେ ତାଙ୍କୁ (ଭଗବାନଙ୍କୁ) ପାଇବାର ଆଗ୍ରହ ଥାଏ, ସେ କ’ଣ କେବେଚୁପ୍ ହୋଇ ବସି ପାରିବ ? ସାଧକ ପାଖରେ ଅସମ୍ଭବ କିଛି ନାହିଁ । ସେ ଜାଣେ ଭଗବାନ ଭକ୍ତ ନିମନ୍ତେ ସମସ୍ତ ଅସମ୍ଭବ ସମ୍ଭବ କରିପାରନ୍ତି । ଧର୍ମକୁ ସମସ୍ତେ ବେୱାରସ ବୋଲି ମନେ କରନ୍ତି । ସାଧନ, ଭଜନ, କିଛି ନ କରି, ଶାସ୍ତ୍ରାଦି ଚର୍ଚ୍ଚା ନ କରି ଧର୍ମ ବିଷୟରେ ସମସ୍ତେ ମତାମତ ବା ବିଧାନ ଦେବାକୁ ବାହାରନ୍ତି ।

 

ଯେ କୌଣସି ଗୋଟିଏ ଅପରା ବିଦ୍ୟା ଅୟତ୍ତ କରିବାକୁ ଗଲେ କେତେ ବର୍ଷ ଧରି ଜଣେ ବିଦ୍ଵାନ ଶିକ୍ଷକର ଆଶ୍ରୟ ନେବାକୁ ହୁଏ । ପରା ବିଦ୍ୟା ହେଉଛି ଧର୍ମର ସୂକ୍ଷ୍ମାତି ସୂକ୍ଷ୍ମ ପରମାର୍ଥ ତତ୍ତ୍ଵ । ଏହାକୁ ଜୀବନରେ ପ୍ରତିଫଳିତ କରିବା ପାଇଁ ବହୁ ସାଧନା, ଶିକ୍ଷା, ଦୀକ୍ଷାର ଦରକାର ନାହିଁ ବୋଲି ଭାବିବା ନିତାନ୍ତ ବାତୁଳତା ମାତ୍ର ।

 

ସେଥିପାଇଁ ଯଥାର୍ଥ ଭକ୍ତ ବା ସାଧକ ଭଗବନଙ୍କର ଗପଧ୍ୟାବାଦି କରି ଆନନ୍ଦ ପାଏ । ନ କରି ସେ ଦିନେ ମଧ୍ୟ ରହିପାରେ ନା । ସେ ଜାଣେ ଯେ ପ୍ରତି ନିଶ୍ଵାସ ପ୍ରଶ୍ଵାସରେ ହିଁ ଭଗବାନଙ୍କ ନାମ ବ୍ୟତୀତ ଅନ୍ୟ କିଛି ନାହିଁ । ତେଣୁ ତାଙ୍କୁ ଛାଡ଼ିଲେ ପ୍ରାଣ ରହିବ ବା କିପରି ? କିନ୍ତୁ ସାଧାରଣ ଲୋକ ଏ କଥା ବୁଝନ୍ତି ନାହିଁ । ସେମାନେ ବାଜେ କଥାରେ ସମୟ କାଟନ୍ତି । ଶେଷବେଳେ ଝକ୍ ମାରିହୋଇ ମାନନ୍ତି, ହେଲେ ସେତେବେଳେ ନିରୂପାୟ ।

 

ମାୟାର ପ୍ରଭାବ

 

ମାୟା କ’ଣ ? – ଭକ୍ତ-ଅଭକ୍ତ, ସନ୍ନ୍ୟାସୀ, ଗୃହୀ ସମସ୍ତେ ଭଗବାନଙ୍କର ସନ୍ତାନ । ପିଲା ଯେତେବେଳେ ଯାଏ ଖେଳରେ ମାତି ‘ମା’ କୁ ଭୁଲି ରହେ ‘ମା’ ସେତେବେଳେ କହେ ବେଶ୍ ଭଲ ହୋଇଛି ସେ ଖେଳୁଥାଉ । କିନ୍ତୁ ‘ମା’ ସବୁ କାମ କରୁଥାଏ ମନ ପିଲାଠାରେ ଥାଏ । ପିଲା ଯେତେବେଳେ ଖେଳ ଛାଡ଼ି କାନ୍ଦେ, ‘ମା’ ‘ମା’ ଡାକି ବ୍ୟାକୁଳ ହୁଏ ‘ମା’ ସେତେବେଳେ ପିଲାକୁ କୋଳକୁ ନିଏ । ‘ମା’ କୋଳରେ ପିଲାର ଯେତେ ସୁଖ ତା କ’ଣ ଖେଳରେ ଥାଏ । ତଥାପି ପିଲା ଖେଳ ଛାଡ଼େନା, ଏହାକୁ ହିଁ କୁହାଯିବ ମାୟା।

 

ଭଗବାନ ମଙ୍ଗଳମୟ । ଅନ୍ତର୍ଯ୍ୟାମୀ ସେ । ସେ ଜାଣନ୍ତି କାହା ପକ୍ଷରେ କ’ଣ ଆବଶ୍ୟକ ସେହି ଅନୁଯାୟୀ ସେ ସମସ୍ତଙ୍କ ନିମନ୍ତେ ବ୍ୟବସ୍ଥା କରିଥାନ୍ତି । ସେ ଜଣକର ଭଲ କରିବାକୁ ଯାଇ ଅନ୍ୟ କାହାରି ମନ୍ଦ କରନ୍ତି ନାହିଁ । ଆମେ ନ ବୁଝିପାରି ସବୁ ମୋର ମୋର କହି ଆମର ଓ ସ୍ଵଜନଙ୍କ ସୁଖ ଚାହୁଁ ।

 

ଅନ୍ୟ ପ୍ରତି ଆମର ଭ୍ରୁକ୍ଷେପ ନ ଥାଏ । ସଂସାର ଦୁଃଖକୁ ବାଦ ଦେଲେ ଖାଣ୍ଟି ସୁଖ ବୋଲି ନିଛି ଜିନିଷ ନାହିଁ । ଦୁହେଁ ଏପରି ଭାବରେ ମିଶି ଥାଆନ୍ତି ଯେ, ଗୋଟିକୁ ଚାହିଁଲେ ଆରଟି ମଧ୍ୟ ଆସିଯାଏ । ତୁମର ଆମର ଯେପରି ଯଥାର୍ଥ ମଙ୍ଗଳ ହେବ ସେ ବିଧାନ ଭଗବାନ କରନ୍ତି ।

 

ଅନେକ ସମୟରେ କୋଲେ ବାଜେ କଥାରେ ସମୟ କାଟନ୍ତି । ଯେଉଁଥିରେ କି, କିଛି ଆବଶ୍ୟକତା ନ ଥାଏ ବା ମୂଲ୍ୟ ନ ଥାଏ । ସେ ସମୟ ଅଯଥାରେ ଯାଏ ।ସେତିକି ସମୟ ଭଗବାନଙ୍କର ନାମ ଜପି ଥିଲେ ବରଂ ଭଲ ହୋଇଥାନ୍ତା, କିନ୍ତୁ ଏ କଥାରେ ଅନେକଙ୍କର ମନ ବି ମାନେନା ।

 

କାରଣ ତାଙ୍କ ମନକୁ ସେ ଅମାନିଆ କରି ରଖିଛନ୍ତି । ସେପରି ମନ ଏ ଆଧ୍ୟାତ୍ମିକ ଦିଗରେ ମଣ ହୋଇନାହିଁ ବୋଲି କୁହାଯାଇ ପାରେ ।

 

ନାମ ଓ ନାମୀ ଅଭେଦ ଭାବି ତାଙ୍କୁ (ଭଗବାନଙ୍କୁ) ଚିନ୍ତା କରିବ । ନାମ ନଳରେ ନାମୀ ଆପେ ଆସନ୍ତି ।

 

ଜଗତକୁ ଓ ତତ୍ ସହ ଜୀବନକୁ ଏକ ମାୟା ଖେଳନା ବୋଲି ଭାବିଲେ ସବୁ ଖେଳ ଶେଷ ହୋଇଯିବ । ରାତିରେ ଦେଖିବା ସ୍ଵପ୍ନ ଯେପରି ରାତି ପାହିବା ପରେ ମିଥ୍ୟାରେ ପରିଣତ ହୁଏ, ଏ ସଂସାର ଓ ଜୀବଙ୍କର ଅବସ୍ଥା ଠିକ୍ ସେହିପରି । ଏ ଧାରଣା ଦୃଢ଼ ହେଲେ ଏତେଟା ଆସକ୍ତି ସଂସାର ପ୍ରତି ରହିବ ନାହିଁ । କେବଳ କର୍ତ୍ତବ୍ୟ ଓ ସେବା ମନ କର୍ମ କରି ଯିବାକୁ ହେବ ।

 

ପଞ୍ଚମ ଅଧ୍ୟାୟ

 

ଗୁରୁ ଶିଷ୍ୟ

 

ଗୁରୁ କିଏ ? ତ୍ରିତାପ ଦଗ୍ଧ ଜୀବକୁ ଯେ ଶାନ୍ତିର ପଥ ବା ଭଗବାନଙ୍କ ପଥ ଓ ସତ୍ ପଥକୁ ଦର୍ଶାଇ ଦିଅନ୍ତି, ସେହି ହେଉଛନ୍ତି ଗୁରୁ । ସମସ୍ତଙ୍କ ଋଣ ସୁଝି ହୁଏ । ଯଥା ସର୍ବସ୍ଵ ଅର୍ପଣ କରି ସୁଦ୍ଧା ଗୁରୁ ଋଣ ସୁଝି ହୁଏ ନାହିଁ । ବ୍ୟସ୍ତ ହେଲେ ବସ୍ତୁ ଲାଭ ହୁଏନା । ପରମାତ୍ମା ହିଁ ଏକମାତ୍ର ସାର ବସ୍ତୁ ଓ ସତ୍ୟ । ଆଉ ସମସ୍ତ ସଂସାର ହିଁ ପ୍ରପଞ୍ଚ, ଅସାର, ଅବାସ୍ତୁ, ପ୍ରତାରଣାମୟ । ସୁତରାଂ ହେୟ, ଏହି ଜ୍ଞାନ ପକ୍କା ହେବା ଦରକାର ।

 

ପ୍ରକୃତ ଶିଷ୍ୟ

 

ଯେଉଁ ବ୍ୟକ୍ତି ଗୁରୁ ଉପଦେଶକୁ ଅକପଟ-ଶ୍ରଦ୍ଧା ଓ ବିଶ୍ଵାସର ସହିତ ଯଥାର୍ଥ ଭାବରେ ପ୍ରାଣପଣେ ପ୍ରତିପାଳନ କରନ୍ତି ଏବଂ କରିବାକୁ ଚେଷ୍ଟା କରନ୍ତି, ଗୁରୁଙ୍କ ସନ୍ତୋଷ ପାଇଁ ସେବା ପରାୟଣ ହୁଅନ୍ତି ସେ ପ୍ରକୃତ ଶିଷ୍ୟ । ଗୁରୁଙ୍କ ସାମାନ୍ୟ ମନୁଷ୍ୟ ମନେ କରିବା ଉଚିତ ନୁହେଁ, ତାଙ୍କୁ ଈଶ୍ଵର ଜ୍ଞାନରେ ଦେଖି ସମସ୍ତ ହୃଦୟ ଦେଇ ଭଲ ପାଇବା ଓ ଭକ୍ତି କରିଲେ ଧର୍ମ ପଥରେ ଦୃତ ଉନ୍ନତି ହୋଇଥାଏ । ଏହାର ବିପରୀତ ଆଚରଣରେ ଦୁଃଖ, କଷ୍ଚ ହିଁ ସାର ହୋଇଥାଏ ମାତ୍ର । ଏହା ବୁଝି ରଖ ।

 

ଆଉ କେତେ ଲୋକ ଭାବନ୍ତି, ଗୁରୁ ଯେତେବେଳେ ଦୀକ୍ଷା ଦେଇଛନ୍ତି, ସେ ଆମର ସମସ୍ତ ପାପର ଭାର ଗ୍ରହଣ କରିଛନ୍ତି। ଆମର ଆଉ କିଛି କରିବାର ବା ଭାବିବାର ନାହିଁ । ତାଙ୍କରି କୃପାରେ ସବୁ କିଛି ହୋଇଯିବ । ସେମାନଙ୍କର ମନେ ରଖିବା ଦରକାର ଯେ ପାପର ଭାର ଦେବା ଓ ନେବା ଏତେ ସହଜ କଥାରେ ହୁଏ ନାହିଁ । ତାହାହେଲେ ତ ସମସ୍ତେ ନିଷ୍ପାପ ହୋଇଯାଆନ୍ତେ । ପାପର ଭାର ଗୁରୁଙ୍କୁ ଓ ଭଗବାନଙ୍କୁ ଦେବାକୁ ହେଲେ, ତା ସଙ୍ଗେ ସଙ୍ଗେ ପୁଣ୍ୟର ଭାର ମଧ୍ୟ ଦେବାକୁ ହୁଏ । ସୁଖ ଅଂଶଟି ନିଜେ ରଖି ଦୁଃଖ ଭାଗଟି ତାଙ୍କୁ ଦେବ, ଏ କଥା ହୋଇ ପାରିବ ନାହିଁ-। ଯେ ନିଜର ସମସ୍ତ କର୍ମ ଭଗବାନଙ୍କୁ ସମର୍ପଣ କରେ, ତାଦ୍ଵାରା ଆଉ ପାପ କର୍ମ ସମ୍ଭବ ହେବ କିପରି ?

 

ପ୍ରକୃତ ଶିଷ୍ୟର ଭାର ଗୁରୁ ଗ୍ରହଣ କରନ୍ତି

 

ଆଉ ଏକ କଥା ହେଉଛି, ଗୁରୁଙ୍କ ଉପରେ ଯଦି ବୁନ୍ଦିଏ ମାତ୍ର ଶ୍ରଦ୍ଧା, ଭକ୍ତି, ଭଲ ପାଇବା ଥାଏ, ତାହା ହେଲେ ନିଜର ମଇଳା ଆବର୍ଜନାଗୁଡ଼ିକ ଗୁରୁଙ୍କ କାନ୍ଧରେ ଲଦି ତାଙ୍କୁ ଦୁଃଖ ଯନ୍ତ୍ରଣା ଭୋଗ କରାଇବାକୁ ପ୍ରକୃତ ଶିଷ୍ୟର ପ୍ରାଣ ମନ କେବେ କ’ଣ ଚାହିଁବ ? ଗୁରୁ କ’ଣ ମଇଳା ବୁହା ଗାଡ଼ି ନା କ’ଣ ? ଯାହାର ସେପରି ଭକ୍ତି ଓ ଭଲ ପାଇବା ନାହିଁ, ସେ ଘୋର ବିଷୟୀ, ସ୍ଵାର୍ଥପର, ତାହାର ଏପରି ହୀନ ବୁଦ୍ଧି ହୁଏ । ଆଉ ଯାହାର ଗୁରୁଙ୍କ ପ୍ରତି ପ୍ରଗାଢ଼ ଶ୍ରଦ୍ଧା, ଭଲ ପାଇବା ଥାଏ, ସେ ଭୟରେ ଆଉ ପାପ କର୍ମ କରେ ନାହିଁ। ସେ ଜାଣେ ପଛରେ ଏହା ଗୁରୁଙ୍କୁ ଭୋଗିବାକୁ ହେବ । ଏଭଳି ଶିଷ୍ୟର ଦାୟିତ୍ଵ ଗୁରୁ ନିଜେ ବହନ କରିଥାନ୍ତି ।

 

କେହି କାହାର ପାପ ବୋଝ ନେଇ ପାରିବେ ନାହିଁ । ମନ୍ତ୍ର ଦୀକ୍ଷା ଦେଇ ଗୁରୁ ତୁମ୍ଭର ପାପ ଭାର କାନ୍ଧରେ ନେଲେ ବୋଲି ମନେ କରିବା ମହା ଭ୍ରମ । ଏକମାତ୍ର ଭଗବାନଙ୍କ ଅବତାର ହିଁ ଏହା କରି ପାରନ୍ତି । କାରଣ ସେ କୃପାସିନ୍ଧୁ । ପାପୀ ତାପୀ ଉଦ୍ଧାର ନିମନ୍ତେ ତାଙ୍କର ଆବିର୍ଭାବ-। ଭଗବାନଙ୍କୁ କୌଣସି ପାପ ସ୍ପର୍ଶ କରିପାରେ ନାହିଁ । ତେବେ ସୁଦ୍ଧା ସେ ଦେହ ଧାରଣ କରନ୍ତି ବୋଲି ସେ ସବୁ ରୋଗ ରୂପରେ ଦେହରେ ଆଶ୍ରୟ କରି ଦୁଃଖ ଭୋଗାନ୍ତି । କୃତ ପାପର ପ୍ରାୟଶ୍ଚିତ କେବଳ ମାତ୍ର ଅନ୍ତର ଅନୁତାପ ଦ୍ଵାରା ଏବଂ ପାପ ଜୀବନ ତ୍ୟାଗ କରି ସୁଧା ଜୀବନ-ଯାପନ ଦ୍ଵାରା ହିଁ ସମ୍ଭବ । ଜ୍ଞାନାଗ୍ନି ପ୍ରଭାବରେ ପାପରାଶି ଭସ୍ମ ହୋଇଯାଏ ।

 

ନିର୍ବିଚାରରେ ଶିଷ୍ୟ କରିଲେ ଗୁରୁଙ୍କୁ କଷ୍ଟ ଭୋଗିବାକୁ ହୁଏ

 

ତେବେ ଶିଷ୍ୟର କିଛି ପାପ ଗୁରୁଙ୍କ ନିକଟକୁ ଯାଏ; ଏହା ଠିକ୍ । ନିର୍ବିଚାରରେ ଯାହାକୁ ତାକୁ ମନ୍ତ୍ର-ଦୀକ୍ଷା ଦେଲେ, ଗୁରୁଙ୍କର ନିଷ୍ପାପ ଶରୀରରେ କଠିନ ରୋଗ ଆଶ୍ରୟ କରେ । ତାଙ୍କର ଆୟୁ କ୍ଷୟ କରେ । ସ୍ଵାର୍ଥଶୂନ୍ୟ ପରମ କାରୁଣିକ ସଦ୍ଗୁରୁ ଜାଣିଶୁଣି ପରର ହିତ ପାଇଁ ନିଜର ଶରୀର କଥା ଭାବନ୍ତି ନାହିଁ । ଶିଷ୍ୟର କଲ୍ୟାଣ ନିମନ୍ତେ ସେ ନିଜର ଜୀବନ ତିଳତିଳ ଦାନକରନ୍ତି ।

 

ସିଦ୍ଧି ଲାଭର ଉପାୟ

 

ଶରୀର ତ ସାମାନ୍ୟ ତୁଚ୍ଛ କଥା; ସଦ୍ଗୁରୁ ଆଜୀବନ ତପସ୍ୟା ଲବ୍ଧ ନିଜର ଅମୂଲ୍ୟ ପାରମାର୍ଥିକ ଧନ ଅକାତରରେ ପ୍ରତିଦାନ ଆଶା ନ ରଖି, ଶିଷ୍ୟକୁ ଦାନ କରନ୍ତି । ଶିଷ୍ୟ ଯେବେ ଶୁଦ୍ଧ, ସତ୍ତ୍ଵ ଓ ଯଥାର୍ଥ ଭଗବତ୍ ପ୍ରେମୀ ହୁଏ ତା’ ହେଲେ ପ୍ରାଣେ ପ୍ରାଣେ ଗୁରୁଙ୍କର ଅଧ୍ୟାତ୍ମିକ ଶକ୍ତି ସଞ୍ଚାର ଅନୁଭବ କରିପାରେ । ଶ୍ରଦ୍ଧା ଓ ବିଶ୍ଵାସର ସହ ଗୁରୁ ଉପଦିଷ୍ଟ ସାଧନ ପଥରେ ଶିଷ୍ୟ ଯେତେ ଅଗ୍ରସର ହୁଏ ଓ ତାର ଚିତ୍ତ ଯେତେ ନିର୍ମଳ ହୁଏ ତେତେ ସେ ଗୁରୁ ଶକ୍ତିର ଖେଳା ଓ ତାର କୃପା ହୃଦୟରେ ଉପଲବ୍ଧ କରିପାରେ । ଗୁରୁ କୃପା ଓ ଶିଷ୍ୟର ଅକ୍ଳାନ୍ତ ଚେଷ୍ଟାର ସମାବେଶରେ ସିଦ୍ଧି ଲାଭ ହୁଏ ।

 

ଗୁରୁବାକ୍ୟରେ ବିଶ୍ଵାସ କଲେ ଭଗବାନ ମିଳିବେ

 

ଭଗବାନ ଯେତେବେଳେ ତାଙ୍କର ଅସୀମ କୃପାରେ ଗୁରୁ ମୁଖରେ ସିଦ୍ଧ ମନ୍ତ୍ର ଦେଇ ଅଛନ୍ତି ବା ତାଙ୍କର ଚାବିକାଠି ଦେଇଅଛନ୍ତି, ତେଣୁ ଜାଣିବ ସେ ନିଜକୁ ସେଠାରେ ମିଶାଇ ଦେଇଛନ୍ତି, ତେଣୁ ଜାଣିବ ସେ ନିଜକୁ ସେଠାରେ ମିଶାଇ ଦେଇଛନ୍ତି ଏହି ଏହି ଧାରଣା ହୃଦୟରେ ବଳବତ୍ତର ହେବା ଉଚିତ୍‌ । ଯେବେ କେହି ଏପରି ପରମାର୍ଥ ତତ୍ତ୍ୱ ହରାଇ ବସେ ତେବେ ଜାଣିବ ସେ ତାଙ୍କ କୃପାର ଅଯୋଗ୍ୟ । ଈଶ୍ଵର ପ୍ରେମ, ଅନୁରାଗ ଯେ ପର୍ଯ୍ୟନ୍ତ ଅନ୍ତରରେ ଜାଗ୍ରତ ନ ହୁଏ, ସେ ପର୍ଯ୍ୟନ୍ତ ସଂସାର କେବେ ହେଁ ଅନିତ୍ୟ ଓ ଅସାର ବୋଧ ହେବ ନାହିଁ । ଷୋଳଅଣା ମନ ଭଗବାନଙ୍କୁ ନ ଦେଲେ ତାଙ୍କୁ ଲାଭ କରି ହେବ ନାହିଁ ।

 

ଯେବେ ଭଗବାନ ଆସି ପଚାରନ୍ତି – ତୁମେ ମୋତେ ଚାହିଁ ? ନା – ସ୍ତ୍ରୀ, ପୁତ୍ରାଦି ସହ ଐଶ୍ଵର୍ଯ୍ୟଶାଳୀ ହୋଇ ସୁସ୍ଥ କାୟରେ ଶତାଧିକ ବର୍ଷ ବଞ୍ଚି ରହିବାକୁ ଚାହଁ ?

 

ଏ କଥା ଶୁଣି କୋଟିଏ ଲୋକ ମଧ୍ୟରେ କେହି ଜଣେ ଅବା ବ୍ୟକ୍ତି ପ୍ରଥମଟିରେ ରାଜି ହୋଇପାରେ । ମାତ୍ର ଅନ୍ୟ ସମସ୍ତେ ଶେଷ କଥାକୁ ଚାହିଁବେ ।

 

କିଛି ନ କରି ଯେବେ ଗୁରୁ କୃପା ବଳରେ ଭଗବାନ ସହଜରେ ମିଳି ଯାଆନ୍ତେ ତେବେ ତ ଆଉ କିଛି କହିବାକୁ ହୁଅନ୍ତା ନାହିଁ । କିନ୍ତୁ ତାହା ଅସମ୍ଭବ । ଷୋଳଅଣା ମନରୁ କଡ଼ାଏ ବା କ୍ରାନ୍ତିଏ କମ୍ ହେଲେ ଗୁରୁ ବା ଭଗବାନ କେହି ଶୁଣିବେ ନାହିଁ । ଯେ ତାଙ୍କୁ ଖୋଜେ ସେ ତାଙ୍କୁ ପାଏ । ଯେ ତାଙ୍କୁ ନ ଚାହେଁ ସେ ତାକୁ ପଞ୍ଚଭୂତରେ ନଚାଉ ଥାଏ ।

 

ଯଥାର୍ଥ ଗୁରୁସେବା

 

ଗୁରୁଙ୍କ ପ୍ରତି ଅକପଟ ଶ୍ରଦ୍ଧା ଓ ବିଶ୍ଵାସ ନ ଥିଲେ ଆଧ୍ୟାତ୍ମିକ ଜଗତରେ ଉନ୍ନତି ଲାଭ କରାଯାଇ ପାରେ ନାହିଁ । ଗୁରୁବାକ୍ୟରେ ଅବିଶ୍ଵାସ ବା ସଂଶୟ କରିବ ନାହିଁ । ଗୁରୁବାକ୍ୟ ବେଦ ବାକ୍ୟ ବୋଲି ମନେ କରିବ । ଗୁରୁ ଉପଦେଶ ନିର୍ବିଚାରରେ ସର୍ବାନ୍ତଃକରଣରେ ପାଳନ କରିବାକୁ ଚେଷ୍ଟା କରିବ । ମନେ ରଖିବ ଗୁରୁଙ୍କ ପରି ହିତାକାଂକ୍ଷୀ ଇହକାଳ ଓ ପରକାଳରେ ତୁମର ଅନ୍ୟ କେହି ନାହାନ୍ତି । ଗୁରୁ ଉପଦିଷ୍ଟ ପନ୍ଥା ନିଷ୍ଠାର ସହ ସାଧନ କରିବା ହିଁ ତାଙ୍କର ଯଥାର୍ଥ ସେବା ବୋଲି ଜାଣିବ । ଏହାଦ୍ଵାରା ଗୁରୁ ବେଶୀ ସନ୍ତୁଷ୍ଟ ହୁଅନ୍ତି। ତାଙ୍କ ପ୍ରତି ସନ୍ଦେହ ବୃଦ୍ଧିର ଆଶ୍ରୟ ନେଲେ ଦୈବ ଦଣ୍ଡର ବିଧାନ ରହିଛି ।

 

ଗୁରୁ, ଦେବତା ବା ସାଧୁ ଦର୍ଶନ ବାହାରିଲେ ଖାଲି ହାତରେ ଯିବାର ବିଧି ନୁହେଁ; ତେଣୁ କିଛି ନ ହେଲେ ଫୁଲଦୁଇଟା ନେବା ଦରକାର ।

 

 

 

 

ଗୁରୁକରଣ ଏବଂ ଗୁରୁଙ୍କର ଆବଶ୍ୟକତା

 

ଡାକ୍ତରଙ୍କ ସହିତ ପରାମର୍ଶ ନ କରି କେବଳ ଡାକ୍ତରୀ ବହି ପଢ଼ି ଔଷଧ ଖାଇବା ବୁଦ୍ଧିମାନ ବ୍ୟକ୍ତିର କାମ ନୁହେଁ। କାରଣ ଏହା ହିତ ପରିବର୍ତ୍ତେ ଅହିତ ହୋଇଥାଏ । ସେହିପରି ବହି ପଢ଼ି ସାଧନା କରି ବସିଲେ ଚିତ୍ତ ବିଭ୍ରମ ହୁଏ । ଶ୍ରମ ବୃଥା ହୁଏ । ନିଜର ଅନିଷ୍ଟ, ଯଥା ହୃଦ୍ରୋଗ ଆଦି ପ୍ରକାଶ ପାଏ । ନନା ଶାସ୍ତ୍ରରେ ନାନା ଉପଦେଶ କୁହାଯାଇଥାଏ, କିନ୍ତୁ ଅଧିକାରୀ ଭେଦରେ କାହାପକ୍ଷେ କେଉଁଟି ଉପଯୁକ୍ତ ଓ ସୁଗମ; ଏ କଥା ଗୁରୁ ମୁଖରୁ ଶୁଣି ଭଲ ଭାବରେ ବୁଝି କରିବା ଉଚିତ୍ । ତେଣୁ ପ୍ରତ୍ୟେକବିଦ୍ୟାରେ ଗୁରୁଙ୍କର ଆବଶ୍ୟକତା ରହିଛି ।

 

ଗୁରୁ ଯାହା ଶିକ୍ଷା ଦେବେ ତାହା ହିଁ ତୁମର ଏକମାତ୍ର ପଥ ବୋଲି ଜାଣିବ । ଗୁରୁମନ୍ତ୍ର, ବାକ୍ୟ, ଉପଦେଶାଦିରେ ଶ୍ରଦ୍ଧା, ବିଶ୍ଵାସ ରଖି ନିଷ୍ଠା ପୂର୍ବକ ପାଳନ କଲେ ସିଦ୍ଧି ଲାଭ ନିଶ୍ଚୟ ହେବ-। କାହା କଥାରେ ସେ ବାଟ ଛାଡ଼ି ଅନ୍ୟବାଟ କେବେହେଲେ ଧରିବ ନାହିଁ, ଏଣୁ ସଦ୍ଗୁରୁ ଆଶ୍ରୟ ଶ୍ରେୟସ୍କର ।

 

ଗୁରୁମନ୍ତ୍ର କ’ଣ ? – ଯେଉଁ ଶଦ୍ଦ ବା ନାମ କର୍ଣ୍ଣରେ ପ୍ରବେଶ କରି ମନରୁ ଅବିଦ୍ୟା ନାଶକରେ ଓ ପରିତ୍ରାଣ ଦାନ କରେ ତାକୁ ହିଁ ଗୁରୁମନ୍ତ୍ର କୁହାଯାଏ ।

 

 

 

 

 

ସଦ୍‍ଗୁରୁଙ୍କ ସ୍ଵରୂପ

 

ସୃଷ୍ଟି, ସ୍ଥିତି ଓ ପ୍ରଳୟ ଆଦି ଘଟଣାଗୁଡ଼ିକର ସାମାନ୍ୟ ବ୍ୟତିକ୍ରମରେ ସୃଷ୍ଟିର ଭାରସାମ୍ୟରେ ଆଞ୍ଚ ଆସେ । ଏଣୁ ସୃଷ୍ଟି କର୍ତ୍ତା ଏହି ନିୟମର ପୁନଃ ସଂସ୍ଥାପନ ପାଇଁ ନିଜକୁ ବିଭିନ୍ନ ଭାବରେ ବ୍ୟକ୍ତି କରନ୍ତି । ସେ ନିଜେ ସଦ୍ଗୁରୁ ରୂପରେ ମଣିଷ ସଂସ୍ଥାପନ ପାଇଁ ନିଜକୁ ବିଭିନ୍ନ ଭାବରେ ବ୍ୟକ୍ତ କରନ୍ତି । ସେ ନିଜେ ସଦ୍‌ଗୁରୁ ରୂପରେ ମଣିଷ ସମାଜରେ ବିଦ୍ୟମାନ ରହି ସତ୍ମାର୍ଗ ଦର୍ଶାଇ ଦେଉଛନ୍ତି। ଶାସ୍ତ୍ର ସଦ୍ଗୁରୁ ଓ ଭଗବାନ ଏମାନଙ୍କ ଭାଷା ଅଭିନ୍ନ । ସତ୍ ଶାସ୍ତ୍ରର ବାଣୀ ହିଁ ଶ୍ରୀଗୁରୁଙ୍କ ଆଦେଶ ଓ ଭଗବାନଙ୍କ ସ୍ଵରୂପ ହିଁ ଶ୍ରୀଗୁରୁଦେବଙ୍କର ପରିପ୍ରକାଶ । ଏଣୁ ସଦ୍ଗୁରୁଙ୍କର ଆଦେଶ ପାଳନ ହିଁ ଯଥାର୍ଥ ଧର୍ମ ପାଳନ । ସଦ୍ଗୁରୁଙ୍କ କାର୍ଯ୍ୟ ଅତିମାନସ । ଏହା ପରୀକ୍ଷା କରିବାକୁ ଶିଷ୍ୟ ଚିର ଅସମର୍ଥ । ଏଣୁ ଶିଷ୍ୟର ନିର୍ବିବାଦରେ କେବଳ ଆଦେଶ ପାଳନ ହିଁ ଶ୍ରେୟ-। ସଦ୍‍ଗୁରୁ କ’ଣ କରନ୍ତି, ତାହା କେବଳ ତାଙ୍କୁ ହିଁ ଜଣା । ପରମ ସତ୍ୟର ଧାରା ସହ ସଦ୍ଗୁରୁ କରନ୍ତି, ତାହା କେବଳ ତାଙ୍କୁ ହିଁ ଜଣା । ପରମ ସତ୍ୟର ଧାରା ସହ ସଦ୍ଗୁରୁ ଓ ଭଗବାନ ଏକାଭୂତ ହୋଇଥାନ୍ତି । ଏଣୁ ଗୁରୁ ବାକ୍ୟ ହିଁ ଶିଷ୍ୟ ପାଇଁ ମନ୍ତ୍ର ସଦୃଶ । କାରଣ, ସଦ୍ଗୁରୁ ହିଁ ଚିରନ୍ତନ, ସବୁ କାଳରେ ସମାନ-। ସଦ୍‍ଗୁରୁ ହିଁ ସତ୍ୟର ସଚଳ ବିଗ୍ରହ । ଶାସ୍ତ୍ର ବାକ୍ୟ, ଗୁରୁବାକ୍ୟ ଓ ଈଶ୍ଵର ବାକ୍ୟ, ଏ ସମସ୍ତ ତ୍ରିଜଗତର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏଣୁ ପ୍ରତ୍ୟେକ ବ୍ୟକ୍ତି ସତ୍ୟାଶ୍ରୟୀ ଓ ଧାର୍ମିକ ହେବା ଉଚିତ୍ ।

 

 

 

 

ଗୁରୁ କେଉଁ ମନ୍ତ୍ର ଦାନ କରନ୍ତି ?

 

ଯେଉଁ ମନ୍ତ୍ର ଜପି ଋଷିମାନେ ସିଦ୍ଧ ହୋଇଥିଲେ, ସଦ୍ଗୁରୁ ସେଇ ମନ୍ତ୍ର ପ୍ରଦାନ କରନ୍ତି । ସେ ଯାହା ତାହା ମନଗଢ଼ା ମନ୍ତ୍ର ଦିଅନ୍ତି ନାହିଁ। ଯାହା ଗୁରୁ ପରଂପରାରେ ଚଳି ଆସୁଛି, ତାହା ହିଁ ସେ ଦିଅନ୍ତି । ସେଥିରେ ଅଶ୍ରଦ୍ଧା ବା ଅବିଶ୍ଵାସ କରିବାକୁ ନୁହେଁ । ଦୀର୍ଘକାଳ ମନ୍ତ୍ରଜପ କରି ସୁଦ୍ଧା ଯେବେ ମନରେ ଏକାଗ୍ରତା କିମ୍ବା ପବିତ୍ରତା ଲାଭ ନ ହୁଏ ତେବେ ତାହା ମନ୍ତ୍ରର ଦୋଷ ବୋଲି ଭାବିବ ନାହିଁ । ସେ ଦୋଷ ନିଜର । ସେଗୁଡ଼ିକୁ ଖୋଜି, ବୁଝି ସୁଧାରିବାକୁ ଚେଷ୍ଟା କରିବ । ଏହା ନ କରି ମୁଖରେ ମନ୍ତ୍ର ଜପି କିମ୍ବା ଗୁରୁ ପରିବର୍ତ୍ତନରେ କିଛି ଲାଭ ହେବ ନାହିଁ । ତେଣୁ ମନ ଓ ମୁଖ ଦୁଇକୁ ଏକ କରି ମନ୍ତ୍ର ଜପ କରିବାକୁ ହୁଏ ।

 

ମନ୍ତ୍ର ଶକ୍ତିର ପ୍ରୟୋଗ ବିଧି

 

ମନ୍ତ୍ରକୁ ମହାଶକ୍ତିର ଆଧାର ଇଷ୍ଟର ସ୍ଵରୂପ ବୋଲି ମନେ କରିବ । ସ୍ଥୁଳକୁ ଧରି ସୂକ୍ଷ୍ମରେ ଓ ସୂକ୍ଷ୍ମକୁ ଧରି ମହା ସୂକ୍ଷ୍ମରେ ପହଞ୍ଚିବାକୁ ହୁଏ । ସେହି ମହାସୂକ୍ଷ୍ମ ବାକ୍ୟ ଓ ମନର ଅତୀତ । ଧ୍ୟାନର ଗୁଢ଼ ରହସ୍ୟ ହେଉଛି ହୃଦୟରେ ଜୀବାତ୍ମାର ଯଥାର୍ଥ ସ୍ଵରୂପ ପରମାତ୍ମାଙ୍କୁ ବା ସଗୁଣ ବ୍ରହ୍ମ ପରମେଶ୍ଵରଙ୍କୁ ସ୍ଥାପନ କରି ତା’ର ଜ୍ୟୋତିର୍ମୟ, ଆନନ୍ଦମୟ, ପ୍ରେମମୟ ରୂପକୁ ଭାବି, ବିଷୟାସକ୍ତି ବର୍ଜିତ ମନକୁ ତଦ୍ଗତ କରିବା ପାଇଁ ଅଭ୍ୟାସ କରିବା । ଯେତେବେଳେ ଏହି ଭାବ ପରିପୂର୍ଣ୍ଣତା ଲାଭ କରେ ସେତେବେଳେ ମନ ଇଷ୍ଟରେ ସମାବିଷ୍ଟ ହୋଇଯାଏ । ଏହି ଅବସ୍ଥାକୁ ସମାଧି କୁହାଯାଏ ।

 

ଗୁରୁ ଦକ୍ଷିଣା ଓ ଶିଷ୍ୟଠାରେ ଶକ୍ତି ସଂଚରଣ

 

ଗୁରୁଦତ୍ତ ମନ୍ତ୍ରର ଆପ୍ରାଣ ସାଧନା ଓ ଗୁରୁଙ୍କ ଉପଦେଶ ଜୀବନର ଶେଷ ନିଶ୍ଵାସ ତ୍ୟାଗ ପର୍ଯ୍ୟନ୍ତ ପାଳନ କରିବାକୁ ପ୍ରଯତ୍ନ କରିବା ହେଉଛି ଯଥାର୍ଥ ଗୁରୁ ଦକ୍ଷିଣା । ଗୁରୁଙ୍କ ପ୍ରୀତି ଲାଭ ଓ ନିଜର ସିଦ୍ଧି ଲାଭ ପାଇଁ ଏହା ହେଉଛି ଶ୍ରେଷ୍ଠ ଉପାୟ । ପିତା ସନ୍ତାନ ନିକଟରେ, ଗୁରୁ ଶିଷ୍ୟ ନିକଟରେ ପରାଜୟ ଇଚ୍ଛା କରନ୍ତି । ସେ ଚାହାନ୍ତି ତାଙ୍କର ସନ୍ତାନ ବା ଶିଷ୍ୟ ତାଙ୍କ ଅପେକ୍ଷା ଅଧିକ ଯୋଗ୍ୟ ହୁଅନ୍ତୁ । ଭଗବାନ ହେଉଛନ୍ତି ଗୁରୁଙ୍କର ଗୁରୁ । ସେ ଯନ୍ତ୍ରୀ । ମନୁଷ୍ୟରୂପୀ ଗୁରୁ ତାଙ୍କର ଯନ୍ତ୍ର ସ୍ଵରୂପୀ । ଗୁରୁଙ୍କ ମଧ୍ୟ ଦେଇ ଭଗବାନଙ୍କ ଶକ୍ତି ଶିଷ୍ୟଠାରେ ସଞ୍ଚାରିତ ହୋଇଥାଏ ।

 

ସଦ୍‍ଗୁରୁ ମନ୍ତ୍ର ଦୀକ୍ଷା ଦ୍ଵାରା ଶିଷ୍ୟକୁ ସାଧନାଲବ୍ଧ ପରମ ଗୁହ୍ୟତର ତତ୍ତ୍ଵଦାନ କରନ୍ତି । ସେ ଗୋପନୀୟ ପରମ ବିଦ୍ୟାକୁ ବ୍ୟାବହାରିକ ବୁଦ୍ଧିର ମାପକାଠି ଦେଇ ମାପ୍-ଚୁପ୍ କରିବ ନାହିଁ, କିମ୍ବା ଯଚେଇ କରି ବୁଲିବ ନାହିଁ । କରିବା ମାନେ ହୀରାର ଦାମ ବାଇଗଣ ବୋଝ ମୂଲ୍ୟରେ ପରିଣତ ହେବ ସିନା ! ଏସବୁ ତର୍କ ବିଚାରର ବିଷୟ ନୁହେଁ । ଏହା ଅତି ଗୋପନୀୟ ବିଷୟ । ଗୁରୁ ଉପଦେଶ ବିଶ୍ଵାସ ରଖି ସାଧନ ଭଜନ କଲେ, ପରଦା ପରେ ପରଦା ଆପେ ଆପେ ଖୋଲି ହୋଇଯାଏ ।

 

ଭକ୍ତିରେ ପୂଜା ପ୍ରକୃତି ପୂଜା

 

ମନ୍ତ୍ରରେ ଦୀକ୍ଷିତ ହେବା ପରେ ପରେ ନିଜର ଇଷ୍ଟ ପୂଜା କରିବ । ଦୀକ୍ଷା ପରେ ଦେହ ଶୁଦ୍ଧ ହୁଏ । ତା’ ଏପରେ ବିଶ୍ଵାସ ରଖି ଫୁଲ, ଚନ୍ଦନ ମାଳାରେ ମନ ମୁତାବକ ସଜାଇବ । ଭକ୍ତିର ପୂଜାରେ କୌଣସି ବିଧି ନିଷେଧ ନାହିଁ । ତନ୍ତ୍ର, ମନ୍ତ୍ର, ମୁଦ୍ରାଦିର ଦରକାର ନାହିଁ । ଦରକାର କେବଳ ଶ୍ରଦ୍ଧା, ବିଶ୍ଵାସ ଓ ଭଲ ପାଇବା । ପୂଜାବେଳେ ମନେ କରିବ ତୁମର ନିବେଦିତ ଦ୍ରବ୍ୟାଦି ଯେତେ ସାମାନ୍ୟ ହେଲେ ମଧ୍ୟ ସେ ଗ୍ରହଣ କରୁଛନ୍ତି । ତୁମେ ଯାହା ଖାଇବ ତାଙ୍କୁ ନିବେଦନ କରିବ । ଭାବିବ ସେ ସବୁ ତାଙ୍କର ଦୟାର ଦାନ ବା ପ୍ରସାଦ ।

 

ଷଷ୍ଠ ଅଧ୍ୟାୟ

 

ଧାର୍ମିକ ଜୀବନରେ ନୀଚ ବୃତ୍ତି

 

ଅନେକଙ୍କର ଧାରଣା ସଦ୍ଗୁରୁଙ୍କଠାରେ ମନ୍ତ୍ର, ଦୀକ୍ଷା ନେଲେ ତାଙ୍କ କୃପାରେ ସବୁ ଦୁଃଖ ଅପସରି ଯିବ । ଦୁରାରୋଗ୍ୟ ବ୍ୟାଧି ଭଲ ହୋଇଯିବ । ମନମୁତାବକ ଚାକିରି ମିଳିବ ।ଧନ ସଂପଦ ଲାଭ ହେବ । କନ୍ୟାଦାୟରୁ ମୁକ୍ତି ମିଳିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯବ । ମାଲି-ମକଦ୍ଦମାରେ ଜୟ କରିବ । ଶନି ଦଶା ନିବାରଣ ହେବ । ବ୍ୟବସାୟ ବାଣିଜ୍ୟରେ ଲାଭ ହେବ । ଅଶାନ୍ତି ଦୂର ହେବ । ଆଉ କେତେ କ’ଣ ଯେ ହେବ ତାର କିଛି ଠିକଣା ନାହିଁ । ଏପରି ଧାରଣା ନିତାନ୍ତ ଭ୍ରମ । ଦୀକ୍ଷା ବା ଧର୍ମ ଲାଭ ସହିତ ଏ ସବୁ ଐହିକ ଲାଭ ବା ବେପାରର କୌଣସି ସମ୍ଵନ୍ଧ ନାହିଁ ।

 

ଏ ସବୁ ପାଇଁ ଗୁରୁଙ୍କ ନିକଟରେ ଦାବୀ କରିବା କିମ୍ବା ଆପତ୍ତି ଅଭିଯୋଗ କରିବା ନିତାନ୍ତ ନୀଚତାର ପରିଚୟ । ଧାର୍ମିକର ଲକ୍ଷଣ ଆଦୌ ଏପରି ନୁହେଁ । ଗୁରୁ ତ ଏହାର ହର୍ତ୍ତା, କର୍ତ୍ତା ବା ବିଧାତା ନୁହନ୍ତି । ତାଙ୍କୁ ଏ ସବୁରେ ବିବ୍ରତ କରିବା ଅତି ଅନ୍ୟାୟ । ଏହା ଦ୍ଵାରା ତାଙ୍କର ଆଶୀର୍ବାଦ ଲାଭ ଅପେକ୍ଷା ବିରାଗ ଭାଜନ ହେବାକୁ ପଡ଼େ । ତାଙ୍କ ସହିତ କେବଳ ପରମାର୍ଥିକ ସମ୍ବନ୍ଧ ରଖିବା ଉଚିତ ଅଟେ ।

 

 

 

 

ବେପାରୀ ବୁଦ୍ଧି ଧାର୍ମିକ ଜୀବନରେ ପରିତ୍ୟାଜ୍ୟ

 

ସକାମ ଭାବରେ ସେବା ବା ଉପାସନା ବେପାରୀଦର ମାତ୍ର । ତଦ୍ଵାରା ଠିକ୍ ଭାବରେ ଧର୍ମ୍ମ ଲାଭ ହୁଏନା, ଫଳ ଲାଭ ଯାହା ହୁଏ ଅତି ଅଳ୍ପ, ତୁଚ୍ଛ ଓ ଅସ୍ଥାୟୀ । ସହଜରେ ତାହା କ୍ଷୟ ହୋଇଯାଏ । ସକାମ ଉପାସନାରେ ଚିତ୍ତ ଶୁଦ୍ଧି ହୁଏ ନାହିଁ । ଭକ୍ତି, ମୁକ୍ତି ବା ଆନନ୍ଦ ମିଳେ ନାହିଁ । ଭଗବାନଙ୍କୁ ପାଇବାକୁ ହେଲେ ଏ ଜୀବନରେ ଶକ୍ତି ସାମର୍ଥ୍ୟ ଦେଇ ସାଧନ-ଭଜନ କରିବାକୁ ହେବ। ତାଙ୍କୁ ସର୍ବସ୍ଵ ଅର୍ପଣ କରିବାକୁ ହେବ ।

 

ଜାଣିରଖ, ତୁମେ ଯେତେ ଯାହା କରନା କାହିଁକି ଭଗବାନଙ୍କୁ ପାଇବା ପାଇଁ ତାହା ଯଥେଷ୍ଟ ନୁହେଁ । ତାଙ୍କରି କୃପା ବ୍ୟତୀତ କିଛି ହୋଇପାରିବ ନାହିଁ । ଯେ ନିଜର ସାଧ୍ୟାନୁଯାୟୀ ସର୍ବଦା ଚେଷ୍ଟା କରି ଚାଲିଛି, ସାଧନା ପଥରୁ ଟିକିଏ ନିଜକୁ ବଞ୍ଚିତ କରୁ ନାହିଁ, ଭୀଷଣ ତରଙ୍ଗରେ ପଡ଼ି ମଧ୍ୟ ଆହୁଲା ଛାଡ଼ୁ ନାହିଁ, ତାହାରି ପ୍ରତି ତାଙ୍କରକୃପାଧାରା ଝରିପଡ଼େ । ମନୁଷ୍ୟ ଚେଷ୍ଟା କରୁ କରୁ ଯେତେବେଳେ ତାକୁ ସବୁ ଅସାଧ୍ୟ ମନେ ହୁଏ, ଚତୁର୍ଦିଗ ତାକୁ ଅନ୍ଧକାରମୟ ଦେଖାଯାଏ, ଅଥଳ ଅକୂଳ ସମୁଦ୍ରରେ ଅବସାଦଗ୍ରସ୍ତ ହୋଇ ସେ ବୁଡ଼ିଯିବାକୁ ବସେ ସେତେବେଳେ ଭଗବାନ ତାଙ୍କର ବଳିଆର ଭୁଜ ବଢ଼ାଇ ତାହାକୁ ଉଠାଇ ନିଅନ୍ତି । ତା’ ପରେ ଅନନ୍ତ ଶାନ୍ତି ।

 

ଦେଖାଯାଏ କେତେକ ବ୍ୟକ୍ତି ଦୀକ୍ଷା ନେବା ପରେ କେତେକ ଦିନ ଜପ, ଧ୍ୟାନାଦିରେ ଲାଗି ପଡ଼ନ୍ତି ଓ ବେଶ୍ ଆନନ୍ଦ ମଧ୍ୟ ପାଆନ୍ତି । ତା’ ପରେ ସେ ଭାବ କ୍ରମଶଃ ହଠାତ୍ ଉଭେଇଯାଏ, ଆଉ ଭଲ ଲାଗେ ନାହିଁ ।      

 

ହୃଦୟଟା ଫାଙ୍କା ଫାଙ୍କା ଲାଗେ, ଅସହାୟ ପରି ମେନ ହୁଏ । ଏଥିପାଇଁ ଭୟ କରିବା କିମ୍ବା ନିରାଶ ହେବାର କିଛି କାରଣ ନାହିଁ । ସବୁ କ୍ଷେତ୍ରରେ ଜିଆର-ଭଟ୍ଟା ଅଛି, ମିଳନ ଓ ବିରହ ଅଛି । ଯାହାର ଅନ୍ତରରେ ଧର୍ମ ଲାଭ ବା ଭଗବାନ ଲାଭର ତୀବ୍ର ଆକାଂକ୍ଷା ଜାଗେ, ତାର ଏପରି ହେବା ଦ୍ଵାରା ବ୍ୟାକୁଳତା ବଢ଼େ । ସେ କାତରରେ କାନ୍ଦେ । କୃପା ଭିକ୍ଷା କରେ । ଉତ୍ସାହ ଦୁଇଗୁଣ ବଢ଼ିଯାଏ ।

 

କେହି କେହି ପାରନ୍ତି କି, ଯେବେ ମନ୍ତ୍ର ଦ୍ଵାରା ଅବିଦ୍ୟା ବା ଅଜ୍ଞାନ ନାଶ ହେଲେ ଜୀବ ମୁକ୍ତିର ଅଧିକାରୀ ହେବ, ତେବେ ବୃଥାରେ ମୁକ୍ତି ପାଇଁ ଚେଷ୍ଟା କରିବା କାହିଁକି ? ନାଁ,ଏପରି ଭାବନା ଭ୍ରମ, ବରଂ ଯେତେବେଳେ ଅଶେଷ ଯନ୍ତ୍ରଣା ପାଇ ମନ୍ତ୍ରାଦି ଭଜନ ସାଧନରେ ବୈରାଗ୍ୟ ଉଦୟ ହୁଏ ଓ ଜୀବ ଏକାନ୍ତ ଭାବରେ ଭଗବାନଙ୍କର ଶରଣାଗତ ହୁଏ, ସେତେବେଳେ ପରମ କାରୁଣିକ ପରମେଶ୍ଵର ତାକୁ ସମସ୍ତ ପାପରୁ ମୁକ୍ତ କରନ୍ତି । ଭଗବାନ ଗୀତାରେ ବାରମ୍ବାର ଏହା କହିଛନ୍ତି ।

 

ସାଧନା ବିନା ସିଦ୍ଧି ନାହିଁ

 

ଅନେକ ବ୍ୟକ୍ତି ଦୀକ୍ଷା ନେବା ପରେ ଗୁରୁଙ୍କୁ କହନ୍ତି, “ବାବ ! ମୁଁ କିଛି କରି ପାରିବି ନାହିଁ-। ଆଜିଠାରୁ ଆପଣଙ୍କ ଉପରେ ସବୁ ଭାର ଦେଇ ମୁଁ ଖଲାସ ହେଲି” । ଏକଥା କେବଳ ଫାଙ୍କି ମାରିବା ବ୍ୟତୀତ ଅନ୍ୟକିଛି ନୁହେଁ । କିଛି ନ କରିବାର ଏ ଏକ ମତଲବ । ଧର୍ମ ଲାଭଟା କ’ଣ ଏତେ ସହଜ ଜିନିଷ ? ଯେପରି ଭାବ ସେପରି ଲାଭ । କେବଳ ମୁଖରେ କହିଦେଲେ କ’ଣ ସବୁ ଭାର ଦେଇ ହୋଇଯିବ ? ତାହା ବହୁ ସାଧନା ସାପେକ୍ଷ । ନିଜର ଅହଂ ପ୍ରବୃତ୍ତିକୁ ବଳି ଦେଇ ସଂପୂର୍ଣ୍ଣ ଭାବରେ ଆତ୍ମ ସମର୍ପଣ କଲେ ସିନା ହେବ । ଧନ, ସମ୍ପତ୍ତି ପାଇଁ ଦିନ-ରାତି ଘୂରି ବୁଲି ଖଟି ଖଟି ମରିବା ବେଳେ ଈଶ୍ଵର ଲାଭ ପାଇଁ ସମୟ ନାହିଁ – ଏ କିପରି କଥା ?

 

ସପ୍ତମ ଅଧ୍ୟାୟ

 

ଆଧ୍ୟାତ୍ମିକତାର ଉପାଦାନ

 

ପ୍ରତିଦିନ କିଛିକ୍ଷଣ ବସି ସାଧନ-ଭଜନ କରିବାକୁ କହିଲେ କେତେକ କହନତି ସମୟ ଅଭାବ । ମୁଁ କହେ ସମୟ ଅଭାବ କାହିଁକି ? ଅନ୍ୟସବୁ କାର୍ଯ୍ୟ କରିବାକୁ ସମୟ ହେଲା, ହଜାର ହଜାର ତୁଚ୍ଛ ନିନ୍ଦନୀୟ କାର୍ଯ୍ୟ କରିବାକୁ ସମୟତ ଲୋକଙ୍କୁ ମିଳିଲା, ଦଶ ପନ୍ଦର ମିନିଟ୍ ଈଶ୍ଵରୀୟ କର୍ମ କରିବାକୁ ସମୟ ଅଭାବ ହେଉଛି । ତାହା ନୁହେଁ ଯେ, ଏଥିରେ ଆନ୍ତରିକତାର ଅଭାବ । ତୃଷ୍ଣା ନିବାରଣ ନିମନ୍ତେ ଯେପରି ଜଳ, କ୍ଷୁଧା ନିବାରଣ ନିମନ୍ତେ ଯେପରି ଆହାର, ବଞ୍ଚିବା ପାଇଁ ଯେପରି ବାୟୁର ଆବଶ୍ୟକତା ରହିଛି, ସେପରି ପରମାର୍ଥ ବସ୍ତୁ ପାଇଁ ଜପ, ଧ୍ୟାନ, ପ୍ରାର୍ଥନାଦି ବିଶେଷ ପ୍ରୟୋଜନ । ଏହାଦ୍ଵାରା ଶରୀରରେ ଶକ୍ତି ସଞ୍ଚୟ ହୁଏ ।

 

ଜପ ସାଧନ ପ୍ରଣାଳୀ

 

ଜପ ପ୍ରଥମରେ ମନେ ମନେ ସ୍ପଷ୍ଟ କରି ଧୀରେ ଧୀରେ କରିବାକୁ ହୁଏ । ସେଥିପାଇଁ ସାମାନ୍ୟ ବିଳମ୍ବ ହୁଏ । କ୍ରମେ ଅଭ୍ୟାସ ହୋଇଗଲେ ଶୀଘ୍ର ହୋଇପାରିବ । ଜପ ବେଳେ ମନକୁ ମନ୍ତ୍ରରେ ଓ ମନ୍ତ୍ରର ପ୍ରତିପାଦ୍ୟ ଇଷ୍ଟଙ୍କ ଠାରେ ଏକାଗ୍ର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ନିଜେ ଚେଷ୍ଟା ନ କଲେ ଗୁରୁ ତୁମ ପାଇଁ କରିଦେବେ ନାହିଁ । ଗୁରୁ ତୁମକୁ ପଥ ଦେଖାଇଦେବେ ଏବଂ ଭୁଲ ଓ ସଂଶୟ ଦୂର କରା ଦେବେ; ବିପଥରେ ଗଲେ ସାବଧାନ କରାଇଦେବେ, ବାଟକୁ ଉଠାଇ ଦେବେ । ଆଉ ମଧ୍ୟ ହାତ ଧରି କେତେକ ବାଟ ଆଗେଇ ଦେଇ ପାରନ୍ତି । କିନ୍ତୁ ତୁମେ ଯେବେ ନ ଚାଳିବ, ତେବେ ସେ କ’ଣ ତୁମକୁ କାନ୍ଧେଇ ନେବେ ?

 

ଜପ କଲାବେଳେ କେତେକ ବ୍ୟକ୍ତି ଅଙ୍ଗୁଳି ରେଖା ବା ମାଳା ଦ୍ଵାରା ସଂଖ୍ୟା ରଖନ୍ତି । ଏହାର କାରଣ ହେଲା ମନକୁ ଅନ୍ୟାନ୍ୟ ବିଷାୟାଦି ଦିଗରେ ଯିବାକୁ ନ ଦେବା, ତା ନ ହେଲେ ମନ କେତେବେଳେ ଏକଡ଼ ସେକଡ଼ ହୋଇଯାଏ ଏବଂ ତନ୍ଦ୍ରା ମଧ୍ୟ ଆସିପାରେ, ଏସବୁଥିରୁ ମନକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏହା ପ୍ରଥମାବସ୍ଥାରେ ଅବଲମ୍ବନ କରାଯାଇଥାଏ । ଏହାଦ୍ଵାରା ମନକୁ ଅନ୍ୟଠାରୁ ଫେରାଇ ଆଣି ଧ୍ୟୟେ ବସ୍ତୁରେ ଲଗାଇ ରଖିବାକୁ ହୁଏ । ମନ ଲାଗିଗଲେ ଆଉ ଏ ସବୁର ଦରକାର ହୁଏ ନାହିଁ ।

 

ଜପ କରିବା ସମୟରେ ଇଷ୍ଟ ମୂର୍ତ୍ତିର ଧ୍ୟାନ କରିବାକୁ ହେବ । ତାହା ନା ହେଲେ ଜପ ଜମିବ ନାହିଁ । ପ୍ରଥମାବସ୍ଥାରେ ପୂର୍ଣ୍ଣ ମୂର୍ତ୍ତିର ଧ୍ୟାନ ଆରମ୍ଭ କରିବାକୁ ହେବ । ଏଥିରେ ସଫଳ ନ ହେଲେ ବି ବାରମ୍ବାର ଚେଷ୍ଟା କରିବାକୁ ପଡ଼ିବ । ମନକୁ ଅନ୍ୟ ବିଷୟରୁ ଗୋଟେଇ ଆଣି ଧ୍ୟେୟ ବସ୍ତୁରେ ସ୍ଥିର ରଖିବାକୁ ବାରମ୍ବାର ଚେଷ୍ଟା କରିବାକୁ ହେବ ।

 

ଜୋର କରି ବେଶୀ ଜପ-ଧ୍ୟାନ କରିବ ନାହିଁ । ତାହାଦ୍ଵାରା ଅତିରିକ୍ତ କ୍ଲାନ୍ତି ବା ଅବସାଦ ଆସେ ଏବଂ ହିତ ବଦଳରେ ବରଂ ଅହିତ ହେବାର ଦେଖାଯାଏ । ଧୀରେ ଧୀରେ ଜପ-ଧ୍ୟାନର ସମୟ ବଢ଼ାଇବ । ଆନ୍ତରିକତା ଓ ଦୃଢ଼ ସଂକଳ୍ପ ଥିଲେ ବିଭୁ କୃପାରେ ସମୟାନୁସାରେ ସବୁ ହୋଇଯିବ । ନିଷ୍ଠା, ଅଧ୍ୟବସାୟ ଓ ଧୈର୍ଯ୍ୟର ସହ ଜପ-ଧ୍ୟାନ କରିଯାଅ । କ୍ରମେ ମନ ସ୍ଥିର ହେବ ଓ ଧ୍ୟାନ ଜମିବ । ଏହା ଏକ ପ୍ରକାର ନିଶାର ରୂପ ନେବ । ଦିନେ ନ କଲେ କିଛି ଭଲ ଲାଗିବ ନାହିଁ-। ମହା ଅଶାନ୍ତି ବୋଧ ହେବ । ସବୁ କାମ ଗୋଳମାଳ ହୋଇଯିବ ।

 

ଯେତେବେଳେ ଜପ ଓ ଧ୍ୟାନ କରୁଛ, ତାହା ଯେତେ ଅଳ୍ପ ସମୟ ପାଇଁ ହେଉ ପଛେ, କିଛି ଯାଏ ଆସେ ନାହିଁ, କିନ୍ତୁ ସେତିକି ସମୟ ମନ-ପ୍ରାଣ ଦେଇ କରିବା ଦରକାର । ଭଗବାନ ଅନ୍ତର୍ଯ୍ୟାମୀ; ସେ ଭିତର ଦେଖନ୍ତି । ତୁମେ କେତେ ସମୟ ଧ୍ୟାନ କଲ ବାକେତେବାର ଜପ କଲ ଏକଥା ସେ ଦେଖିନ୍ତି ନାହିଁ । ପ୍ରଥମରେ ଜପ ବ ଧ୍ୟାନ ନୀରସ ଲାଗେ । ତଥାପି ଔଷଧ ଖାଇବା ପରି ଆଭ୍ୟାସ ପୂର୍ବକ ତିନି ଚାରିଥର ତାହା ନିଷ୍ଠାର ସହିତ କଲେ, ଟିକେ ଆନନ୍ଦ ଲାଗେ । ତା’ ପରେ ଦିନେ ନ କଲେ ଭାରି ଖରାପ ବୋଧହୁଏ । କିଛି ଭଲ ଲାଗେ ନାହିଁ ।

 

ପ୍ରତ୍ୟେକ ଦିନ ଏକ ଘଣ୍ଟା ବା ଅଧଘଣ୍ଟା ଜପ କରି, ବାକି ସମୟ ତକ ବିଷୟ କର୍ମରେ ବୁଡ଼ି ରହିବ ନାହିଁ । ବୁଡ଼ି ରହିବା ଦ୍ୱାରା ସାତ୍ତ୍ୱିକ ଜୀବନ ଗଠନ ହେବ ନାହିଁ । ଧର୍ମଭାବ ଯେପରି ଜୀବନର ପ୍ରତି କାର୍ଯ୍ୟରେ, ପ୍ରତି ଚିନ୍ତାରେ ଫୁଟି ଉଠିବ, ମଜ୍ଜାଗତ ହୋଇଯିବ ସେ ଦିଗରେ ସମସ୍ତେ ଚେଷ୍ଟିତ ହେବା ଦରକାର । ସେପରି କରିଥିବା ବ୍ୟକ୍ତିଙ୍କୁ ଧାର୍ମିକ କୁହାଯାଏ । ହାତରେ କାମ କର ମନ ଈଶ୍ଵରଙ୍କ ଠାରେ ଲଗାଇ ରଖ । ନିରଭିମାନତା, ସ୍ଵାର୍ଥ ତ୍ୟାଗ, ନିର୍ଲିପ୍ତତା ଏବଂ ଭଗବାନ ହିଁ ଏକମାତ୍ର ସାର ଓ ନିତ୍ୟ, ଏହି ଜ୍ଞାନ ହିଁ ହେଲା ପ୍ରଧାନ ଉପାୟ । ତେବେ ଏହା ସହଜ ନୁହେଁ, କିନ୍ତୁ ଏ ସବୁ ଅଭ୍ୟାସ ବଳରେ ଧୀରେ ଧୀରେ ସହଜ ହୋଇଯାଏ ।

 

 

 

 

ଆତ୍ମାର ବାଣୀ

 

ଜପ, ଧ୍ୟାନ କରି କରି ଯେତେବେଳେ ମନ ସ୍ଥିର ହେବ ଓ ଶୁଦ୍ଧ ହେବ, ସେତେବେଳେ ମନ ହିଁ ଆମ୍ଭର ଗୁରୁ ହେବ । ଅନ୍ତରରୁ ସକଳ ବିଷୟ ବୁଝି ହେବ । ସଂଶୟ ଓ ପ୍ରଶ୍ନର ସମାଧାନ ହେବ, ଆମକୁ ତାପରେ କ’ଣ କରିବାକୁ ହେବ, କିପରି ଚଳିବାକୁ ହେବ, ଅନ୍ତରରୁ ହିଁ ତାହାର ନିର୍ଦ୍ଦେଶ ମିଳିବ । ଏହାକୁ କହନ୍ତି ଆତ୍ମାର ବାଣୀ ।

 

ଜପ, ଧ୍ୟାନ, ପୂଜା, ପ୍ରାର୍ଥନା, ସ୍ମରଣ, ମନନ, ସଦ୍ଗ୍ରନ୍ଥ ପାଠ, ସତ୍ ସଙ୍ଗ, ସତ୍ ଆଳାପ ନିଭୃତରେ ବାସ ଓ ଅଧ୍ୟାତ୍ମ ଚିନ୍ତା ଯେତେବେଳେ ଯେ ଭାବ ଆସିବ ବା କରିବାକୁ ଇଚ୍ଛା ହେବ ସେତେବେଳେ ତାହା କରିବ । ତେବେ ଧ୍ୟାନ ଓ ଜପ ହେଲା ମୂଳକଥା। ଅସୁଖ-ବିସୁଖ, ଆପଦ-ବିପଦ ହେଲେ ସୁଦ୍ଧା, କୌଣସି ଦିନ ଯେପରି ବାଦ୍ ନ ଯାଏ । ବେଶୀ ନ ପାରିବତ ୧୦-୧୫ ମିନିଟ୍ ପ୍ରାର୍ଥନା, ଜପ-ଧ୍ୟାନ କରିବାକୁ ହେବ ।

 

ଅନେକ ଦୀକ୍ଷା ନେଇ କିଛିଦିନ ଜପ-ଧ୍ୟାନ କରି ଆସି କହନ୍ତି ବାବା ! କାହିଁକି କିଛି ହେଉ ନାହିଁ ? କୌଣସିମତେ ମନକୁ ବଶ କରି ହେଉ ନାହିଁ । କୌଣସିମତେ ମନକୁ ବଶ କରି ହେଉ ନାହିଁ ଆଦୌ ଶାନ୍ତି ବା ଆନନ୍ଦ ମିଳୁ ନାହିଁ । ବାବା ଆଦୌ ଏ କଥାରେ ଉତ୍ତର ଦିଅନ୍ତି ନାହିଁ, କିମ୍ବା ଏହା କାନକୁ ନିଅନ୍ତି ନାହିଁ । ଦୁଇ ତିନି ବର୍ଷ ପରେ ସେ ଆପେ କହନ୍ତି, ଏତେ ଦିନେ କିଛି ଉନ୍ନତି ହେବା ପରି ବୋଧ ହେଉଛି, କିଛି ଆନନ୍ଦ ଓ ଶାନ୍ତି ମିଳୁଛି । ସେଥିପାଇଁ କୁହାଗଲା ଦୁଇ ତିନିବର୍ଷ ଧରି ଗୁରୁ ଉପଦେଶ ମତେ ଲାଗିପଡ଼ । ସେ କଥା କିଛି ନ କରି ସବୁ ଫାଙ୍କି ଦେଇ ଖାଲି ସିଦ୍ଧ ପୁରୁଷ ହେବାକୁ ଚାହିଁବ । ଏ ପାଗଳାମି କ’ଣ ?

 

ପ୍ରତ୍ୟେହ ନିଷ୍ଠାର ସହିତ ଜପ ଓ ଧ୍ୟାନ ଅଭ୍ୟାସ କଲେ କ୍ରମେ ତାହା ଏକ ନିଶା ଖାଇବା ପରି ହୋଇଯାଏ । ଧ୍ୟାନ ଜମିଗଲେ ନିଶା ଧଇଲା ଭଳି ହୋଇ ସେ ଭାବ ଧ୍ୟାନ ଭାଙ୍ଗିବା ପରେ କମ୍ ବା ବେଶୀ ସମୟ ରହେ । ବେଶ୍ ଆନନ୍ଦ ମଧ୍ୟ ଅନୁଭବ ହୁଏ । ସେଥିପାଇଁ କୁହାଯାଇଛି ଧ୍ୟାନ ପରେ ମଧ୍ୟ କିଛି ସମୟ ଆସନ ତ୍ୟାଗ କରିବ ନାହିଁ, କି ବୈଷୟିକ ଚର୍ଚ୍ଚା କରିବ ନାହିଁ । ଏହି ଭାବଟିକୁ ଅଧିକ ସ୍ଥାୟୀ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

 

ନିଶାଖୋର ବ୍ୟକ୍ତି ଯେପରି ନିଶା ଖାଇବାକୁ ନ ପାଇଲେ ସେ ମହା ଅଶାନ୍ତି ବୋଧ କରେ ଏବଂ ତାକୁ କିଛି ଭଲ ଲାଗେ ନାହିଁ, ସାଧକର ଠିକ୍ ସେହିପରି ଅବସ୍ଥା ହୁଏ । ଯେଉଁଦିନ ସେ ନିୟମିତ ଧ୍ୟାନ, ଜପ କରି ନ ପାରେ, ସେହିଦିନ ତାକୁ କିଛି ଭଲ ଲାଗେ ନାହିଁ । ଏଣୁ ଯେ ଯେଉଁଥିରେ ଅଭ୍ୟସ୍ତ ତାକୁ ସେହିକଥା ବ୍ୟତୀତ ଅନ୍ୟାନ୍ୟ କୌଣସି କଥା ଭଲ ଲାଗେ ନାହିଁ । ଏଥି ନିମିତ୍ତ ସତ୍ ଅଭ୍ୟାସ ଭଲ ।

 

ଅଷ୍ଟମ ଅଧ୍ୟାୟ

 

ଧ୍ୟାନର ପ୍ରସ୍ତୁତି

 

ଯେତେବେଳେ ଯାହା ଇଚ୍ଛା ତାହା ଖାଇଲେ, ଯେତେବେଳେ ଯାହା କରିବାର କଥା ସେତେବେଳେ ତାହା ନ କଲେ ଏବଂ କାମାଦିରିପୁଗୁଡ଼ିକୁ ପ୍ରଶୟ ଦେଲେ, ମନରେ ଆନନ୍ଦ ବ ସ୍ପୃହା ଆସେ ନାହିଁ, ମାନସିକ ବୃତ୍ତିର ଉତ୍ସାହ ମାନ୍ଦା ହୋଇଯାଏ, ତେଣୁ ସବୁ କାମ ସଂଯତ ଭାବରେ କରିବା ଆବଶ୍ୟକ । ତା’ ନ ହେଲେ ଧ୍ୟାନ-ଜପ କରିବାର ଶକ୍ତି ଆସିବ ନାହିଁ । ନିଦ୍ରା, ଆଳସ୍ୟ, ଉଦ୍ବେଗ ଆଦି ଅବଗୁଣ ପ୍ରକାଶ ପାଇବ । ଏପରି ପରିସ୍ଥିତିରେ ଧର୍ମ-କର୍ମ ତ ଦୂରର କଥା, ନିଜେ ମନୁଷ୍ୟ ଭାବରେ ଗଢ଼ି ହେବା ସମ୍ଭବ ହୁଏ ନାହିଁ ।

 

ଧ୍ୟାନରେ ମନ ଏକାଗ୍ର ନ ହେବାର କାରଣ

 

ଦେଖାଯାଏ, ଯେଉଁମାନେ ଧ୍ୟାନ-ଜପ କରିବାକୁ ବସନ୍ତି, ବା ମନକୁ ଏକାଗ୍ର କରି ଇଷ୍ଟରେ ସମାହିତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କର ମନ ପ୍ରଥମେ ପ୍ରଥମେ ବଙ୍କା ବାଟରେ ଯାଏ, ଏଣେ-ତେଣେ ଘୂରି ବୁଲେ । ଏହା ଅନୁଭବ କରି ସାଧକ ହୃଦୟ ଅସ୍ଥିର ହୁଏ । ଏହାର କାରଣ, ପୂର୍ବରୁ ମନକୁ କାମରେ ଲଗାଇବାରେ, ଆମେ ସତ୍-ଅସତ୍ ବିଚାର ନ କରି ତାକୁ ସ୍ଵତନ୍ତ୍ରତା ଦେଇଥିଲୁ । ତେଣୁ ତାହା ତା’ର (ମନର) ଅଭ୍ୟାସରେ ପଡ଼ିଯାଇଛି । ଏବେ ତାକୁ କାମରେ ଲଗାଇବାରେ ସେ ବିଦ୍ରୋହୀ ହୋଇ ଉଠୁଛି ।

 

ଧ୍ୟାନ ନିମତ୍ତ ପ୍ରକୃଷ୍ଟ ସ୍ଥାନ

 

ଧ୍ୟାନ କରିବାର ସ୍ଥାନ ହେଲା ତିନୋଟି । ୧-ମନ, ୨-ବଣ ଓ ୩-କୋଣ

 

ମନରେ ଧ୍ୟାନ ହେଲା ମୂଳକଥା । ଯେଉଁଠାରେ ଧ୍ୟାନ କର ମନରେ ଅର୍ଥାତ ହୃଦୟରେ ବା ଅନ୍ତରରେ ଇଷ୍ଟଙ୍କୁ ପ୍ରତିଷ୍ଟା କରି ତାଙ୍କଠାରେ ମନରେ ଏକାଗ୍ରତା ଆଣିବା ଏବଂ ଇନ୍ଦ୍ରିୟ ଶକ୍ତିକୁ ଅନ୍ତର୍ମୁଖୀ କରି ନିଜର ସମସ୍ତ ଶକ୍ତି ପ୍ରୟୋଗ କରିବା ଦ୍ଵାରା ମହାଶକ୍ତିର ସ୍ପୁରଣ ହୁଏ, ଏବଂ ଏହା ଦ୍ଵାରା ଭଗବାନଙ୍କ ସ୍ଵରୂପ ଉପଲବ୍ଧି କରି ହୁଏ । ଅନ୍ତରର ଭକ୍ତି ବଢ଼େ, ବାହାର ଦେଖା ଭକ୍ତି କ୍ରମେ କ୍ଷୟ ହେବାକୁ ଲାଗେ । ତେଣୁ ମନରେ ଧ୍ୟାନ କରିବା ଭଲ ।

 

“ବଣ” – ଲୋକ କୋଳାହଳରୁ ଦୂରରେ ନିର୍ଜନ ସ୍ଥାନ, ଯେପରି ହିମାଳୟ ବା ଗଙ୍ଗା ଆଦି ନଦୀତୀର, ସ୍ଵାସ୍ଥ୍ୟକର ଓ ପବିତ୍ର ବାୟୁ ବହୁଥିବା ସ୍ଥାନ-ଏହିପରି ସ୍ଥାନ ଯୋଗୀମାନଙ୍କ ପକ୍ଷରେ ଉପଯୁକ୍ତ ଓ ଅନୁକୂଳ ବୋଲି ଧରାଯାଇଛି । ସେଠାରେ ପ୍ରଲୋଭନର ଦ୍ରବ୍ୟ କିଛି ନାହିଁ । ବଣକୁ ଧିବା ବ୍ୟକ୍ତି ଯେବେ ସାଥିରେ ସଂସାର ଚିନ୍ତା ନେଇ ଯାଏ, ତେବେ ତା ପକ୍ଷରେ ବଣକୁ ଯିବାର କିଛି ମୂଲ୍ୟ ନାହିଁ । ମନ ସ୍ଥିର ଓ ଏକାଗ୍ର ରଖିପାରିଲେ ସଂସାର ମଧ୍ୟ ତା ପକ୍ଷରେ ବଣ ପାଲଟି ଯାଏ । ଯୋଗୀ ଅପେକ୍ଷା ଏପରି ସଂସାରୀ ଶ୍ରେଷ୍ଠ।

 

‘କୋଣ’ – ଧର୍ମ, କର୍ମ, ଜପ, ଦ୍ୟାନ ଏକାନ୍ତ ଗୋପନରେ କରାଯାଏ । ବେଶୀ ଜଣାଶୁଣା ହେଲେ ନାନା ପ୍ରକାର ବାଧା-ବିଘ୍ନ ପହଞ୍ଚେ । ନିଜର ଭାବ ଗୋପନ ରଖିବାକୁ ହେବ । ବାହାରେ ପ୍ରକାଶ କରିବା ଦ୍ଵାରା ଭାବ ନଷ୍ଟ ହୋଇଯାଏ । ନିଜର ଭାବ – ଭକ୍ତି ଯେତେ ଅନ୍ତରରେ ଲୁଚାଇ ରଖାଯାଏ ସେତେ ପକ୍କା ହୁଏ, ବୃଦ୍ଧି ପାଏ ଓ ଶକ୍ତିଶାଳୀ ହୁଏ । ସେଥିପାଇଁ ସାତ୍ତ୍ଵିକ ସାଧକ ଏକା ଅନ୍ଧକାରରେ, ଗଭୀର ରାତ୍ରରେ କିମ୍ବା ମଶାରୀ ମଧ୍ୟରେ ବସି ଧ୍ୟାନ, ଜପ କରିବାର ଦେଖାଯାଏ ।

 

ଧ୍ୟାନ ନିମତ୍ତ ଆସନ

 

ଯେଉଁ ଭାବରେ ସ୍ଥିର (ନ ହଲି) ଓ ସୁଖରେ (ଆରାମରେ) ଅନେକ କ୍ଷଣ ବସି ହୁଏ, ତାହାକୁ ଆସନ କୁହାଯାଏ। ବସିବାବେଳେ ମେରୁଦଣ୍ଡକୁ ସିଧା ରଖିବ । ମସ୍ତକ, ବକ୍ଷସ୍ଥଳ, ଗ୍ରୀବା (ଗଳା) ସିଧା ରଖିବା, ଯେପରି ଶରୀରର ସମସ୍ତ ଭାର ପଞ୍ଜର ଉପରେ ରହେ । ଛାତି ଯେପରି ଝୁଙ୍କି ନ ଯାଇ ସିଧା ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । କାରଣ ଖୁଙ୍କି ହୋଇ ବସିବା ସ୍ଵାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ । ଏହିପରି ଆସନରେ ବସି ଧ୍ୟାନ କରିବା ଉଚିତ୍ ।

 

ଧ୍ୟାନ ଆଖିବୁଜି ଅନ୍ଧାରରେ କରିବ । ଘରର ଝରକା ଖୋଲା ରଖିବ, ଯେପରି ବାୟୁ ଚଳା-ଚଳ ବନ୍ଦ ହୋଇ ନ ଯାଏ । ପିନ୍ଧିଥିବା ଲୁଗା ଜାମା ଢିଲା ରଖିବ । ନେଙ୍ଗଟା ପିନ୍ଧି ଧ୍ୟାନ କଲେ ମଧ୍ୟ ଚଳିବ । ସେତେବେଳେ ଶିଶୁଭାବ ଓ ବନ୍ଧନ ମୁକ୍ତ ଭାବ ମନରେ ଆସିପାରିଲେ ଭଲ । ଧ୍ୟାନ ସମୟରେ ଯାହାକୁ ଯାହା ଭଲ ଲାଗେ ସେ ସେହି ଧ୍ୟେୟ ମୂର୍ତ୍ତିକୁ ହୃଦୟଆସନ ବା ହୃଦୟକମଳ ବା ହୃଦୟ ସିଂହାସନ (ଯେ ଯାହା କହୁନା କାହିଁକି)ରେ ଅଧିଷ୍ଠାନ କରାଇ କହୁ ହେ ପ୍ରିୟ, ତୁମେ ମୋତେ ଦେଖ, ମୁଁ ତୁମକୁ ଦେଖେ, ଅନ୍ୟ କେହି ନ ଦେଖୁ ।

 

 

 

 

ଧ୍ୟାନର ବିଧାନ

 

ନିର୍ଜନ ସ୍ଥାନ, କ୍ଷୀଣ ଆଲୋକ କିମ୍ବା ଅନ୍ଧକାର ସ୍ଥାନରେ ଧ୍ୟାନ କରିବା ବିଧେୟ । ସେ ସମୟରେ ମୁଖ ବନ୍ଦ କରି ନାକ ଦ୍ଵାରା ନିଶ୍ଵାସ ପ୍ରଶ୍ଵାସ ନେବା ଦରକାର । ଧ୍ୟାନ କରିବା ସମୟରେ ଇନ୍ଦ୍ରିୟଗୁଡ଼ିକୁ ଅନ୍ତର୍ମୁଖୀ କରିବାକୁ ଚେଷ୍ଟା କରିବ ଏବଂ ଭାବିବ ଧ୍ୟେୟମୂର୍ତ୍ତି ସେଠାରେ ବିରାଜମାନ କରିଛନ୍ତି । ଧ୍ୟାନ ବେଳେ ଏହି ଦେହ ମୋର ବା ଏ ବ୍ୟକ୍ତି ମୁହିଁ, ଏପରି ଭାବନା ମନରୁ ପୋଛି ଦେଇ ନିଜକୁ ଅହଂ, ଅଭିମାନଶୂନ୍ୟବୋଧ ସ୍ଵରୂପ ସୂକ୍ଷ୍ମସତ୍ତା ଭାବିବ । ଆଉ ଇଷ୍ଟଙ୍କୁ ଉପାଧି ରହିତ ନିତ୍ୟ, ଶୁଦ୍ଧ, ବୁଦ୍ଧ, ମୁକ୍ତ ଚୈତନ୍ୟ ସ୍ଵରୂପୀ ଭାବିବ । ସେ ତୁମ ଭିତରେ ବୋଧ ସ୍ଵରୂପରେ ଓ ତୁମେ ତାଙ୍କ ଭିତରେ ବୋଧହୁଏ, ବୋଧ ସ୍ଵରୂପରେ ରହିଛ, ଏହା ସହଜେ ବୁଝି ହୁଏ ନାହିଁ । ଏହା ସାଧନା ସାପେକ୍ଷ । ଫାଶ-ବଦ୍ଧଜୀବ, ଫାଶ ମୁକ୍ତ ଶିବ ।

 

ଧ୍ୟାନବେଳେ ମାନସିକ ଚିନ୍ତା

 

ପ୍ରଥମରେ ଧ୍ୟାନ କରିବାକୁ ହେଲେ କିଛିକ୍ଷଣ ଆସନ କରି ସ୍ଥିର ହୋଇ ବସ । ମନ ଯେଉଁଆଡ଼େ ଯାଉଛି ତାକୁ ଯିବାକୁ ଦିଅ । ନିଜକୁ ଭାବ ଜଣେ ସାକ୍ଷୀ ବା ଦ୍ରଷ୍ଟା । ବସିକରି ମନର ଦୌଡ଼ କେତେ ଦୂର ଲକ୍ଷ୍ୟ କର । ଚିନ୍ତା କର ଆମେ ଦେହ ନୋହୁ, ଇନ୍ଦ୍ରିୟ ନୋହୁ ଏବଂ ମନଠାରୁ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । ମନ ହେଉଛି ଜଡ଼ର ଏକ ସୂକ୍ଷ୍ମ ଅବସ୍ଥା । ଆମେ ଆତ୍ମା, ପ୍ରଭୁ, ମନ ମୋର ଦାସ । ଯେତେବେଳେ କୌଣସି ବାହ୍ୟ ଚିନ୍ତା ମନରେ ଉଠିବ ସେତେବେଳେ ଯୋର କରି ତାକୁ ଦମନ କରିବାକୁ ଚେଷ୍ଟା କର ।

 

ଧ୍ୟାନରେ କଳ୍ପନା ହିଁ ସମ୍ବଳ

 

ଧ୍ୟାନ କରିବାର ପ୍ରଥମ ଅବସ୍ଥାରେ ଟିକିଏ କଳ୍ପନା ଶକ୍ତିର ଦରକାର । ଖାଲି ଶୁଷ୍କ ଭାବ ଓ ଜଡ଼ଦୃଷ୍ଟି ହେଲେ ଚଳିବ ନାହିଁ । ଶରୀର ଭିତରେ ଯେ ଷଟ୍ଚକ୍ର ଛ’ଟି ପଦ୍ମ ବା ନାଡ଼ୀ ଗ୍ରନ୍ଥି ଥିବା କୁହାଯାଏ, ତାହାର ସ୍ଥୁଳ ଅସ୍ତିତ୍ଵ ନାହିଁ । ସେ ଚକ୍ଷୁ ଦେଖାଯାଏ ନାହିଁ। ତାହା କଳ୍ପନା କରି ମହାଶକ୍ତିର ଆଧାର ଭାବି ତହିଁରେ ଇଷ୍ଟ ମୂର୍ତ୍ତିର ଧ୍ୟାନ କରିବାକୁ ହୁଏ । ଧ୍ୟାନ ଯେତେ ଗାଢ଼ ଓ ଗଭୀର ହେବ, ଚିତ୍ତ ସେତେ ସ୍ଥିର ଓ ଶୁଦ୍ଧ ହେବ; ଅନ୍ତରରେ ପ୍ରସୁପ୍ତ ଶକ୍ତି ତେତେ ଜାଗ୍ରତ ଏବଂ ବିକଶିତ ହେବ ।

 

ଧ୍ୟେୟ ବସ୍ତୁ

 

ଧ୍ୟାନ ସମୟରେ ପ୍ରଥମେ ଇଷ୍ଟ ତୁମର ସମ୍ମୁଖରେ ସିଂହାସନରେ ବିରାଜିତ; ଏହି ଭାବନା କରିବ । ତା’ପରେ ଇଷ୍ଟ ତୁମ୍ଭର ଅନ୍ତରରେ ବିଦ୍ୟମାନ ବୋଲି ଧାରଣା କରିବ । ଏ ଦୁଇଟି ପ୍ରକାରରୁ ଶେଷଟି ଉତ୍କୃଷ୍ଟ, କାରଣ ଯେ ଯାହାକୁ ଯେତେ ଭଲପାଏ ସେ ତାକୁ ସେତିକି ଅନ୍ତରରେ ରଖିବାକୁ ଚେଷ୍ଟା ବ ଯତ୍ନ କରେ ଓ ସେ କହେ ମନ ! ତୁମେ ଦେଖ, ଆଉ ମୁଁ ମଧ୍ୟ ଦେଖୁଥିବି ଅନ୍ୟ ଯୈପରି କେହି ନ ଦେଖେ ।

 

 

 

 

ଧ୍ୟାନବେଳେ ମାନସିକ ପ୍ରସ୍ତୁତି

 

ଧ୍ୟାନ କରିବା ବେଳେ ଭାବିବ, ହେ ପ୍ରଭୁ ! ପରମାର୍ଥତଃ ମୁଁ ତୁମ୍ଭର ସ୍ଵରୂପ । କେବଳ ମାୟା ମୋହରେ ବଦ୍ଧ ହୋଇ ମିଛରେ ଦେହକୁ ଆତ୍ମା ଭାବି ଖାଲି ମୋର ମୋର କହି କୁ-ଚିନ୍ତା, କୁ-ବାସନା, କୁ-ପ୍ରବୃତ୍ତିର ବଶ ହୋଇ ମୋର ଏ ଦୁର୍ଦ୍ଦଶା ହୋଇଛି । ରୋଗ, ଶୋକ, ଦୁଃଖ, ଦୈନ୍ୟ, ଭୟ, ଭାବନାଗ୍ରସ୍ତ ଦୀନ, ହୀନ-ମଳିନ, ବିଷୟ ଓ ମୃତ୍ୟୁର ଅଧୀନ, ଅସହାୟ, ଦୁର୍ବଳ, ଅପଦାର୍ଥ ହୋଇ ପଡ଼ିଛି । ହେ ପ୍ରଭୁ ! ତୁମେ ନିଜ ଗିଣରେ ଦୟାକରି ସର୍ବ ଦୋଷ ଓ ପାପରାଶି ବିନାଶ କର ଏବଂ ଯେଉଁଥିରେ ତୁମର ମହତ୍ଵ ବୁଝି ଶେଷ ନିଶ୍ଵାସ ଯାଏ, ତୁମକୁ ହିଁ ଆଶ୍ରୟ କରି ପାରିବି, ସେପରି ଶକ୍ତି ପ୍ରଦାନ କର ପ୍ରଭୁ !

 

ଜ୍ୟୋତି, ଛାୟା, ଅବାଡ଼ ଇତ୍ୟାଦି ଦର୍ଶନ ଦିଗରେ ଲକ୍ଷ୍ୟ ଦିଅନା । ଧ୍ୟାନ କରୁ କରୁ ସେ ସବୁ କେତେ ରକମ ଆପେ ଆସିବ। ତାହା ଦେଖି ତୁମେ ବେଶ୍ ଆନନ୍ଦ ପାଇବ । କିନ୍ତୁ ସେଇଠି ବା ସେତିକିରେ ଅଟକି ଯିବ ନାହିଁ । ତା’ ହେଲେ ଆଉ ଆଗେଇ ପାରିବ ନାହିଁ । କିପରି ଭଗବାନଙ୍କୁ ଭଲ ପାଇବ ଓ ତାଙ୍କର ପ୍ରିୟଭାଜନ ହେବ ସେଥିପ୍ରତି ଲକ୍ଷ୍ୟଦେବା ଉଚିତ୍ । ନାନା ପ୍ରକାର ବିଭୂତିରେ ବଶ ହୋଇ ମନୁଷ୍ୟ ସୁଖର ପ୍ରଲୋଭନରେ ପଡ଼ି ଭଗବତ୍ ପ୍ରେମରୁ ବଞ୍ଚିତ ହୁଏ । ଭୁକ୍ତି, ମୁକ୍ତି ତ ପାଏନା, କେବଳ ମୋହ ବଶତଃ ନିଜର ଯଶ ଐଶ୍ଵର୍ଯ୍ୟ ପ୍ରାପ୍ତି ଆଶାରେ ପରର ସର୍ବନାଶ କରିବାକୁ ପଛାଏ ନାହିଁ । ତେଣୁ ଏହା ନୀଚ ବୃତ୍ତି ସଙ୍ଗେ ସମାନ ।

 

 

 

 

ଧ୍ୟାନ ପାଇଁ ସମୟ ନିର୍ଣ୍ଣୟ

 

ଧ୍ୟାନର ପ୍ରଶସ୍ତ ସମୟ – (୧) ଦିନ ଓ ରାତ୍ରିର ସନ୍ଧିକ୍ଷଣ ଅର୍ଥାତ୍ ଠିକ୍ ପ୍ରତ୍ୟୁଷ ଓ ସନ୍ଧ୍ୟା-। (୨) ବ୍ରାହ୍ମମୁହୂର୍ତ୍ତ ଅର୍ଥାତ୍ ରାତ୍ରିର ଶେଷଭାଗ । (୩) ଗଭୀର ରାତ୍ର । ଏହିସବୁ ସମୟରେ ପ୍ରକୃତି ସ୍ଥିର, ଶାନ୍ତ ଥାଏ ଏବଂ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା ନାଡ଼ି ଏହି ସମୟରେ କାର୍ଯ୍ୟକାରୀ ହୁଏ । ତା ଫଳରେ ନିଶ୍ଵାସ-ପ୍ରଶ୍ଵାସ ନାସାର ଦୁଇପୁଡ଼ା ଦେଇ ବହେ । ତା’ର ଦୁଇପାଖରେ ଇଢ଼ା ଓ ପିଙ୍ଗଳା ନାଡ଼ି ଅଛି । ତହିଁରୁ ଗୋଟିଏ କାର୍ଯ୍ୟକାରୀ ହେଲେ, ବାମ କିମ୍ବା ଦକ୍ଷିଣ ନାସାରେ ନିଶ୍ଵାସ ବହେ ଏବଂ ମନ ଚଞ୍ଚଳ ହୁଏ । ଅନେକ ଯୋଗୀ ସମୟକୁ ଲକ୍ଷ୍ୟ ରଖି ଚଳନ୍ତି ।

 

ଧ୍ୟାନ, ଜପ ଆଦିରେ ସମୟ ଧୀରେ ଧୀରେ କ୍ରମାନ୍ଵୟରେ ବଢ଼ାଇବ । ହଠାତ୍ ବେଶୀ ବଢ଼ାଇଲେ ସ୍ନାୟବିକ ଦୁର୍ବଳତା, ଅବସାଦ ହୁଏ । ଜପ ଓ ଧ୍ୟାନ କରିବାକୁ ଶକ୍ତି ରହେ ନାହିଁ । କୁଦାମାରି ଛାତ ଉପରକୁ ଯାଇ ହୁଏନା, ଗଲେ ଗୋଡ଼ହାତ ଭାଙ୍ଗେ । ତେଣୁ ଶିଢ଼ି ଦ୍ଵାରା ଯେପରି ଆସ୍ତେ ଆସ୍ତେ ଉଠିବାକୁ ହୁଏ, ସେହିପରି ଧୀରେ ଧୀରେ ଜପ ଓ ଧ୍ୟାନର ସମୟ ବଢ଼ାଇବ ।

 

ଧ୍ୟାନର ଅନ୍ତିମ ସୋପାନ

 

ପ୍ରଥମ ଅବସ୍ଥାରେ ନିରାକାର ଧ୍ୟାନ କରିବା ଅର୍ଥ ଅନ୍ଧାରରେ ଢେଲା ମାରିବା ସଙ୍ଗେ ସମାନ । ଏହାଦ୍ଵାରା ଆଧ୍ୟାତ୍ମିକ ଉନ୍ନତି ହୁଏ ନାହିଁ । କାରଣ ଏହା ଅବଲମ୍ବନହୀନ, ନୀରସ । ଏପରି ଧ୍ୟାନ ମୁକ୍ତ ପୁରୁଷ ପକ୍ଷରେ ସମ୍ଭବ ଯେ କି ସର୍ବ ଭୂତରେ ଈଶ୍ଵର ଦର୍ଶନ କରନ୍ତି । ଯାହାର ଯାହା ଅଛି ସେ ତାହା ତ୍ୟାଗ କରିପାରେ । ଯାହାର କିଛି ନାହିଁ ତା’ର ତ୍ୟାଗ କାହିଁ ? କୌଣସି ପଦାର୍ଥ ବର୍ଜନ କରିବାକୁ ହେଲେ ତାହା ଆଗ ଅର୍ଜନ କରିବା ଦରକାର । ଭଗବାନ ଲାଭର ପ୍ରଥମ ସୋପାନ ହେଉଛି – ସ୍ମରଣ, ମନନ, ଚିତ୍ତ-ବୃତ୍ତିର ଶାନ୍ତ ଭାବ । ଦ୍ଵିତୀୟରେ ଧ୍ୟାନ, ତୃତୀୟରେ ସମାଧି – ଏହା ଶେଷ ସୋପାନ । ଗୋଟିଏ ଛାଡ଼ି ଅନ୍ୟଟିକୁ ଡ଼େଇଁ ଯାଇ ହୁଏ ନାହିଁ ।

 

ନବମ ଅଧ୍ୟାୟ

 

ପ୍ରାର୍ଥନା

 

ପ୍ରାର୍ଥନା ହେଉଛି ଅନ୍ତର୍ଯ୍ୟାମୀଙ୍କ ପାଖରେ ଅନ୍ତର ବେଦନା ଓ ଅଭାବ; ଭାବରେ ବା ଭାଷାରେ ଜଣାଇବା, କରୁଣା ଭିକ୍ଷା କରିବା । ଏହା ସକାମ ହେଉ ବା ନିଷ୍କାମ ହେଉ କିଛି ଯାଏ ଆସେ ନାହିଁ । ବିଦ୍ୟା, ବୁଦ୍ଧି, ଧନ, ଶାସ୍ତ୍ରଜ୍ଞାନ, ତର୍କ, ବିଚାର, ଦାନ, ପୁଣ୍ୟ, ଯାଗ, ତପସ୍ୟା ଏ ସବୁରେ ଭଗବାନ ଧରା ଦିଅନ୍ତି ନାହିଁ । ତାଙ୍କୁ ଧରିବାର ଅସ୍ତ୍ର ଏକମାତ୍ର ପ୍ରେମ-ଭକ୍ତି । ପ୍ରେମିକ ପ୍ରେମ ବଳରେ ତାଙ୍କ ଆସନ ଟଳାଇ ଦିଏ । ଭଗବାନ ଭକ୍ତକୁ କୃପା କରନ୍ତି । ସେ ଗୁଣାତୀତ ହେଲେ ହେଁ ଭକ୍ତ ନିମନ୍ତେ ସେ ରୂପ ଧାରଣ କରନ୍ତି । ଯେ ପର୍ଯ୍ୟନ୍ତ ଆମର ଭେଦଭାବ ଅଛି ସେ ପର୍ଯ୍ୟନ୍ତ ସାକାର ପୂଜା ଧ୍ୟାନାଦି ଆମ ପକ୍ଷେ ଶ୍ରେୟସ୍କର ।

 

ପ୍ରାର୍ଥନା ବନ୍ଧାଗତପରି ପଢ଼ିବାର ନୁହେଁ । ତ ଦ୍ଵାରା କିଛି ଲାଭ ନ ଥାଏ । ଯାହା ପ୍ରାର୍ଥନା କରିବ, ସେଥିରେ ଅନ୍ତରରୁ ଯଥାର୍ଥ ବ୍ୟାକୁଳତା ପ୍ରକାଶ ହେବା ଆବଶ୍ୟକ । ଈଶ୍ଵରଙ୍କ ଆଶୀର୍ବାଦ ପାଇବାକୁ ହେଲେ ସେଥି ନିମନ୍ତେ ବହୁ ସାଧ୍ୟ ସାଧନା ପୂର୍ବକ ପ୍ରାଣ, ମନଦେଇ ଚେଷ୍ଟା କରିବାକୁ ହେବ । ଯେପରି ତାହା ପାଇବାକୁ ଯାଇଁ ତା ଉପରେ ତୁମ୍ଭର ଜୀବନ, ମରଣ ନିର୍ଭର କରେ, ତେବେ ଯାଇ ତୁମ ପ୍ରାର୍ଥନା ସଫଳ ହେବ ଏବଂ ଯାହା ଚାହୁଁଛ ତାହା ପାଇବ । ଏପରି ପ୍ରାର୍ଥନା ଭଗବାନ ଶୁଣିବେ ଓ ପୂରଣ କରିବେ ।

 

ଆମେ ପ୍ରାର୍ଥନା କରୁ ମୁହଁରେ, ଅନ୍ତରରେ ନୁହେଁ । ସେଥିପାଇଁ କିଛି ଫଳ ହୁଏନା । ଅନ୍ତର ଦେଇ ପ୍ରାର୍ଥନା କଲେ ନିଶ୍ଚୟ କିଛି ନା କିଛି ଫଳ ମିଳିବ । ଯେତେବେଳେ ପ୍ରାର୍ଥନା, ଜପ, ଧ୍ୟାନ କରି କିଛି ଫଳ ହୁଏନା, ସେତେବେଳେ ବୁଝିବ ଯେ, ନିଜ ଭିତରେ କୌଣସି ପ୍ରକାର ଦୋଷ ଦୁର୍ବଳତା ରହିଛି । ପାତ୍ର ଫୁଟା ଥିଲେ ଯେପରି ଜଳ ବାହାରିଯାଏ, ସେପରି ଆମ ହୃଦୟପାତ୍ରରେ କେଉଁଠି ଛିଦ୍ର ଅଛି ତାହାକୁ ବୁଝିସୁଝି ସଜାଡ଼ି ଦେବାକୁ ଚେଷ୍ଟା କରିବ । ବିଷୟ ବାସନାର ଆସକ୍ତି ମନରେ ଉଙ୍କି ମାରିଲେ, ଜପ, ଧ୍ୟାନ ପୂରା ମାତ୍ରାରେ ହୋଇପାରେ ନାହିଁ ।

 

ବଦ୍ଧ ଜୀବର ଗତି

 

ଆମେ କଥାରେ ମାତ୍ର ମୁକ୍ତି ଚାହୁଁ । ସତରେ ନୁହେଁ । ଭଗବାନ ଯେବେ ସ୍ଵୟଂ ଆସି ଆମକୁ ମୁକ୍ତି ଯାଚନ୍ତି ତେବେ ଆମେ ଭୟଭୀତ ହୋଇ କହିବା, ନାଁ ନାଁ, ଏହିକ୍ଷଣି ଆମର ମୁକ୍ତି ଦରକାର ନାହିଁ । ଏବେ ମୁକ୍ତି ପାଇଗଲେ ପରିବାରମାନଙ୍କର ଗତି କ’ଣ ହେବ ? ମୃତ୍ୟୁ ପରେ ପଛେ ମୁକ୍ତି ଦେବେ । ପୂର୍ବର ଏ ବିଷୟରେ କଥାଟିଏ ଶୁଣ –

 

ଜଣେ ବୁଢ଼ା କାଠ କାଟି ମୁଣ୍ଡରେ ବୋହି ବଜାରରେ ବିକ୍ରୟ କରି ପରିବାର ପ୍ରତିପୋଷଣ କରେ । କିଛି ଦିନ ପରେ ତା’ର ବଳ ହଟିବାରୁ ଅତି ବ୍ୟସ୍ତରେ ବାଟରେ କାଠ ବୋଝଟା ପକାଇ ଦେଇ କହିଲା, ହେ ପ୍ରଭୁ ! ଆଉ ପାରିବିନି । ଏଥର ଏ ସଂସାରରୁ ମୁକ୍ତି ଦିଅ । ଆଉ ସଂସାରରେ ରହିବା ଦରକାର ନାହିଁ । ଠିକ୍ ସେତିକି ବେଳେ ଭଗବାନ ଆସି ତା ଆଗରେ ଠିଆ ହୋଇ କହିଲେ, ଚାଲ ମୋ ସାଙ୍ଗରେ; ମୁଁ ତୁମ୍ଭକୁ ମୁକ୍ତି ଦେଇଦେବି । ସଂସାରରେ ତୁମର ଆଉ ରହିବା ଦରକାର ନାହିଁ ।

 

ଏକଥା ଶୁଣି ବୃଦ୍ଧ ବ୍ୟକ୍ତି ଭୟରେ ଥରି ଥରି କହିଲେ ନାହିଁ ନାହିଁ ପ୍ରଭୁ ! ମୁଁ ବର୍ତ୍ତମାନ ମୁକ୍ତି ଚାହୁଁନି, ଏଇ କାଠ ବୋଝଟା ମୋର ମୁଣ୍ଡକୁ ଉଠାଇ ଦେବାକୁ ଡାକୁଥିଲି ମାତ୍ର । ଭଗବାନ ଟିକେ ହସି ଦେଇ ଚାଲିଗଲେ ବଦ୍ଧ ଜୀବର ଦଶା ମଧ୍ୟ ଠିକ୍ ଏହିପରି ।

 

ଦଶମ ଅଧ୍ୟାୟ

 

ଯୋଗ

 

ସମସ୍ତଙ୍କର ଶକ୍ତି ସାମର୍ଥ୍ୟ ସାମାନ ନୁହେଁ । ବ୍ୟକ୍ତି ବିଶେଷରେ ତାରତମ୍ୟ ଅଛି । ଜଣେ ମେଧାବୀ, ବଳିଷ୍ଠ ଯୁବକ ପକ୍ଷରେ ସଂସାର ତ୍ୟାଗକରି ଏବଂ ଇନ୍ଦ୍ରୟ ନିଗ୍ରହପୂର୍ବକ ଯୋଗାଭ୍ୟାସ କରି ଭାଗବାନ ଲାଭ ବା ସମାଧି ଲାଭ ସହଜ ସାଧ୍ୟ ହୋଇପାରେ । ଆଉ ଜଣେ ସଂସାରୀ – ମୁମୁକ୍ଷୁର ପ୍ରବଳ ଆଗ୍ରହ ଥିବା ସତ୍ତ୍ଵେ ନାନା ବିଷମ ପରିଶ୍ରମ ଓ ପରିବାର ସେବାରେ ସେ ବ୍ୟତିବ୍ୟସ୍ତ । ଅନ୍ୟ ଜଣେ ଭକ୍ତ ଦୀର୍ଘଦିନ କଠିନ ରୋଗ ଶଯ୍ୟାରେ ଥାଇଁ ସାଧନାକୁ ଅକ୍ଷମ । ତେବେ ସେମାନଙ୍କର ମୁକ୍ତିର ଉପାୟ ଅଛି କି ନାହିଁ ? ହିଁ ନିଶ୍ଚୟ ଅଛି । ପରମେଶ୍ଵରଙ୍କ ରାଜ୍ୟରେ ଯଥାର୍ଥ ବିଚାର ଅଛି । ସେମାନେ ଅନ୍ତର ଫଟାଇ ଡାକିଲେ ପ୍ରଭୁ ନିଶ୍ଚୟ ଶୁଣିବେ ।

 

ଯୋଗ ସାଧନ ବଡ଼ କଠିନ । ଶାଦାରଣ ଲୋକ ପକ୍ଷରେ ଏହା ଅସମ୍ଭବ । ବିଶେଷତଃ ବର୍ତ୍ତମାନ ପାରିପାର୍ଶ୍ଵିକ ଅବସ୍ଥାରେ ସେ ସବୁ ନିୟମ ଯଥାର୍ଥ ଭାବରେ ପାଳନ କରିବା ଦୁଃସାଧ୍ୟ । ତ୍ରିତାପ ଦଗ୍ଧଜୀବ କେବଳ ଈଶ୍ଵର ସ୍ମରଣ, ମନନ-ଚିନ୍ତନ, ନାମ-ଜପ, ମୂର୍ତ୍ତି ଧ୍ୟାନ କରି, ସରଳତା, ପରିପକାର, ସେବାପରାୟଣାଦିର ଆଶ୍ରୟରେ ନିଜର ଚରିତ୍ର ଗଠନ କରିପାରିଲେ ଯଥେଷ୍ଟ ହୋଇପାରିବ। ତେଣୁ ନିଜକୁ ନିଜେ ଭଲ ମଣିଷ କରି ଗଢ଼ିବାକୁ ଚେଷ୍ଟା କରିବା ଉଚିତ୍ ।

 

ଅଣିମା, ଲଘିମା, ବ୍ୟାପ୍ତି, ପ୍ରାକାମ୍ୟ, ମହିଁମା, ବଶିତ୍ଵ, ଈଶିତ୍ଵ, କାମବସାୟିତା – ଯୋଗ ଶାସ୍ତ୍ରରେ ଏହି ହେଲା ଅଷ୍ଟସିଦ୍ଧି । ଯୋଗ ସାଧନର ସର୍ବୋଚ୍ଚ ଅବସ୍ଥା ନିର୍ବିକଳ୍ପ ବା ସବିକଳ୍ପ ସମାଧି ଲାଭ ହେବ ବାଟରେ ଏହି ଅଷ୍ଟସିଦ୍ଧି ବା ବିଭୂତିମାନ ଭୟଙ୍କର ପ୍ରଲୋଭନ ଦେଖାଇ ମହା ଅନ୍ତରାୟ ସୃଷ୍ଟି କରିଥାନ୍ତି । ସାଧକ ଏହାଙ୍କ ବଶରେ ରହି ନାନା କାମନାରେ ବଦ୍ଧ ହୋଇ ଯୋଗଭ୍ରଷ୍ଟ ହୁଏ ଏବଂ ଏହାର ଅପ ବ୍ୟବହାରରେ ଅତି ନୀଚ ପ୍ରବୃତ୍ତିର ଅଧୀନ ହୋଇ ନିଜ ସ୍ଵାର୍ଥ ଭୋଗରେ ଅନ୍ୟ ଲୋକର ସର୍ବନାଶ କରି ବସେ ଏବଂ ନିଜର ମଧ୍ୟ ଅଧଃପତନ ଘଟାଏ ।

 

ମନ ସ୍ଥିର ହେଲେ ବାୟୁ ସ୍ଥିର ହୁଏ । ଫଳରେ ସ୍ଵତଃ କୁମ୍ଭକ ହୁଏ ଓ ଏକାଗ୍ରତା ଆସେ । ଭକ୍ତିରେ ମଧ୍ୟ କୁମ୍ଭକ ସ୍ଵତଃ ହୋଇଥାଏ । ଅନ୍ତରର ବ୍ୟାକୁଳତା ସହ ସ୍ମରଣ, ମନନ ଓ ମନ୍ତ୍ର-ଜପ କରିଲେ ପ୍ରାଣାୟାମ ଆପଣା ଛାଏଁ ହୋଇଥାଏ । ଅଭ୍ୟାସ ଓ ବୈରାଗ୍ୟ ବ୍ୟତୀତ ମନର ଏକାଗ୍ରତା ଆଣିବାରେ କୌଣସି ସୁଗମ ବା ସହଜ ଉପାୟ ନାହିଁ ।

 

ସଂସାରୀ ପକ୍ଷେ ବେଶୀ ପ୍ରାଣାୟାମ କରିବା ଭଲ ନୁହେଁ । ଯାହାର ବେଶୀ ପ୍ରାଣାୟାମ କରିବାର ଇଚ୍ଛା ତା’ ପକ୍ଷରେ ଯଥା ସମୟରେ ପରିମିତ       ପୁଷ୍ଟିକର ସାତ୍ତ୍ଵିକ ଆହାର, ନିୟମିତ କାର୍ଯ୍ୟକଳାପ, ଉଦ୍ବେଗଶୂନ୍ୟ ଜୀବନ, ସ୍ଵାସ୍ଥ୍ୟକର ନିର୍ଜନ ସ୍ଥାନ, ବିଶୁଦ୍ଧ ବାୟୁ, କୋଷ୍ଠ ପରିଷ୍କାର, ସ୍ଵଳ୍ପଭାଷୀ ଆଦି ହେବା ଆବଶ୍ୟକ । ଆଉ ମଧ୍ୟ ସର୍ବୋପରି ନିଷ୍ଠାର ସହିତ ବ୍ରହ୍ମଚର୍ଯ୍ୟ ରକ୍ଷା କରିବା ଦରକାର । ଏ ସବୁର ବ୍ୟତିକ୍ରମ ହେଲେ ହୃଦରୋଗ ବା ମସ୍ତିଷ୍କ ରୋଗ ହେବାର ସମ୍ଭାବନା ଥାଏ । ପ୍ରାଣାୟାମ କଲେ ଗୁରୁଙ୍କ ସାହାର୍ଯ୍ୟ ବିନା କରିବ ନାହିଁ । ତଦ୍ଵାରା ଅହିତକର ବ୍ୟାଧି ହୋଇପାରେ ।

 

ଏକାଦଶ ଅଧ୍ୟାୟ

 

ଧର୍ମ ସାଧନା

 

ଯୌବନ ସମୟ ହିଁ ଧର୍ମ ସାଧନାର ଉତ୍କୃଷ୍ଟ ଅନୁକୂଳ ସମୟ । ସେ ସମୟରେ ଯଦି ଉଠିପଡ଼ି ଲାଗିବ ତା ହେଲେ ଯଥେଷ୍ଟ ଆଧ୍ୟାତ୍ମିକ ଶକ୍ତି ସଂଚୟ କରି ପାରିବ । ଅବଶିଷ୍ଟ ଜୀବନ ଅନେକଟା ନିରାପଦରେ, ସୁଖ ଓ ଶାନ୍ତିରେ କଟିଯିବାର ସମ୍ଭାବନା ଥାଏ ।

 

ଯେତେ ଯାହା ବିପଦ ଆପଦ ଆସିଲେ ମଧ୍ୟ ତାହା କୌଣସି ପ୍ରକାରେ ବିଚଳିତ କରିପାରେ ନାହିଁ । ଯୌବନ ସମୟରେ ଜୀବନକୁ ଗଢ଼ି ନ ପାରିଲେ, ତାପରେ ଏହା ଅସହଜ ବୋଧ ହୁଏ, ତେଣୁ ଏକ ମୁହୂର୍ତ୍ତ ଆଳସ୍ୟରେ କିମ୍ବା ବୃଥା କଥାରେ ନଷ୍ଟ କରିବା ଉଚିତ୍ ନୁହେଁ । ସବୁକାମ ସଂଯତ ଭାବରେ କରିବାକୁ ଚେଷ୍ଟା କର ।

 

ଷୋଳ ବର୍ଷଠାରୁ ତିରିଶ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନର ସର୍ବାପେକ୍ଷା ଉତ୍କୃଷ୍ଟ ଅବସ୍ଥା । ସେତେବେଳେ ଶରୀରରେ ପୂର୍ଣ୍ଣ କ୍ରିୟା ଶକ୍ତି ଥାଏ ଏବଂ ମନରେ ଉତ୍ସାହ, ଉଦ୍ୟମ, ସାହସ, ଆତ୍ମପ୍ରତ୍ୟୟ, ଦୃଢ଼ସଂକଳ୍ପ, ଇଚ୍ଛା ଶକ୍ତି ପ୍ରଭୃତି ଅଭୀଷ୍ଟ ଲାଭର ଉପଯୋଗୀ ଗୁଣଗୁଡ଼ିକ ବିଦ୍ୟମାନ ଥାଏ । ତେଣୁ ଏ ଅମୂଲ୍ୟ ସମୟ ବୃଥାରେ ନଷ୍ଟ ନ କରି ମାନବିକତାର ବିକାଶ ପଥରେ ଲାଗିପଡ଼-। ସାଧନ, ଭଜନ କରିଯାଅ । ବାର୍ଦ୍ଧକ୍ୟ ବା ବୃଦ୍ଧାବସ୍ଥାରେ ଏହା ହେବା କଠିନ ।

 

ସାଧକ ଜୀବନରେ ନିମ୍ନଲିଖିତ ଏଇ କେତୋଟି ଗୁଣ ଓ ନିୟମ ଅଭ୍ୟାସ କରିବା ଏକାନ୍ତ ଆବଶ୍ୟକ ।

 

୧- ଈଶ୍ଵରଙ୍କ ପ୍ରତି ଦୃଢ଼ ବିଶ୍ଵାସ ଓ ନିର୍ଭରଶୀଳତା ।

୨- ବ୍ରହ୍ମଚ୍ରଯ୍ୟ ପାଳନ ଓ ଇନ୍ଦ୍ରିୟ ନିଗ୍ରହ ବା କାମ ସଂକଳ୍ପ ତ୍ୟାଗ ।

 

ବୀର୍ଯ୍ୟ ଧାରଣ ବ୍ୟତୀତ ଶରୀର, ମନ ଓ ବୁଦ୍ଧିର ପୂର୍ଣ୍ଣ ବିକାଶ ଅସମ୍ଭବ । ବାରବର୍ଷ ବ୍ରହ୍ମଚର୍ଯ୍ୟ ପାଳନ କରିଲେ, ମେଧାବୋଲି ଏକ ସୂକ୍ଷ୍ମ ନାଡ଼ିର ସୃଷ୍ଟି ହୁଏ ଯାହା ଦ୍ଵାରା କି ଧାରଣାଶକ୍ତି ଓ ସୂକ୍ଷ୍ମ ବିଷୟ ଉପଲବ୍ଧି କରିବାର ଶକ୍ତି ସ୍ଫୁରଣ ହୁଏ ।

 

୩- ଆହାର ବିହାରରେ ସଂଯମ, ଖାଦ୍ୟ ଅନୁତ୍ତେଜକ, ବଳବର୍ଦ୍ଧନକାରୀ, ସହଜ ପାଚ୍ୟ ହେବା ଦରକାର । ରସନା ତୃପ୍ତି ଆହାର, ଜୀବନର ଉଦ୍ଦେଶ୍ୟ ହେବା ଉଚିତ୍ ନୁହେଁ । ଶରୀର ସୁସ୍ଥ ଓ କାର୍ଯ୍ୟକ୍ଷମ ରହିବା ନିମନ୍ତେ ଆହାର ଦରକାର ।

 

୪- କୁସଙ୍ଗ, ଅସତ୍ ପ୍ରସଙ୍ଗ, ପରଚର୍ଚ୍ଚା ଆଦି କୁ-ଅଭ୍ୟାସ ତ୍ୟାଗ କରି ସତ୍ସଙ୍ଗ, ଶାସ୍ତ୍ରପାଠ, ସତ୍ଚିନ୍ତା କରିବ ।

 

୫- ଜୀବନର ଉଦ୍ଦେଶ୍ୟ ଓ ଆଦର୍ଶ ପ୍ରତି ସର୍ବଦା ଲକ୍ଷ୍ୟ ରଖିବ ଏବଂ ତାହାର ସିଦ୍ଧି ପାଇଁ କାୟ, ମନ, ବାକ୍ୟରେ ଯତ୍ନ କରିବ । ନିଜର ସୁଖସ୍ଵାଚ୍ଛନ୍ଦ୍ୟକୁ ତୁଚ୍ଛକରି, ଫଳ ଆଶା ତ୍ୟାଗ ପୂର୍ବକ ଅସୀମ ଧୈର୍ଯ୍ୟ ଧରି ଭଜନ, ସାଧନ କରିବ । କେବେହେଲେ ନୈରାଶ୍ୟକୁ ମନରେ ସ୍ଥାନ ଦେବ ନାହିଁ । ତେବେ ଯାଇଁ ପରମ ଆନନ୍ଦ ପାଇବ ।

 

ସଂଯମ ଜୀବନ

 

ଦ୍ଵାଦଶ ବର୍ଷ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ଓ ସତ୍ୟପାଳନ କରିଲେ ବାକ୍ ସିଦ୍ଧି ହୁଏ । ଐଶୀ ଶକ୍ତିର ବିକାଶ ହୁଏ । ଯେ ଭଗବାନଙ୍କୁ ଲାଭ କରିବାକୁ ଚାହେଁ ସେ ଯେକୌଣସି ଅବସ୍ଥାରେ ସତ୍ୟକୁ ତ୍ୟାଗ କରି ପାରେନା । ସମସ୍ତଙ୍କୁ କର୍ମଫଳ ଭୋଗ କରିବାକୁ ହେବ । କର୍ମଫଳ ଭୋଗ ଶେଷ ନ ହେଲେ ମୁକ୍ତି ମିଳେ ନାହିଁ । ମାହାପୁରୁଷମାନଙ୍କ ଆଶ୍ରୟ ବଳରେ ସାତ ଜନ୍ମର ଭୋଗ ଏକ ଜନ୍ମରେ କଟି ଯାଇପାରେ ।

 

ଜଗତରେ ଦେଖାଯାଏ, ଯେ ଧର୍ମ ମାର୍ଗରେ ଚଳେ ତାର ସାଂସାରିକ ଦୁଃଖ କଷ୍ଟର ସୀମା ରହେ ନାହିଁ । ଯେ ଅଧର୍ମରେ ଚଳେ ସେ ସୁଖରେ ଜୀବନ କଟାଏ । କିନ୍ତୁ ସେ ବିଷ୍ଠାର କୀଟ ସଙ୍ଗେ ସମାନ ଓ ନିତାନ୍ତ ମୁଢ଼ ବା ଅଜ୍ଞାନ ଅଟେ । ତାକୁ ନରପଶୁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସାଧନାର ପରିପକ୍ଵ ଅବସ୍ଥା ନ ଅସିବା ଯାଏ, କୌଣସି ସ୍ତ୍ରୀ କୋଲଙ୍କ ସହିତ ମିଳା-ମିଶା କରିବ ନାହିଁ । ସାଧନା ପରିପକ୍ଵ ହେଲେ ସ୍ତ୍ରୀମାନଙ୍କୁ ମାତୃ ଜ୍ଞାନରେ ଦେଖିବ ଏବଂ ସେମାନେ ତୁମ୍ଭଙ୍କୁ ପୁତ୍ର ସ୍ନେହରେ ଦେଖିବା ଉଚିତ । କାରଣ ଏପରି ଭାବନା ନ ହେଲେ ପତନର ସମ୍ଭାବନା ଥାଏ । କଞ୍ଚାମନ ମହା-ମାୟାବୀ । କେତେବେଳେ ଯେ ସେ କି ପ୍ରଭାବରେ ପ୍ରଭାବିତ କରିବ ତା’ର କିଛି ଥଳକୂଳ ନାହିଁ । ତେଣୁ ସତର୍କ ରହିବା ଦରକାର ।

 

ଯେଉଁମାନେ ବେଶି, ଜପ-ଧ୍ୟାନ, ବା ଯୋଗ, ଅଭ୍ୟାସ କରନ୍ତି ସେମାନଙ୍କର ନୂତନ ସାତ୍ତ୍ଵିକ ଶରୀର ଗଢ଼ିଉଠେ । ଗୃହୀମାନେ ପୁଣ୍ୟ ଅର୍ଜନ ପାଇଁ ବା ନିଜର କଲ୍ୟାଣ ପାଇଁ ବା ପାପ କ୍ଷୟ ନିମନ୍ତେ ଯେଉଁଠି ଅନ୍ନଛତ୍ର ଦାନ କରନ୍ତି, ସାଧୁ ସନ୍ନ୍ୟାସୀମାନେ ସେ ପାପ ଅନ୍ନ ଭୋଜନ କରିବା ନିଷିଦ୍ଧ । କାରଣ ତଦ୍ଵାରା ମନ ମଳିନ ହୁଏ ଓ ଅଧୋମୁଖୀ ହୁଏ । ଏହା ଅପେକ୍ଷା ମାଧୁକରୀ ହିଁ ଶ୍ରଷ୍ଠ ଅଟେ । ଯଥୋଚିତ ସାଧନ ଭଜନ ନ କରି ଗୃହୀଙ୍କ ଠାରୁ ଦାନ ଗ୍ରହଣ କରିବା ସାଧୁଙ୍କର ଅନୁଚିତ । ଏହାଦ୍ଵାରା ଗୃହୀକୁ ପ୍ରତାରଣା କରାଯାଏ ।      

 

ଦ୍ଵାଦଶ ଅଧ୍ୟାୟ

 

ସନ୍ନ୍ୟାସୀ ଓ ସଂସାର

 

ଅନେକ ବ୍ୟକ୍ତି କୌଣସି କର୍ମ ସଂସ୍ଥାନ ବା ଚାକିରୀ ନ ପାଇ ଖଟି ନପାରି ନିଜର ପରିବାର ଭାର ତୁଲାଇ ନ ପାରି ମଠ-ବାଡ଼ିରେ ସନ୍ନ୍ୟାସୀ ହେବା ପ୍ରୟାସ କରନ୍ତି । ଆଜିକାଲି ସନ୍ନ୍ୟାସୀ ହେବା କ’ଣ ସହଜ କଥା ? ବରଂ ସଂସାରରେ ରହି ବିଷୟରେ ଅନାସକ୍ତ ବା ନିର୍ଲିପ୍ତ ଓ ନିସ୍ଵାର୍ଥ ଭାବ ଅବଲମ୍ବନ ପୂର୍ବକ ନାମଭଜନ କରିବା ଶ୍ରେୟସ୍କର । ଠିକ୍ ଠିକ୍ ଆଚରଣ ନ କଲେ ନବାନୁରାଘର ଉତ୍ସାହ କିଛିଦିନ ପରେ ତାଳପତ୍ର ନିଆଁର ପାଉଁଶ ପରି ଉଭେଇଯାଏ । ଧେପରି ଏହାର ଅଗ୍ନି ଅଳ୍ପକ୍ଷଣସ୍ଥାୟୀ ଠିକ୍ ସେହିପରି ହୁଏ ।

 

ବାହାରର ସାଧାରଣ ଲୋକେ ଭାବନ୍ତି ମଠରେ ସାଧୁ-ସନ୍ନ୍ୟାସୀମାନେ ମନ ମଉଜରେ ଅଛନ୍ତି । ସୁନ୍ଦର ଘର, ମନ୍ଦିର, ଅର୍ଥର ଅଭାବ ନାହିଁ, ଖାଇବା ପିଇବାର ଅଭାବ ନାହିଁ, ଯେତେବେଳେ ଯାହା ଇଚ୍ଛା ତାହା କରୁଛନ୍ତି । କିନ୍ତୁ ଏ ଧାରଣା ସେମାନଙ୍କର ଭ୍ରମ । ସେମାନେ ବୁଝନ୍ତି ନାହିଁ ଯେ; ମଠ- ଆଶ୍ରମରେ କେତେ ଖଟିବାକୁ ପଡ଼େ । ଠାକୁର ସେବା, ଲୋକସେବା, ରକ୍ଷଣାବେକ୍ଷଣ ଦାୟିତ୍ଵ, ସେଥିରେ ପୁଣି ଆଶ୍ରମର ନିୟମାନୁସାରେ ଚଳଣି, ନିଜର ଜ୍ଞାନାର୍ଜ୍ଜନ ନିମନ୍ତେ ଚେଷ୍ଟା ଓ ତତ୍ସହ ଭକ୍ତମାନଙ୍କୁ ସତ୍ମାର୍ଗ ଦର୍ଶାଇବ ଆଦି ବହୁ ଶ୍ରମ ଆଶ୍ରମବାସୀ ସନ୍ନ୍ୟାସୀମାନଙ୍କୁ କରିବାକୁ ହୋଇଥାଏ ।

 

 

 

 

ଭ୍ରଷ୍ଟ ସନ୍ନ୍ୟାସୀ

 

ଘରଦ୍ଵାର, ବାପା, ମା’ ଛାଡ଼ି ଓ ପରିବାର ଦାୟିତ୍ଵ ତ୍ୟାଗ କରି ଯେ ବ୍ରହ୍ମଚାରୀ ବା ସନ୍ନ୍ୟାସୀ ହେବାକୁ ପ୍ରୟାସ କରେ, ସେ ଯେବେ ଆଦର୍ଶରୁ ବିଚ୍ୟୁତ ହୁଏ ବା ବୃଥାରେ ବସି ସମୟ କଟାଏ ତାର ସମସ୍ତ ସୁକୃତି ଭାସିଯାଏ । ଏହା ଅପେକ୍ଷା ବରଂ ସଂସାର ଆଶ୍ରମରେ ପ୍ରବେଶ କରି ନିୟମିତ ଭାବରେ ଆଦର୍ଶ ଗୃହସ୍ଥ ହେବା ଶତଗୁଣେ ଭଲ । ଭଗବାନଙ୍କୁ ସରଳ ବିଶ୍ଵାସରେ ଆନ୍ତରିକତାର ସହିତ ଯେ ସବୁ ଆଶା ତ୍ୟାଗ କରି ଡାକେ ସେ ତାଙ୍କୁ ପାଏ । ତାଙ୍କୁ ପାଇଲେ ଆଉ କିଛି ଆବଶ୍ୟକ ହୁଏ ନାହିଁ ।

 

ଅଦର୍ଶ ଭ୍ରଷ୍ଟ ସାଧୁ ଅପେକ୍ଷା, ଶ୍ରଦ୍ଧା ଓ ଆଗ୍ରହଯୁକ୍ତ ସଂସାରୀ ଭକ୍ତ ବେଶୀ ସାଧନ ଭଜନ କରି ନ ପାରିଲେ ମଧ୍ୟ ଶ୍ରେଷ୍ଠ ଅଟେ । କାରଣ ସେ ବନ୍ଧନରେ ଥାଇ କ୍ଷୁଦ୍ର ସାମର୍ଥ୍ୟ ଅନୁସାରେ ଯଥାସାଧ୍ୟ ଉନ୍ନତି ବାଟରେ ଅଗ୍ରସର ହେବାକୁ ଚେଷ୍ଟା କରେ, ବ୍ୟାକୁଳ ଅନ୍ତରରେ ଭଗବାନଙ୍କୁ ପ୍ରାର୍ଥନା କରେ । ଭଗବାନ ତା’ର ବ୍ୟାକୁଳତା ଦେଖି ତା’ର ସହାୟ ହୁଅନ୍ତି । ସାଧୁମାନଙ୍କ ମଧ୍ୟରେ ଏପରି କେତେକ ଅଛନ୍ତି ଯେଉଁମାନେ କି ବୈରାଗ୍ୟର ଛଳନା ଦେଖାଇ ଅନ୍ତରରେ ବିଷୟବାସନା, ଯଶ, ଐଶ୍ଵର୍ଯ୍ୟ କାମନାରେ ମାତି ଭଗବାନଙ୍କୁ ଭୁଲି ଯାଆନ୍ତି ।

 

ବିଷୟ ବାସନା ଚିନ୍ତା କରି ସନ୍ନ୍ୟାସୀ ହେବା ଅପେକ୍ଷା ବିବାହ କରି ଗୃହସ୍ଥ ହେବା ବରଂ ଶ୍ରେୟସ୍କର । କାରଣ ତାହା ମଧ୍ୟ ଗୋଟିଏ ଆଶ୍ରମ । ବେଦର ବିଧାନ ଅନୁସାରେ ଗୃହସ୍ଥାଶ୍ରମ ପାଳନ କରି ଆତ୍ମାର ଉନ୍ନତି ସାଧନ ହେଉଛି ମୁକ୍ତିର ଅନ୍ୟତମ ପନ୍ଥା; କିନ୍ତୁ ଜଣେ ବ୍ରହ୍ମଚାରୀ ବା ସନ୍ନ୍ୟାସୀ କାମ ଓ କାଞ୍ଚନର ଦାସ ହୋଇ ଇହକାଳ ଓ ପରକାଳ ଭ୍ରଷ୍ଟ ହେବ କାହିଁକି ?

 

ସଂସାର ତ୍ୟାଗ ଜ୍ଞନତଃ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବା ବିଧେୟ । ଅନ୍ୟଥା ବିବାହ ପୂର୍ବକ ଆଦର୍ଶଗୃହସ୍ଥ ହୋଇ ଗୃହୀ ଧର୍ମ ପାଳନ କରି ନିଜର ଓ ଅନ୍ୟର ଉପକାର କରିବା ଶେୟସ୍କର ।

 

ସଂସାର ତ୍ୟାଗ କରିବା ଅର୍ଥ ନୁହେଁ ଯେ ସନ୍ନ୍ୟାସୀ ହୋଇ ବଣକୁ ପଳାଇବା । ଅସଲ ତ୍ୟାଗ ହେଉଛି ମନରେ । ମନରୁ ସଂସାର ତ୍ୟାଗ ନ ହେଲେ ସଂସାରରେ ରୁହ ବା ସନ୍ନ୍ୟାସୀ ହୋଇ ବଣରେ ରୁହ ଏକା କଥା । ମନରୁ ସଂସାର ତ୍ୟାଗ ଦୂର ନ ହେଲେ, ତୁମେ ବଣରେ ଥାଅ ବା ଯେଉଁଠି ରୁହ ସଂସାର ତୁମ ସଙ୍ଗେ ସଙ୍ଗେ ଯିବ ଏବଂ ଯନ୍ତ୍ରଣା ଭୋଗାଇବ ଥା କବଳରୁ ନିସ୍ତାର ମିଳିବ ନାହିଁ। ସଂସାରର ସବୁ ସୁଖ ଏବଂ ଭଗବାନ ଉଭୟେ ଏକା ସଙ୍ଗେ ମିଳିବା ସମ୍ଭବ ନୁହେଁ । ଭଗବାନଙ୍କୁ ପାଇବା ପାଇଁ କିଛି ତ୍ୟାଗ କରିବା ଦରକାର, କେବଳ ଭୋଗବାଞ୍ଛା କଲେ ଚଳିବ ନାହିଁ ।

 

ସଂସାର କ’ଣ ?

 

ଯେଉଁଠାରେ କେହି କାହାର ନୁହନ୍ତି, ଏପରି କି ଆମେ ନିଜେ ମଧ୍ୟ ନିଜର ନୋହୁ, ତାକୁ ହିଁ ସଂସାର କୁହାଯାଏ ।

 

ଯେ ନିଜେ ନିଜର ମିତ୍ର, ସେ ସମଗ୍ର ସଂସାରର ମଧ୍ୟ ମିତ୍ର ।

(ଗୀତା) ଆତ୍ମୈବହ୍ୟାତ୍ମନୋ ବନ୍ଧୁରାତ୍ନୈବ ରିପୁରାତ୍ମନଂ ।।

 

ଶୁଦ୍ଧ ମନ ହିଁ ମନୁଷ୍ୟର ପ୍ରକୃତ ହିତକାରୀ ବା ମୁକ୍ତିର କାରଣ । ବିଷୟାସକ୍ତ ମନ ହିଁ ମନୁଷ୍ୟର ପରମ ଶତ୍ରୁ (ବନ୍ଧନର କାରଣ) ।

 

ସଂସାର ଅସାର ଓ ଅନିତ୍ୟ । ଈଶ୍ଵର ଏକମାତ୍ର ସତ୍ୟ, ଏକଥା ବା ଏଇ ଭାବନା ଯେତେଦିନ ପର୍ଯ୍ୟନ୍ତ ମନରେ ନ ଆସେ, ସେତେଦିନ ଯାଏ ଧ୍ୟାନ ସମୟରେ ମନ ଚଞ୍ଚଳ ହେବ । ଇନ୍ଦ୍ରିୟ ସୁଖରେ ଯେତେ ବିତୃଷ୍ଣା ଆସିବ, ଈଶ୍ଵର ଅନୁରାଗ ତେତେ ବଢ଼ିବ ମନର ଏକାଗ୍ରତା ସେତେ ଦୃଢ଼ ହେବ । ତା’ର ସ୍ଵାଦ ବୁନ୍ଦାଏ ମାତ୍ର ପାଇଲେ ଜଗତର ସବୁସୁଖ ତୁଚ୍ଛବୋଧ ହେବ ।

 

ସଂସାରକୁ ଏକ ଦୀର୍ଘ ସ୍ଵପ୍ନ ବୋଲି ମନେକର । ଯେତେକ୍ଷଣ ସଂସାରରେ ଅଛ ବ୍ୟାବହାରିକ ଭାବରେ ତାହାକୁ ସତ୍ୟ ମନେ କରି ନିଜର କର୍ତ୍ତବ୍ୟ କରିଯାଅ; କିନ୍ତୁ ଏକଥା ଧାରଣା ରଖିଥାଅ ଯେ, ତିନି କାଳରେ ସତ୍ୟ ଓ ନିତ୍ୟ ବସ୍ତୁ ହେଉଛନ୍ତି ଏକ ଭଗବାନ । ତାଙ୍କୁ ଲାଭ ନ କରିବା ଯାଏ ଚରମ ସୁଖ, ଶାନ୍ତି, ମୁକ୍ତି ନାହିଁ । ଏପରି ଦୁର୍ଲ୍ଲଭ ମନୁଷ୍ୟ ଜୀବନ ଧରି, ଏପରି ସୁବିଧା ଲାଭ କରି ତାଙ୍କୁ ପାଇବାର ଚେଷ୍ଟା ନ କଲେ ଏ ଜୀବନ ଧରି, ଏପରି ସୁବିଧା ଲାଭ କରି ତାଙ୍କୁ ପାଇବାର ଚେଷ୍ଟା ନ କଲେ ଏ ଜୀବନ ବୃଥା । ମନୁଷ୍ୟ ଜନ୍ମର ଯଥାର୍ଥତା ଅକାରଣ କହିଲେ ଚଳେ-

 

ଏ ଅନିତ୍ୟ ସଂସାରରେ ଯେପରି ସଂଯୋଗ ସେପରି ବିଯୋଗ । ଯେଉଁଠି ସଂପଦ ସେଇଠି ବିପଦ । ଯେଉଁଠି ସୁଖ ଯେଉଁଠି ଦୁଃଖ, ଯେଉଁଠି ଅର୍ଥ, ସେଇଠି ଅନର୍ଥ । ଭୋଗ ସଙ୍ଗେ ସଙ୍ଗେ ରୋଗ ଏବଂ ବିଷୟ ପାଖେ ପାଖେ ବିବାଦ । ଏସବୁ ଦେଖି ଜାଣି ମଣିଷ ଯେ, କି ସୁଖ ଲାଗି ସେତିରେ ଜଡ଼ିତ ହୁଏ – ତାହା କିଛି ବୁଝି ହୁଏନା । ବିଷୟ ସେବାରେ ଯେଉଁ ସୁଖ ଅଛି; ତାହା ମନୁଷ୍ୟର ସର୍ବନାଶର କାରଣ । କିନ୍ତୁ ଏତେ ଦୁଃଖ ପାଇ ସୁଦ୍ଧା ଅଳ୍ପ ସୁଖ ପାଇଲେ ସେ ସବୁ ଭୁଲିଯାଏ ।

 

ସମସ୍ତ ବିଷୟର ପରିଣାମ ଚିନ୍ତା କରି କାମକଲେ ଦୁଃଖରୁ ତ୍ରାହି ମିଳନ୍ତା । ଠକିକରି ମଧ୍ୟ ମନୁଷ୍ୟ ଶିଖେନା; ତା’ର ଏପରି ଦୁଃଖ କିଏ ବା ନିବାରଣ କରିପାରିବ ? ଯେ ଚେଇଁ ଶୋଇବ ତାକୁ କିଏ ବା ଉଠାଇବ ?

 

ଯେଉଁ କର୍ମରେ, ଆଉ ଏ ଦୁଃଖମୟ ସଂସାରକୁ ଅସିବାକୁ ନ ହୁଏ, ଅନନ୍ତ ଯନ୍ତ୍ରଣା ଭୋଗିବାକୁ ନ ହୁଏ, ସେହିପରି କର୍ମ କରିବା ମନୁଷ୍ୟ ଜୀବନର ସାର୍ଥକତା ।

 

ଆମେ ଏ ସଂସାରକୁ ସତ୍ୟ ମନେ କରି ଭ୍ରମ ବଶତଃ ନିଜର ସ୍ଵାର୍ଥ ଓ ଅଧିକାର ରକ୍ଷା ନିମନ୍ତେ ପ୍ରାଣପଣେ ଶତବାଶା ବିଘ୍ନର ଦାଉ ସହି ଦିନରାତି ଲାଗିଥାଉଁ । ଶେଷରେ ନିଜେ ଅଶାନ୍ତି ଭୋଗ କରୁ, ପରର କ୍ଷତି ବା ସର୍ବନାଶ କରିବାକୁ କୁଣ୍ଠାବୋଧ କରୁନା । କେତେକ ବ୍ୟକ୍ତି କହନ୍ତି, ସେମାନଙ୍କର ଏପରି କାମ ଯେ, ମରିବାକୁ ତର ନାହିଁ । ଭଗବାନଙ୍କ ନାମ ନେବାକୁ ସମୟ ମଧ୍ୟ ହେଉ ନାହିଁ। କେଡ଼େ ଦୁଃଖର କଥା – ଦେଖତ – ସବୁ ବିଷୟ କର୍ମ ପାଇଁ ସମୟ ଅଛି, କିନ୍ତୁ ଈଶ୍ଵର ଚିନ୍ତା ପାଇଁ ସମୟର ଅଭାବ !

 

 

 

 

ସଂସାର ଦୁଇ ପ୍ରକାର

 

କାତେକ ବ୍ୟକ୍ତି କହନ୍ତି, ଆମେ ତ ସଂସାରୀ, ଆମ ପକ୍ଷରେ କ’ଣ ଈଶ୍ଵର ଲାଭ ସମ୍ଭବ ହେବ ? ଆମେ କହୁ; ନ ହେବ ବା କାହିଁକି ? ସମସ୍ତେ ଭଗବାନଙ୍କର ସନ୍ତାନ, ସଂସାରୀ କିଏ ନୁହେଁ ? ଭଗବାନ କ’ଣ କେବଳ ସନ୍ନ୍ୟାସୀଙ୍କର ? ନାଁ ସେ ସମସ୍ତଙ୍କର । ସଂସାର ଦୁଇ ପ୍ରକାର ଯଥା-ବିଦ୍ୟାର ସଂସାର ଓ ଅବିଦ୍ୟାର ସଂସାର । ମୋର ପୁଅ, ମୋ ସ୍ତ୍ରୀ, ମୋ ଘର, ମୋ ଜମି ଇତ୍ୟାଦି ସବୁବେଳେ ମୋର ମୋର ହୋଇ ସଂସାରରୁ ବିଦାୟ ନେବା ହେଲା ଅବିଦ୍ୟାର ସଂସାର-। ଆଉ ଅନ୍ୟଟି ହେଉଛି ଠାକୁର (ଭଗବାନ) ପାଇଁ, ଆଶ୍ରମ ପାଇଁ, ଜନତାଙ୍କ ପାଇଁ, ସର୍ବସାଧାରଣ ସୁବିଧା ପାଇଁ (ନିଃସ୍ଵାର୍ଥ ପର ସେବା) । ଏହି ଯେଉଁ ସଂସାର ହେଲା ସେ ବିଦ୍ୟାର ସଂସାର (ସବୁଥିରେ ନିର୍ଲିପ୍ତ) ।

 

ସମସ୍ୟା ସମାଧାନ

 

ସଂସାରର ଜ୍ଵାଳା, ଯନ୍ତ୍ରଣା, ମନକଷାକଷି, ଝଗଡ଼ା, ଅଶାନ୍ତିର କଥା ଭାବି ଭାବି ମନ ଖରାପ କରିବା ନାହିଁ । ତଦ୍ଵାରା କିଛି ଲାଭ ନାହିଁ । ଏସବୁ ନେଇ ମନେ ମନେ ବା ଅନ୍ୟ ସହିତ ଆଲୋଚନା କଲେ ଅଧିକ ଅଶାନ୍ତି ବଢ଼େ । ଯେତେ ପାର ସହି ଯିବାକୁ ଚେଷ୍ଟା କରିବ ।

 

“ଯେ ସହେ ସେ ରହେ, ସେ ନ ସହେ, ସେ ନାଶ ହୁଏ”।

 

ସଂସାରକୁ ଏତେ ଭୟ କଲେ କ’ଣ ଚଳିବ ? ବୀର ହେବା ଦରକାର । ସଂସାରକୁ ତୁଚ୍ଛ ମନେ କରିବା ଉଚିତ । ନିଜକୁ ଅତି ହୀନ, ଦୁର୍ବଳ, ଅପଦାର୍ଥ ‘ମୋ ଦ୍ଵାରା’ କିଛି ହେବ ନାହିଁ, ମୁଁ କିଛି କରିପାରିବି ନାହିଁ, ଏପରି ଭାବ ତ୍ୟାଗ ନ କଲେ କେଉଁ କାଳେ କିଛି ହୋଇ ପାରିବ ନାହିଁ । ଏସବୁ ଭାବନା ମନରୁ କାଢ଼ି ଫୋପାଡ଼ି ଦେବା ଦରକାର । ଏହା ପରିବର୍ତ୍ତେ କୁହ, ମୋର ଅସାଧ୍ୟ କିଛି ନାହିଁ, ମୁଁ ଅମୃତର ପୁତ୍ର, ଅମୃତରେ ମୋର ଜନ୍ମଗତ ଅଧିକାର, କୌଣସି ମତେ ତହିଁରୁ କେହିମୋତେ ବଞ୍ଚିତ କରିପାରିବ ନାହିଁ । ଯେତେବେଳେ ମନରେ ଦୁର୍ବଳତା ଆସିବ ସେତେବେଳେ ନିମ୍ନ ଲିଖିତ ଶ୍ଲୋକଟିକୁ ଆବୃତ୍ତି କରିବ-

 

ଶ୍ଲୋକ ; - “ଅହଂ ଦେବୋ ନଚାନ୍ୟୋହସ୍ମି

ବ୍ରହ୍ମୈବାହଂ ନ ଶୋକଭାକ୍,

ସଚ୍ଚିଦାନନ୍ଦ ରୂପୋଽହଂ ନିତ୍ୟମୁକ୍ତ ସ୍ଵଭାବବାନ୍”

 

ଅର୍ଥାତ୍ – ମୁଁ ଦେବତା, ଅନ୍ୟ କିଛି ନୁହେଁ । ମୁଁ ସାକ୍ଷାତ୍ ବ୍ରହ୍ମ ସ୍ଵରୂପ, କୌଣସି ଶୋକ ମୋତେ ସ୍ପର୍ଶ କରିବ ନାହିଁ ।

 

ମୁଁ ସଚ୍ଚିଦାନନ୍ଦ ସ୍ଵରୂପ, ନିତ୍ୟମୁକ୍ତ, ସ୍ଵଭାବବାନ୍ । ଓଁ ତତ୍ସତ୍ ଓଁ ।

 

ସଂସାରରେ ସବୁର ବିଚ୍ଛେଦ ଅଛି, ଶେଷ ଅଚି । କିନ୍ତୁ ଭଗବତ୍ ପ୍ରେମର ଶେଷ ନାହିଁ, କି ବିଚ୍ଛେଦ ନାହିଁ । ତାହା ଅଫୁରନ୍ତ ଭଣ୍ଡାର । ଯେତେ ପାନ କରିବ ତେତେ ପିପାସା ବଢ଼ିବ । ଶେଷରେ ଆନନ୍ଦରେ ବିଭୋର ହୋଇ ନିଜକୁ ଭୁଲି ତନ୍ମୟ ହୋଇଗଲେ ଜୀବତ୍ଵ ଭାବ ଯାଇଁ ଦେବତ୍ଵ ପ୍ରାପ୍ତି ହେବ, ଶବତ୍ଵ ଯାଇଁ ଶିବତ୍ଵ ମିଳିବ, ମୃତ୍ୟୁର ବଦଳରେ ଅମୃତତ୍ଵ ଲାଭ ହେବ ।

 

ସଂସାରୀର ବଦ୍ଧମୁକ୍ତ ଅବସ୍ଥା

 

ଗୃହୀ ପକ୍ଷରେ କିଛି କିଛି ସଂଚୟ କରିବା ଉଚିତ୍ । ତାହା ଭବିଷ୍ୟତରେ କାମରେ ଆସେ । କାରଣ ସ୍ଵାସ୍ଥ୍ୟ, ଚାକିରୀ, ବ୍ୟବସାୟ, ଧନ, ଜନ, କିଛି ସ୍ଥାୟୀ ନୁହେଁ । ଯୌବନରେ ଓ ପୌଢ଼ ଅବସ୍ଥାରେ ଆହାର, ବିହାର, ଲୌକିକ ଆଡ଼ମ୍ବର, ଅସତ୍ସଙ୍ଗ, ପ୍ରବୃତ୍ତି ଓ ଇନ୍ଦ୍ରିୟ ବଶ ହୋଇ ଅଯଥା ବ୍ୟୟ କରି ଶେଷବେଳେ ଦୁଃଖ ଭୋଗିବା ସାର ହୋଇଥାଏ । ବୁଦ୍ଧାବସ୍ଥାରେ କିଛି ସଂଚିତ ଧନ ଥିଲେ ହା’ହତାଶ ନ ହୋଇ ମନ ସୁଖରେ ସ୍ଵାଧୀନ ଭାବରେ ଭଗବତ୍ ଚିନ୍ତାରେ ଜୀବନ କଟାଇବାକୁ ହୁଏ ।

 

ଆସକ୍ତିଶୂନ୍ୟ ବ୍ୟକ୍ତିର ଗୃହ ହିଁ ତପୋବନ । ଆସକ୍ତିକୁ ମନରୁ ତ୍ୟାଗ ନ କରି ତୁମେ ଯେଉଁଠି ରୁହନା କାହିଁକି ତୁମକୁ ବନ୍ଧନରୁ ତ୍ରାହି ମିଳିବ ନାହିଁ । ଦିନକୁ ଦିନ ନୂଆ ନୂଆ ବନ୍ଧନ ଆସି ଜୁଟିଯିବ ।

 

ଯେ ସଂସାରରେ ରହି ଭଜନ, ସାଧନ କରି ମନକୁ ବଶରେ ରଖି ବିଷୟରୁ ଆସକ୍ତି ଶୂନ୍ୟ ହୁଏ, ତା ପକ୍ଷରେ ଘର ଓ ବଣ ଦୁହେଁ ସମାନ । ସେ ଯେଉଁଠି ଥାଉ, ଯାହାକରୁ ସେ ନିତ୍ୟମୁକ୍ତ, ଆନନ୍ଦମୟ ।      

 

ତ୍ରୟୋଦଶ ଅଧ୍ୟାୟ

 

ଜ୍ଞାନ

 

ଆଦ୍ୟରେ ସତ୍ସ୍ଵରୂପ ଅଦ୍ଵିତୀୟ ବ୍ରହ୍ମ ହିଁ ଥିଲେ । ପରେ ଏକରୁ ବହୁତ ହେବାକୁ ସଂକଳ୍ପ କରି ତପସ୍ୟା ବଳରେ ଜଗତ ସୃଷ୍ଟି କଲେ । ସମସ୍ତ ସ୍ଥାବର, ଜଙ୍ଗମ, ଜୀବଜନ୍ତୁ ସୃଷ୍ଟି କରି ନିଜେ ତହିଁରେ ବା ସବୁରି ଭିତରେ ଅନୁପ୍ରବିଷ୍ଟ ହେଲେ ଏବଂ ଏକମାତ୍ର ମନୁଷ୍ୟକୁ ବିଚାର ବୁଦ୍ଧି ଦେଲେ ।

 

“ପଡ଼ି ପଞ୍ଚଭୁତ ଫାନ୍ଦେ,

ବ୍ୟାକୁଳେ ଜୀବନ କାନ୍ଦେ ।”

 

ଏହି ବୁଦ୍ଧିମନ୍ତ ‘ବହୁରୂପୀ’ ନିଜର ନିର୍ବୋଧତା, ଅକର୍ମଣ୍ୟତା ଆଦି ଯେତେ ଦୋଷତ୍ରୁଟି ତା’ କାନ୍ଧରେ ଲଦି ଦେଇ ନିଜେ ଖଲାସ । ଶାକ୍ଷୀ ଭାବରେ ଦୂରରେ ଦଣ୍ଡାୟମାନ ।

 

ବେଦ କହେ, ଯାହା ପୂର୍ଣ୍ଣ ତାହା ତିନିକାଳେ ମଧ୍ୟ ପୂର୍ଣ୍ଣ, ତା’ର କମ୍ ବା ବେଶୀ ଓ କ୍ଷୟ ବା ବୃଦ୍ଧି ନାହିଁ । ପୂର୍ଣ୍ଣରୁ ପୂର୍ଣ୍ଣ କାଢ଼ିନେଲେ ସେହି ପୂର୍ଣ୍ଣ ହିଁ ବାକି ରହେ । ପୂର୍ଣ୍ଣରେ ପୂର୍ଣ୍ଣ ଯୋଗ କଲେ ସେହି ପୂର୍ଣ୍ଣ ହିଁ ହୁଏ । ତାହା ଏକମାତ୍ର ପୂର୍ଣ୍ଣ ବ୍ରହ୍ମ ପରମାତ୍ମା । ସେହିପରି ପୂର୍ଣ୍ଣର ବିନିମୟରେ ପୂର୍ଣ୍ଣତ୍ଵର ଲାଭ ହୁଏ । ପୂର୍ଣ୍ଣସ୍ଵରୁପ ପରମେଶ୍ଵରଙ୍କୁ ପାଇବାକୁ ହେଲେ ଶରୀରରେ ପୂର୍ଣ୍ଣ ସାମର୍ଥ୍ୟ ଓ ସମସ୍ତ ମନ, ପ୍ରାଣ, ଅନ୍ତଃକରଣ ନିୟୋଗ କରି ତହିଁରେ ତନ୍ମୟ ହୋଇ ସାଧନ କଲେ ଅଭୀଷ୍ଟ ସିଦ୍ଧି ହୁଏ ।

 

ଉପନିଷଦରେ କୁହାଯାଇଛି, ଯେ ବ୍ରହ୍ମକୁ ଜାଣେ ସେ କିଛି ଜାଣେ ନାହିଁ । ଯେ ଜାଣେ ସେ ଅବାଂମାନସଗୋଚର, ପୂର୍ଣ୍ଣ ଜ୍ଞାନ ସ୍ଵରୂପ ଜ୍ଞାନାତୀତ; ସେହି ହିଁ ପ୍ରକୃତରେ ତାଙ୍କ ଜାଣେ । ସେତେବେଳେ ସେ ସ୍ଵୟଂ ବ୍ରହ୍ମ ପାଲଟିଯାଏ । ଜ୍ଞାତାଙ୍କୁ କିଏ ଜାଣେ । ସେତେବେଳେ ସେ ସ୍ଵୟଂ ବ୍ରହ୍ମ ପାଲଟିଯାଏ । ଜ୍ଞାତାଙ୍କୁ କିଏ ଜାଣି ପାରିବ ? ବ୍ରହ୍ମ (ଈଶ୍ଵର) ସତ୍ୟଜ୍ଞାନ, ଆନନ୍ଦ ସ୍ଵରୂପ, ଅନନ୍ତ ସ୍ୱରୂପ ଏଗୁଡ଼ିକ ତା’ର ଗୁଣ ନୁହେଁ, ତା’ର ସତ୍ତା, କାରଣ ଗୁଣ ନିତ୍ୟ ନୁହେଁ, ଗୁଣର କ୍ଷୟ ବୃଦ୍ଧି ଅଛି । ସେ ଗୁଣାତୀତ, ସର୍ବାତୀତ । ତା’ର ପୂର୍ଣ୍ଣ ସ୍ଵରୂପ ଉପଲବ୍ଧ ହେଲେ ମଶ୍ୟ ଦ୍ଵୈତଭାବ ଲୋପ ହେତୁ, କାହା ଆଗରେ ତାହା ପ୍ରକାଶ କରି ହୁଏ ନାହିଁ ।

 

ଜ୍ଞାନ ମାର୍ଗରେ ମୂଳରୁ ସମସ୍ତ ଅସ୍ଵୀକାର କରିବାକୁ ହୋଇଥାଏ । ଏ ନୁହେଁ, ସେ ନୁହେଁ, ମୁଁ ନୁହେଁ ଓ ମୁଁ ସେ ନୁହେଁ । ଯାହା କିଛି ଦେଖେ ଅନୁଭବ କରେ ଏସବୁ କିଛି ମୁଁ ନୁହେଁ । ମୁଁ ଦେହ, ମନ, ଇନ୍ଦ୍ରିୟ ନୁହେଁ । ମୋର ରୋଗ, ଶୋକ, ସୁଖ, ଦୁଃଖ, ଶୀତ ଉଷ୍ଣ ଜ୍ଞାନ ନାହିଁ । ଜଗତ ପ୍ରପଞ୍ଚ ସର୍ବେବ ଅସତ୍ । ଭୂତ, ଭବିଷ୍ୟତ, ବର୍ତ୍ତମାନ ଏହାର ଅସ୍ତିତ୍ଵ ନାହିଁ । ମୁଁ ଅଖଣ୍ଡ, ସତ୍-ଚିତ୍-ଆନନ୍ଦ ସ୍ଵରୂପୀ ପୂର୍ଣ୍ଣବ୍ରହ୍ମ । ଦେହାଦି ଉପାଧ୍ ବିଶିଷ୍ଟ ଜୀବପକ୍ଷରେ ଏପରି ସାଧନ ସହଜ ନୁହେଁ । ଏହା ବିଷୟ ବର୍ଜିତ ତ୍ୟାଗୀ ସାଧକର ଚରମ ଅବସ୍ଥା ବା ନିର୍ବିକଳ୍ପ ସମାଧି ଅବସ୍ଥା । ଏପରି ଅବସ୍ଥାରେ ଦେହ ଏକୋଇଶ ଦିନରୁ ଅଧିକ ରହେ ନାହିଁ । ଶିବ ଓ ଶକ୍ତି,ପୁରୁଷ ଓ ପ୍ରକୃତି – ଦୁହେଁ ଏକ, ଏକରୁ ଦୁଇ, ପରମାର୍ଥତଃ ଅଭେଦ । ଯେ ପର୍ଯ୍ୟନ୍ତ ଆମର ଦ୍ଵୈତ ବୁଦ୍ଧି ଅଛି, ଉପାସ୍ୟ ଉପାସିକ ଭାବ ରହିଛି, ସେ ପର୍ଯ୍ୟନ୍ତ ଏପରି ଭେଦ କଳ୍ପନା ରହିବା ସ୍ଵାଭାବିକ । ଏହା ନ ଥିଲେ ସାକାର ଭଜନ ସମ୍ଭବ ହେବନି । କଳ୍ପନାରୁ ସାକାର ଭଜନ, ଧ୍ୟାନାଦି ହୋଇଥାଏ । ନିରାକାର ଭଜନ ଦେହଧାରୀ ପକ୍ଷରେ ଅସମ୍ବବ ।

 

ମାତାଲ ଦୁଇ ପ୍ରକାର ଥାଆନ୍ତି । ଏକ ରକମ ମାତାଲ ଖୁବ୍ ମଦ ଖାଇ ନିଶାରେ ଚୁର ହୋଇ ଆନନ୍ଦରେ ମା’ ମା’ କହି ଗର୍ଜନ କରେ । ଶ୍ୟାମା ସଙ୍ଗୀତ ଗାଇ ପ୍ରେମାଶ୍ରୁରେ ଭାସିଯାଏ । ଆଉ ଅନ୍ୟଜଣକ ବେଶୀ ମଦଖାଇ ଭୁଙ୍ଗା ହୋଇ ଅଚୈତନ୍ୟ ଅବସ୍ଥାରେ ପଡ଼ିଥାଏ । ଏମାନଙ୍କର ମଦ୍ୟରେ ପ୍ରଥମଟି ଭକ୍ତ, ଦ୍ଵିତୀୟଟି ଜ୍ଞାନୀ । ଦୁଇଜଣ ନିଜ ନିଜ ଭାବରେ ତନ୍ମୟ । ତେବେ ଭକ୍ତ ଅହଂ ଭାବ ତ୍ୟାଗ କରି କହେ ମୁଁ ତାର । ଜ୍ଞାନୀ କହେ ମୁଁ ସେହି ସଚ୍ଚିଦାନନ୍ଦ ବ୍ରହ୍ମ । ଦୁହିଁଙ୍କର ଚରମ ଲକ୍ଷ୍ୟ ଏକ, ଆନନ୍ଦ ମଧ୍ୟ ଏକ।

 

ଭ୍ରମାତ୍ମକ ଭାବନାର ବିନାଶ

 

ସ୍ଵାଧୀନତା ପରମ ସୁଖ । ପରାଧୀନତା ମହା ଦୁଃଖ । ଈଶ୍ଵରଙ୍କ ଦାସତ୍ଵ ଯଥାର୍ଥ ସ୍ଵାଧୀନତା । ଷଡ଼ରିପୁର ଦାସତ୍ଵ ତ୍ୟାଗ ନ କଲେ, ଈଶ୍ଵରଙ୍କ ଦାସତ୍ଵ ଲାଭ ହୋଇ ପାରେ ନାହିଁ । ମନୁଷ୍ୟର ନିଜର ବନ୍ଧନ ନିଜ ହାତରେ ଏବଂ ନିଜର ମୁକ୍ତି ମଧ୍ୟ ନିଜ ହାତରେ। ନିଜେ ଜାଣି ଶୁଣି ବିଷୟ ବନ୍ଧନରେ ପଡ଼ି ମରିବାର ଦେଖାଯାଏ । ତନ୍ତ୍ରରେ ଅଛି, ଯଥା-

 

ଗୁରୌ ମନୁଷ୍ୟ ବୁଦ୍ଧିସ୍ତୁ ମନ୍ତ୍ରେ ଚାକ୍ଷର ଭାବନମ୍ ।

ପ୍ରତିମାସୁ ଶିଳା ଜ୍ଞାନଂ – କୁର୍ବାଣୋ ନରକଂ ବ୍ରଜେତ୍ ।

 

ଅର୍ଥାତ୍ – ଗୁରୁଙ୍କ ଠାରେ ମନୁଷ୍ୟ ବୁଦ୍ଧି କରିଲେ, ଇଷ୍ଟ ମନ୍ତ୍ରକୁ ଅକ୍ଷର ବୋଲି ଭାବିଲେ, ଦେବା-ଦେବୀ ମୂର୍ତ୍ତିକୁ ପଥର ବା ମୂର୍ତ୍ତିକା ଜ୍ଞାନ କଲେ, ମନୁଷ୍ୟ ନରକଗାମୀ ହୁଏ । ଅତଏବ ଏପରି ଭ୍ରମାତ୍ମକ ବିପରୀତ ବୁଦ୍ଧି ହେତୁ ଅଶ୍ରଦ୍ଧା ଓ ବିଶ୍ଵାସହୀନତା ଦୋଷରୁ ଆଧ୍ୟାତ୍ମିକ ଉନ୍ନତି ହୁଏ ନାହିଁ ବରଂ ମନୁଷ୍ୟର ଅଧୋଗତି ହୁଏ ।

 

ଆମେ ଯନ୍ତ୍ର ସେ ଯନ୍ତ୍ରୀ । ଏ କଥା କହିବା’ ଏପରି ଲୋକ ପକ୍ଷରେ ସାଜେ, ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଇଚ୍ଛା ସହିତ ନିଜ ଇଚ୍ଛାକୁ ଏକତ୍ର କରି ପାରେ । ସବୁ ବ୍ୟକ୍ତିଙ୍କ ପକ୍ଷେ ଏ କଥା କହିବା ସମ୍ଭବ ହୋଇ ପାରେନା । ଯେ ସେପରି କଥା କହେ ସେ ଭିକ୍ତ । ଏକମାତ୍ର ପରମେଶ୍ଵରଙ୍କ ବ୍ୟତୀତ ଅନ୍ୟ କିଛି ସେ ଜାଣେନା । ତାର ପାଦ କେବେ ବେତାଳରେ ପଡ଼େନା ।

 

ତାଦ୍ଵାରା କୌଣସି ଖରାପ କାମ ହୁଏନା । ତାର ହୃଦୟ ଅଦମ୍ୟ ଶକ୍ତି ଓ ଅନୁପ୍ରେରଣାରେ ଭରପୂର ଥାଏ ତାର ନୈରାଶ୍ୟଭାବ ଆସେନା ।ସେ ସୁଖ, ଦୁଃଖରେ ବିଚଳିତ ହୁଏନା ।

 

ଦେବମାନବ ଓ ପଶୁମାନବ

 

ଶରୀର ପ୍ରତି ଆସକ୍ତି ହିଁ ସବୁ ଅନର୍ଥର ମୂଳ । ଏଇଥି ପାଇଁ କେତେ ଭୟ, କେତେ ଭୁଲ୍ ଓ କେତେ ଭୁଲ୍ ଓ କେତେ ଅଧର୍ମ ହୋଇଥାଏ । ଶରୀର ଧାରଣ ନିମିତ୍ତ ମନୁଷ୍ୟ ନାନା ଅପକର୍ମ କରି ବସେ । ଏପରି କି ଚୋରି, ଅନ୍ୟର ସର୍ବନାଶ ଓ ହତ୍ୟା ପର୍ଯ୍ୟନ୍ତ କରେ । କାମିନୀ କାଞ୍ଚନ ହିଁ ତାର ଉପାସ୍ୟ ଦେବତା ହୁଏ । ଫଳରେ ସୁଖ ଆଶାରେ କେବଳ ଦୁଃଖ ଓ ଦେହ ରକ୍ଷା ଆଶାରେ ମୃତ୍ୟୁକୁ ହିଁ ଆଲିଙ୍ଗନ କରେ । ପ୍ରତି ମୁହୂର୍ତ୍ତରେ ତାର ମୃତ୍ୟୁ ଭୟ । କିନ୍ତୁ ଯେ ମହାପୁରୁଷ, ଯେ ଦେହ-ବୁଦ୍ଧି ତ୍ୟାଗ କରିଛି, ସେ ଅନ୍ୟ ପାଇଁ ଜୀବନ ଦାନ କରିପାରେ । ମନୁଷ୍ୟ ଦୁଇ ପ୍ରକାର ପଶୁ ମାନବ ଓ ଦେବ ମାନବ ।

 

ବିଷୟରେ କିମ୍ବା କାହା ପ୍ରତି ଆସକ୍ତ ବା ମମତାବୋଧ ସମସ୍ତ ସଂସାର ବନ୍ଧନର ମୂଳ କାରଣ । ଜ୍ଞାନୀ ବ୍ୟକ୍ତି କାହାକୁ ବ୍ୟକ୍ତିଗତ ଭାବରେ ଭଲ ପାଇବା ଅଥବା କୌଣସି ଏକ ପଦାର୍ଥରେ ଆସକ୍ତି ରଖିବାର ପ୍ରୟାସ କରନ୍ତି ନାହିଁ । ସେ ଭଗବାନଙ୍କୁ ନିଜ ଆତ୍ମାରେ ଓ ସମସ୍ତଙ୍କ ମଧ୍ୟରେ ଦର୍ଶନ କରନ୍ତି । ତେଣୁ ସେ ସର୍ବଜୀବକୁ ସମ ଭାବରେ ଭଲ ପାଆନ୍ତି । ତାଙ୍କ ପ୍ରେମରେ ଦେହ ଇନ୍ଦ୍ରିୟର ସମ୍ବନ୍ଧ ନ ଥାଏ ବା ରୂପଜ ମୋହ ନ ଥାଏ । ଜ୍ଞାନୀ ହିଁ ପ୍ରକୃତ ପ୍ରେମିକ ଏବଂ ପ୍ରକୃତ ପ୍ରେମିକ ହିଁ ଜ୍ଞାନୀ ।

 

ଚତୁର୍ଦ୍ଦଶ ଅଧ୍ୟାୟ

 

କର୍ମ ଓ ଭକ୍ତି

 

ପ୍ରଥମ ଅବସ୍ଥାରେ କର୍ମ ମଧ୍ୟ ଆବଶ୍ୟକ, ଏବଂ ତତ୍ସହ ସାଧନ ଭଜନ ମଧ୍ୟ ଆବଶ୍ୟକ-। ଦୁଇଟିଯାକ କରିବାକୁ ହେବ । ଦୁହିଁଙ୍କର ଉଦ୍ଦେଶ୍ୟ ଭଗବାନ ଲାଭ, ମନରେ ଏହି ଦୃଢ଼ ଧାରଣା ରଖିଥିବା । ଆଦର୍ଶ ଠିକ୍ ନ ରଖିଲେ ନାନା ଉପସର୍ଗ ଆସି ଜୁଟେ ଓ କର୍ମରେ ନିଜକୁ ହାରିବାକୁ ପଡ଼େ । ସେଥିପାଇଁ ସର୍ବଦା ସଜାଗ ରହିବାକୁ ହେବ । ତା’ ହେଲେ ପ୍ରଭୁଙ୍କ କୃପାରୁ ଏପରି ଅବସ୍ଥା ଆସିବ, ଯେତେବେଳେ ସାଧନ ଭଜନରେ ଓ କର୍ମରେ କିଛି ତଫାତ ବୋଧ ହେବ ନାହିଁ ।

 

ତେବେ ସୁଦ୍ଧା କର୍ମୀ ବ୍ୟକ୍ତି ମଧ୍ୟେ ମଧ୍ୟେ, କିଛି ଦିନ ପାଇଁ ବୈରାଗ୍ୟଭାବ ଅବଲମ୍ଵନ କରି ତୀର୍ଥ ଭ୍ରମଣ, ନିର୍ଜ୍ଜନରେ ସାଧନ, ଭଜନ କରିବା ଦରକାର ।

 

ଏହାଦ୍ଵାରା ଶରୀର ଓ ମନ ସତେଜ ଓ ପ୍ରଫୁଲ୍ଲ ହୁଏ ଏବଂ ଚରିତ୍ର ଗଠନ ପୂର୍ଣ୍ଣତା ଲାଭ କରେ ।

 

 

 

 

 

ପ୍ରକୃତ ଭକ୍ତି ଲାଭର ଉପାୟ

 

ଆଉ କେତେକ ବ୍ୟକ୍ତି ଭାବନ୍ତି, ସେବା, କର୍ମ ଏ ସବୁ କରିବାରେ ଲାଭ କ’ଣ ? ଏହା ଅପେକ୍ଷା ଦିନ ରାତି ଲାଗି ଭଜନ ସାଧନ କରି ଆଗେ ଭଗବାନଙ୍କୁ ଲାଭ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ତା କ’ଣ ସମ୍ଭବ ? କିଛି ଦିନ କରିବା ପରେ ବେଶ୍ ବୁଜି ହୁଏ ଯେ ଏହା ସମ୍ଭବ ନୁହେଁ । ପରର ହିତ ପାଇଁ କର୍ମ ନକଲେ ଚିତ୍ତ ଶୁଦ୍ଧି ହେବ କିପରି ? ମନ ନିର୍ମଳ ନ ହେଲେ ଚିତ୍ତ ସ୍ଥିର ବା ଶାନ୍ତ ହୁଏ ନାହିଁ ।

 

ମନ ସ୍ଥିର ନ ହେଲେ ଧ୍ୟାନ କିପରି ହେବ ? କର୍ମ କରିବା ସଙ୍ଗେ ସଙ୍ଗେ ବା ସେହି ସମୟରେ ଆପଣାର ପରୀକ୍ଷା ମଧ୍ୟ ହୋଇଥାଏ। ଏ କଥା ଜାଣିରଖିବା ଉଚିତ୍ ।

 

ସତ୍ ଅସତ୍ର ବିଚାର, ଅନ୍ତର ଦୃଷ୍ଟି ଓ ଆତ୍ମ ପରୀକ୍ଷାର ଭାବ ଥିଲେ, ମନ କ୍ରମଶଃ ନିର୍ମଳ ଓ ନିଷ୍କାମ ହୁଏ । ଅହଂଭାବ ନଷ୍ଟ ହୁଏ । ହୃଦୟରେ ପ୍ରେମର ସଂଚାର ହୁଏ । ସେତେବେଳେ ଆଉ କର୍ମରେ କର୍ମବୋଧ ଆସେନା । କର୍ମ ବନ୍ଧନର ହେତୁ ନ ହୋଇ ମୁକ୍ତିର ହେତୁ ହୁଏ । ଅର୍ଥାତ୍ କର୍ମ ସେତେବେଳେ ଈଶ୍ଵର ଉପାସନା ଓ ନାରାୟଣ ଜ୍ଞାନରେ ଜୀବ ସେବାରେ ପରିଣତ ହୁଏ । ଏ ଭଳି କର୍ମ ଓ ଭକ୍ତି ମଧ୍ୟରେ ସେତେବେଳେ ଆଉ ପ୍ରଭେଦ ଜ୍ଞାନ ନ ଥାଏ । ଏହି ହେଲା ପ୍ରକୃତ ଭକ୍ତି । ଏହା ଲାଭ କରିବାର ସ୍ଵାଭାବିକ ଉପାୟ ହେଲା କର୍ମଯୋଗ ।

 

ସମସ୍ତ କର୍ମର ଫଳାଫଳ ଭଗବାନଙ୍କୁ ଅର୍ପଣ କର । ଭଲ-ମନ୍ଦ, ପାପ-ପୁଣ୍ୟ, ଆଦି ସବୁ ତାଙ୍କୁ ସମର୍ପଣ ନ କରି ଭଲଯାକ ତୁମର, ମନ୍ଦ, ଖରାପ ସବୁ ଭଗବାନଙ୍କର ଏପରି କଲେ ଚଳିବ ନାହିଁ ।

 

ଯେବେ ତୁମେ ସୁଖର କାମନା କର ତେବେ, ପ୍ରେମମୟ ଭଗବାନଙ୍କର ସଙ୍ଗସୁଖ ଲାଭ ନିମନ୍ତେ ଲାଳାୟିତ ହୁଅ । ଲୋଭ କରିବତ ପରମ ଅକ୍ଷୟ ଧନର ଅଧିକାରୀ ହେବାକୁ ଚେଷ୍ଟା କର-। ଯେବେ ମୋହଗ୍ରସ୍ତ ହେବାକୁ ଚାହଁ, ତେବେ ଚିରସୁନ୍ଦରଙ୍କ ପ୍ରେମରେ ମଜ୍ଜିଯାଅ । ଯେବେ କ୍ରୋଧ କରିବାକୁ ଚାହଁ ତେବେ ତାଙ୍କରି ଉପରେ ରାଗ କର, କାହିଁକି ସେ ଦେଖାଦେଉ ନାହାନ୍ତି । ଏହିପରି ଅଭ୍ୟାସ କଲେ ତୁମର ଷଡରିପୁ ବାଧକ ନ ହୋଇ ସତ୍ ପଥରେ ସହାୟକ ହେବେ ।

 

ଅହିଂସା ଭାବ

 

ଅହିଂସା ପରମ ଧର୍ମ – ଏହା ଠିକ୍ କଥା କିନ୍ତୁ ଏହା କେବଳ ମୁହଁରେ କହିଲେ ହେବ ନାହିଁ, ଅଥବା ଜୀବ ହତ୍ୟା ତ୍ୟାଗ, ମାଛ, ମାଂସ ନ ଖାଇବାରେ ହୁଏ ନାହିଁ । ସେ ସହିଂସା ହେଉଛି ଯେତେବେଳେ, ସର୍ବଭୂତରେ ଈଶ୍ଵର ଦର୍ଶନ ଅର୍ଥାତ୍‌ ଆତ୍ମାନୁଭୂତି ହୁଏ। ଯୋଗୀମାନେ ଦୁଗ୍ଧ ପାନ କରି ତପସ୍ୟା କରନ୍ତି ଅର୍ଥାତ୍‌ ଆତ୍ମାନୁଭୂତି ହୁଏ । ଯୋଗୀମାନେ ଦୁଗ୍‌ଧ ପାଇଁ ବାଛୁରୀକୁ ତାର ଖାଦ୍ୟରୁ ବଞ୍ଚିତ ବା ତା’ର ପ୍ରାପ୍ୟରୁ ରହିତ ହେବାକୁ ହୁଏ । ଏହା କ’ଣ ହିଂସାର କାର୍ଯ୍ୟ ନୁହେଁ କି ? ତେବେ ଜ୍ଞାନତଃ ଯତ୍ପରୋନାସ୍ତି ଅନ୍ୟର ଅନିଷ୍ଟ ଚିନ୍ତା ନ କରିବା ମଙ୍ଗଳକର । ଅହିଂସା ବଳରେ ସର୍ବଭୂତରେ ପ୍ରେମ ଜାତ ହୁଏ ଓ ହୃଦୟ ନିର୍ମଳ ହୁଏ ।

 

ଏହି ସମସ୍ତ କାରଣରୁ ଭକ୍ତିମାର୍ଗ ସମସ୍ତଙ୍କ ପକ୍ଷେ ସହଜ ସାଧ୍ୟ । ଏତିରେ ଇନ୍ଦ୍ରିୟ ପ୍ରବୃତ୍ତି ଓ ବାସନା ସମୂହ ବିନାଶ କରିବାକୁ ହୁଏ । କେବଳ ସେ ସବୁର ମାର୍ଗ ବଦଳାଇ ଅନ୍ୟ ମାର୍ଗରେ ପରିଚାଳନାର ଅଭ୍ୟାସ କରାଇବାକୁ ପଡ଼ିବ । କାମ, କ୍ରୋଧ, ଲୋଭ, ମୋହ ଆଦି ଯେଉଁଗୁଡ଼ିକ ଅଶେଷ କ୍ଲେଶ ଓ ବନ୍ଧନର କାରଣ, ଯାହାର କବଳରୁ ନିଷ୍କୃତି ନ ପାଇଲେ ବାରମ୍ବାର ଜନ୍ମ ମୃତ୍ୟୁ ଭୋଗ କରିବାକୁ ହୁଏ, ବିଚାର ବୁଦ୍ଧି ଓ ପ୍ରଜ୍ଞା ବଳରେ ମନକୁ କ୍ରମେ ଏମାନଙ୍କ ଠାରୁ ଦୂରେଇ ନେଇ ଭଗବତ ଅଭିମୁଖୀ କରିଲେ ସେମାନେ ଧୀରେ ଧୀରେ ଉର୍ଦ୍ଧ୍ୱଗାମୀ ହୋଇ ଶେଷରେ ଆନନ୍ଦ ରସରେ ଜୀବକୁ ପ୍ଲାବିତ କରାଇ ପାରନ୍ତି ।

 

ପଞ୍ଚଦଶ ଅଧ୍ୟାୟ

 

ମନ

 

ପ୍ରଥମେ ପ୍ରଥମେ ନିୟମିତ ଜପ, ଧ୍ୟାନ କରିବାକୁ ହୁଏ । ମନ ସ୍ଵଭାବତଃ ଚଞ୍ଚଳ, କାର୍ଯ୍ୟରେ ଖଠିବାକୁ ରାଜି ହୁଏ ନାହିଁ । ନାନା ପ୍ରକାର ଛଳନା କରି ଫାଙ୍କି ଦେବାର ପ୍ରୟାସ କରେ। ତାକୁ ଯେଉଁ କାମରେ ଲଗାଇବ ସେ ସେହିକାମ ନ କରି ଅନ୍ୟାନ୍ୟ ଦିଗକୁ ଦୌଡ଼େ । କିଛି ଭଲ କାମରେ ତାକୁ ଲଗାଇ ନ ରଖିଲେ ସେ ନାନା ରକମ କୁକାର୍ଯ୍ୟରେ ରତ ହୁଏ । ଅଳସ ମନ ଏକ ସଇତାନ, ଏହା ସତ କଥା । ତାକୁ ବଶ କରିବାକୁ ହେଲେ ଜୋର କରି ନିୟମ ବନ୍ଧନରେ ବାନ୍ଧିବାକୁ ପଡ଼ିବ । ଦୃଢ଼ ସଂକଳ୍ପ ସହ ସମସ୍ତ ବାଧାବିଘ୍ନ ଏଡ଼ି ତାହା ପାଳନ କରିବାକୁ ହେବ । ଏହା ହିଁ ଅଭ୍ୟାସ ଯୋଗ ଅଟେ ।

 

ଔଷଧ ସେବନ ପରି ଏହି ଅଭ୍ୟାସ ଯୋଗକୁ ଯଦି ତିନି ଚାରି ବର୍ଷ ଧରି କରି ପାରିବ, ତେବେ ଦେଖିବ ଧ୍ୟାନ ଓ ଭଜନରୁ ତୁମ୍ଭକୁ ଏକ ପ୍ରକାର ଅମୃତରୂପୀ ଆନନ୍ଦ ମିଳିବ । ଆଉ ତୁମେ ତାକୁ ଛାଡ଼ିବାକୁ ଇଚ୍ଛା କରିବ ନାହିଁ । ଭଗବତ୍ ଲାଭ ବା ଧର୍ମ ଲାଭର ଏହି ହେଉଛି ପ୍ରକୃଷ୍ଟ ଉପାୟ-। ଏ ଭଳି ସାଧନରେ ସିଦ୍ଧି ଅନିବାର୍ଯ୍ୟ । ମନ୍ତ୍ରର ସାଧନ ବା ଶରୀର ପତନ – ଏହି ପଣ କରି ଲାଗିଲେ ଅମୃତର ଅଧିକାରୀ ହେବ ।

 

 

 

 

ମନ ସ୍ଥିର ପାଇଁ କୌଶଳ

 

ଗୁରୁଙ୍କଠାରୁ ନାମ ଦୀକ୍ଷା ନେବାର କିଛିଦିନ ପରେ କେତେକ ଆସି କହନ୍ତି, ମନସ୍ଥିର ହେଉ ନାହିଁ କାହିଁକି ? ଧ୍ୟାନ ଭଲ ନ ହେଉଛି କାହିଁକି ? ମନସ୍ଥିର ହେବ ସେହିପରି କରିଦିଅ । ମନସ୍ଥିର ହେବା, ଧ୍ୟାନ ଭଲ ଭାବରେ ହେବ – ଏ କ’ଣ ସହଜ କଥା ? ମନ ଜନ୍ମ-ଜନ୍ମାନ୍ତର, ବିଷାୟାସକ୍ତିର ସଂସ୍କାର ବଶରେ ସ୍ଵଭାବତଃ ବହିର୍ମୁଖ । ସେ ଅନବରତ ବିଷୟଭୋଗ ଖୋଜି ବୁଲେ । ତହିଁରେ ସେ ଆନନ୍ଦ ପାଏ । ଜପ ଧ୍ୟାନଦିର ଆନନ୍ଦ ସେ (ମନ) ଚାଖି ନାହିଁ । ଏପରି ମନକୁ ସ୍ଥିର କରିବାକୁ ଅଭ୍ୟାସ ଓ ବୈରାଗ୍ୟ ଲୋଡ଼ା ।

 

ମନ ମଧ୍ୟରେ ସଂସାର କଥା ଥିବା ଯାଏ ଅର୍ଥାତ୍ ବାସନା ବା ଆସକ୍ତି ଥିବାଯାଏ ଇଷ୍ଟ ଲାଭ ହୁଏ ନାହିଁ ।

 

ଘରଦ୍ଵାର ତ୍ୟାଗ କରି ବଣ, ପର୍ବତ-ଗୁହା ଇତ୍ୟାଦି ଯେଉଁଠାକୁ ତୁମେ ଯାଅ, ସଂସାର ତୁମ ସଙ୍ଗେ ସଙ୍ଗେ ଯିବ । ଯେ କୌଣସି ଉପାୟରେ ସେ (ସଂସାର) ତୁମ୍ଭକୁ ବନ୍ଧନରେ ପକାଇବ । ଗୃହୀ ହୁଅ ବା ସନ୍ନ୍ୟାସୀ ହୁଅ, ଆଦର୍ଶ ପ୍ରତି ସବୁବେଳେ ଲକ୍ଷ୍ୟ ନ ରଖିଲେ, ପତନ ଅନିବାର୍ଯ୍ୟ । କେହି ତୁମକୁ ଏଥିରୁ ରକ୍ଷା କରି ପାରିବେ ନାହିଁ । ତେନୁ ନିଜକୁ ନିଜେ ହିଁ ରକ୍ଷା କରିବା ଉଚିତ୍ ।

 

ମନ ପ୍ରତି ସବୁବେଳେ ସଜାଗ ରହିବ । ତାକୁ ବିଶ୍ଵାସ ନାହିଁ ? ହଜାର ଉଚ୍ଚ ଅବସ୍ଥା ଲାଭ କଲେ ସୁଦ୍ଧା, ନିଜକୁ ଜିତେନ୍ଦ୍ରିୟ ବୋଲି ମନେ କରିବ ନାହିଁ । କାରଣ ପତନ ଅସମ୍ଭବ ନୁହେଁ-। ପାପା ସୂକ୍ଷ୍ମ ଭାବରେ କେତେବେଳେ ଧର୍ମର ରୂପ ଧରି, କେବେ ଦୟାର ରୂପ ଧରି, କେବେ ବଂଧୁ ରୂପ ଧରି, ତୁମକୁ ଭୁଲାଇ ବଶ କରିବାକୁ ଚେଷ୍ଟା କରିବ ବା କେତେବେଳେ ତୁମେ ତା ପାଖରେ ହରିଯିବ ତାହା ବିଜି ପାରିବ ନାହିଁ । ଯେତେବେଳେ ବୁଝିପାରିବ, ସେତେବେଳେ ଆଉ ତା କବଳରୁ ମୁକ୍ତି ଲାଭର ବାଟ ନ ଥିବ ।

 

ମନକୁ ସବୁବେଳେ କିଛି ନା କିଛି ଭଲ କାମରେ ଲଗାଇ ରଖିବ । କେବେ ତାକୁ (ମନକୁ) ବେକାର ରହିବାକୁ ଦେବ ନାହିଁ। ଯେବେ ଦେବ ତେବେ ସେ ମନଭୂତ ତୁମକୁ ଜାଳିପୋଡ଼ି ମାରିବ । କାଠକୁ କାଠରେ ଘଷିଲେ ଧେପରି ନିଆଁ ବାହାରେ, ଦୁଗ୍‌ଧକୁ ମନ୍ଥିଲେ ଲହୁଣୀ, ତିଳକୁ ପେଷିଲେ ତେଲ, ମାଟି ଖୋଳିଲେ ଯେପରି ଜଳ ବାହାରେ, ସେହିପରି ଜୀବର ହୃଦୟ ଗୁହାରେ ନିହିତ ତାର ସ୍ଵରୂପ ପରମାତ୍ମା ଯେ, ସେ ମଧ୍ୟ, ପ୍ରାଣପଣ ତପସ୍ୟା- ସାଧନ ଓ ଏକାଗ୍ରତା ଦ୍ଵାରା ଅନୁଭୂତ ହୁଅନ୍ତି ।

 

ମନ ହେଉଛି ଏକ ଫଳ ପରି । କାଞ୍ଚାବେଳେ ଫଳ କଷା ବା ଖଟା ଲାଗେ, ଖାଇଲେ ମଧ୍ୟ ନାନା ପ୍ରକାର ରୋଗ ହୁଏ । ପୁଣି ସେହି ଫଳ ପାଚିଲେ ସୁସ୍ଵାଦୁ ଓ ଉପକାରୀ ହୁଏ ଏବଂ ତାହା ଦେବତାଙ୍କ ଭୋଗରେ ମଧ୍ୟ ଲାଗେ । ମନ ମଧ୍ୟ ସେହିପରି । କଞ୍ଚା ମନର ସତ୍ତ୍ଵ, ରଜଃ ଓ ତମ ଗୁଣ ଅଛି । ସତ୍ତ୍ଵ ଗୁଣରୁ ଧର୍ମ ଭାବ ଓ ପରୋପକାର, ରଜଗୁଣୁ ବିଷୟାସକ୍ତି ଓ ଧର୍ମ ଭାବରେ ଛଳନା ଏବଂ ତମ ଗୁଣରୁ ନିଷ୍ଠୁରତା ଓ ଅନ୍ୟର ଅନିଷ୍ଟ ଚିନ୍ତା ଆଦି ଲକ୍ଷଣମାନ ପ୍ରକାଶ ପାଇଥାଏ-

 

 

 

 

ମନ ଭୂତ

 

ସମୟେ ସମୟେ ସାଥକର ଏପରି ଅବସ୍ଥା ହୁଏ ଯେ, ମନରେ ସତ୍ଭାବ ଆସେନା । ଜପ, ଧ୍ୟାନ, ଭଲ ଲାଗେନା, କୁଚିନ୍ତା ଓ କୁ-ପ୍ରବୃତ୍ତି ଦିଗକୁ ମନ ଅଗ୍ରସର ହୁଏ । ତାକୁ କୌଣସିମତେ ରୋକି ହୁଏନା । ଯେବେ ଏପରି ଅବସ୍ଥା ହୁଏ ତେବେ ଏହାର ପ୍ରକୃଷ୍ଟ ପ୍ରତିକାର ଉପାୟ ହେଉଛି ସାଧୁ ସଙ୍ଗ, ସାଧୁ ଦର୍ଶନ ଓ ସାଧୁ-ସେବା ଦ୍ଵାରା ଭଗବତ ପ୍ରେରଣା ଅନ୍ତରରେ ଜାଗ୍ରତ କରାଇବା । ଯେବେ ସାଧୁସଙ୍ଗ ନ ମିଳେ ତେବେ ସତ୍ଶାସ୍ତ୍ର ପାଠ, ସତ୍ ଆଲୋଚନା ଓ ବ୍ୟାକୁଳରେ ଭଗବାନଙ୍କୁ ପ୍ରାର୍ଥନା କରିବ । ସର୍ବଦା ନାମ ଜପ କରିବ । ଏହାଦ୍ଵାରା ମନରୁ ଭୂତ ଚାଲିଯିବ ।

 

ଯେତେବେଳେ ଯେଉଁ କର୍ମ କରିବାକୁ ହେବ ସେତେବେଳେ ସେଥିରେ ମନପ୍ରାଣ ଦେଇ ଲାଗିପଡ଼ । ଯେତେ ବାଧାବିଘ୍ନ ଆସୁ ତାହାକୁ ଭୃକ୍ଷେପ କରନା । ତା’ପରେ ଦେଖିବ ଯେଉଁମାନେ ତୁମର ବାଧକ ହୋଇଥିଲେ ସେମାନେ ତୁମର ସହାୟକ ହେବେ। ମନ ମୁତାବକ ଅନୁକୂଳ ବାୟୁମଣ୍ଡଳ ସବୁ ସମୟରେ ମିଳି ପାରେ ନାହିଁ । ଯେ ଚାହେଁ ସଂସାରର ସମସ୍ତ ଝିନ୍ଝଟ୍ ତୁଟାଇ ତା’ ପରେ ଈଶ୍ଵର ଆରଧନା କରିବ ତାହାଠାରୁ ନିର୍ବୋଧ କିଏ ଅଛି କୁହତ ? ସମୁଦ୍ର ତରଙ୍ଗ ସେଥିରେ ସ୍ନାନ କରିବା ଆଶା ଯାହା, ଏକଥା ମଧ୍ୟ ତଦ୍ରୂପ ।

 

 

 

 

 

କଞ୍ଚାମନ

 

କଞ୍ଚାମନ ନେଇ କୌଣସି ଅନୁଷ୍ଠାନର ସେବା, ଲୋକ ସେବା, ଦେଶ      ସେବା, ସମାଜ ସେବା; ଏପରିକି ପ୍ରତିବାସୀ ସେବା ମଧ୍ୟ କରିହୁଏ ନାହିଁ । ଯଦିବା କରାଯାଏ ତେବେ ହିତ ପରିବର୍ତ୍ତେ ଅନେକ ସ୍ଥଳେ ଅହିତ ହୋଇଥାଏ ଏବଂ ନାନାଦି ବାଧା-ବିଘ୍ନ ଉପୁଜେ । ଫଳରେ ଦ୍ଵେଷ, ହିଂସା, ସଂକୀର୍ଣ୍ଣତା ଓ ସ୍ଵାର୍ଥପରତା ତାର ସବୁ କର୍ମକୁ ପଣ୍ଡ କରିଦିଏ । ମାନ, ଯଶ, ପ୍ରତିଷ୍ଠା, ଆକାଂକ୍ଷା ଏବଂ ପ୍ରଭୁତ୍ଵ ଅର୍ଜନ କରିବାର ସ୍ପୃହା ତାର ବଳବତୀ ହୁଏ । ତେଣୁ କଞ୍ଚା ମନ ନେଇ ଏ ସବୁ ସତ୍କାମ କରି ହୁଏନା । କେଲେ ବିପରୀତ ଫଳ ଫଳେ । ତେଣୁ ସାବଧାନ !

 

ମୋଟ୍ କଥା ହେଲା ସବୁ ମନ ଉପରେ ନିର୍ଭର କରେ । ମନ ହିଁ ବନ୍ଧନ ଓ ମୁକ୍ତିର କାରଣ । ଯେପରି ମତି ସେପରି ଗତି । ସନ୍ନ୍ୟାସୀ ହେଉ ବା ଗୃହୀ ହେଉ ସମସ୍ତଙ୍କୁ ନିଜ ନିଜର କର୍ତ୍ତବ୍ୟ ପଥରେ ପରିଶ୍ରମ କରିବାକୁ ହେବ । ବିନା ପରିଶ୍ରମରେ ଫାଙ୍କି ମାରିଲେ ନିଜେ ହିଁ ଫାଙ୍କାରେ ପଡ଼ିବ । ମନେ ହୁଏ, ସନ୍ନ୍ୟାସୀ ଅପେକ୍ଷା ଗୃହୀମାନଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ଟିକିଏ ବେଶି, କାରଣ ସନ୍ନ୍ୟାସୀ ସଂସାର କର୍ମ ତ୍ୟାଗ କରି କେବଳ ଭଗବାନଙ୍କୁ ଡାକିବ ସାର କରିଛି; ସେ ଯେବେ ତାହା ନ କରେ ସେ ମହାପାପୀ। କିନ୍ତୁ ଗୃହୀ, ଯେ ସମସ୍ତ ବିଷୟ ବୋଝ ମୁଣ୍ଡରେ ଥୋଇ ସୁଦ୍ଧା ଭଗବାନଙ୍କୁ ନ ଭୁଲି ସ୍ମରଣ କରେ । ସେଥିପାଇଁ ସେ (ଗୃହୀ) ପ୍ରଥମ ସ୍ଥାନ ଅଧିକାର କରେ ।

 

ଭଗବାନ ଲାଭ ସମସ୍ତଙ୍କ ଭାଗ୍ୟରେ ଏକ ଜନ୍ମରେ ହୁଏ ନାହିଁ । ଏଥିପାଇଁ ଜନ୍ମ ଜନ୍ମାନ୍ତର ତପସ୍ୟା ଦରକାର । କୌଣସି କର୍ମ ବୃଥା ହୁଏ ନା । ତାର ସୁଫଳ ହେଉ ବା କୁଫଳ ହେଉ, ଦିନେ ନା ଦିନେ ଫଳିବ । ସେଥିପାଇଁ ସତ୍କର୍ମ କରିବା ଉଚିତ୍ । ସତ୍କର୍ମ ଫଳ ଅକ୍ଷୟ । କର୍ମଯୋଗ ଦ୍ଵାରା ଚିତ୍ତ ଶୁଦ୍ଧି ହୁଏ । ଆତ୍ମଜ୍ଞାନ ଉଦୟ ହୋଇଥାଏ । କର୍ମ କରିଯାଅ ଫଳ ଆଶା ରଖନା । ଫଳ ତା ଆପେ ଆପେ ଆସିବ । ଜଗତରେ ସୁଖ ବା ଦୁଃଖ କେଉଁଟା ଚିରସ୍ଥାୟୀ ନୁହେଁ । ଏଥିରେ ଜ୍ଞାନୀମାନେ ଆନନ୍ଦ ବା ବିଷାଦ ହୁଅନ୍ତି ନାହିଁ ।

 

ଷୋଡ଼ଶ ଅଧ୍ୟାୟ

 

ଅମର ବାଣୀ

 

ଗୁରୁ କରିବା ପୂର୍ବରୁ ଗୀତାର ଦ୍ଵିତୀୟ ଅଧ୍ୟାୟର ସ୍ଥିତପ୍ରଜ୍ଞ ଭାବମାନ ପାଠ କର । ଏତାଦୃଶ ଭାବଧାର ଯାହାଙ୍କ ଠାରେ ପରିଲକ୍ଷିତ ହୁଏ, ତାଙ୍କୁ ହିଁ ଗୁରୁ ରୂପେ ଗ୍ରହଣ କର । ତାଙ୍କ ଆଦେଶ ପାଳନରେ ତ୍ରୁଟି କର ନାହିଁ ।

 

ଯେଉଁ କର୍ମ ଆଚରଣ କରିବା ଦ୍ଵାରା ଅନ୍ତରରରେ ନାନା ପ୍ରକାର କାମନା ବାସନାଦି ଉତ୍ପନ୍ନ ହୁଏ ବା ଉଙ୍କି ମାରେ ସେପରି କର୍ମରୁ ସର୍ବଦା ଦୂରେଇ ଯାଅ ।

 

ତୁମ୍ଭେ କାହାକୁ ମନ୍ଦ କୁହ ନାହିଁ କିମ୍ବା କାହାରି ମନ୍ଦ ଚିନ୍ତା କର ନାହିଁ । ନିଜେ ଭଲ ହୁଅ ଅନ୍ୟର ଭଲ ଚିନ୍ତା କର ।

 

ନିଜେ ଉଦ୍ବିଘ୍ନ ହୁଅ ନାହିଁ ବା ଅନ୍ୟମାନଙ୍କ ମନରେ ଉଦ୍ବେଗ ହେବା ଭଳି ବ୍ୟବହାର କର ନାହିଁ ।

 

ମନେ ରଖ – ସତ୍ୟର ନିଶ୍ଚୟ ଜୟ ହେବ; ମିଥ୍ୟା ଦିନେ ନା ଦିନେ ହାରିଯିବ । ଏଥିପାଇଁ ସତ୍ୟାଶ୍ରୟୀ ହୁଅ ।

 

ସତ୍ସଙ୍ଗ, ସତ୍ଶାସ୍ତ୍ର, ସତ୍ମାର୍ଗ, ସାତ୍ତ୍ଵିକ ଖାଦ୍ୟାଦିର ଆଶ୍ରୟ ଗ୍ରହଣ କର ।

 

ସତ୍ୟ ଧର୍ମ ମାର୍ଗରେ ନିଜକୁ ଗଢ଼ି ତୋଳିବାରେ ମାନବ ସମାଜେର ଆବାଳ-ବୃଦ୍ଧ-ବନୀତା ସମସ୍ତଙ୍କର ସମାନ ଅଧିକାର ଅଛି । ତେଣୁ ନିଜକୁ ଓ ନିଜର ପରିବାରବର୍ଗଙ୍କୁ ସତ୍ ମାର୍ଗରେ ଗଠନ କରି ଆଦର୍ଶ ହୁଅ ।

 

ମନେକର ଚେଷ୍ଟାର ଅସାଧ୍ୟ ଜଗତରେ କିଛି ନାହିଁ । ଧୈର୍ଯ୍ୟ ଓ ସାହସର ସହ ସତ୍କର୍ମର ଅନୁସରଣ କରି ଆଗେଇ ଯାଅ । ପଛକୁ ଅନାଅ ନାହିଁ କିମ୍ବା ପଛ କଥାକୁ ଭାବ ନାହିଁ ।

 

କର୍ମର ଗତି ଅତି ଗହନ । ତେନୁ କର୍ମ କରବା ପୂର୍ବରୁ ବିଚାର କରି କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ ।

 

ମନକୁ ନିଜ ଭାବରେ ଦୃଢ଼ ବା ଅଟଳ ରଖ । କାହାରି କଥାରେ ବିଚଳିତ ହୁଅ ନାହିଁ । ଯଉଁ କର୍ମ ସଂପାଦନ ଦ୍ଵାରା ମନରେ ଚିରଦିନ ପାଇଁ ଆନନ୍ଦ ପ୍ରାପ୍ତ ହେବ ତାହା ହିଁ ଆଚରଣ କର । କ୍ଷଣିକ ଅସ୍ଥାୟୀ ଭୁଲି ରୁହ ନାହିଁ ।

 

ବିଳାସ ବ୍ୟସନର କୀଟ ହୁଅ ନାହିଁ । ଅନାସକ୍ତ ହୋଇ ସଂସାରରେ ସାଧାରଣ ଜୀବନ ବିତାଇ ଆଦର୍ଶ ହୁଅ ।

 

ପ୍ରତି କାର୍ଯ୍ୟରେ କଥାରେ ଓ ଚିନ୍ତାରେ ଈଶ୍ଵରଙ୍କୁ ଭୁଲି ଯାଅ ନାହିଁ । ତାଙ୍କୁ ସ୍ମରଣ କରି କର୍ମ କର । ବିଶ୍ଵ ସମ୍ରାଟଙ୍କ ସନ୍ତାନ ହୋଇ ନିଜକୁ ଭିକାରୀ ସଜାଅ ନାହିଁ ।

 

ସହିଷ୍ଣୁ ହୁଅ । ଅସହିଷ୍ଣୁ ହେଲେ କୌଣସିଥିରେ କିଛି ସଫଳତା ଲାଭ ହେବ ନାହିଁ ।

 

ମନରେ ଦୋଷଗୁଡ଼ିକ ଦୂର ନ କରିବା ଯାଏ ସତ୍ୟ ବସ୍ତୁ ଲାଭ ହୋଇ ନ ପାରେ । ଯାହାର ନିଜ ଭିତରେ ଦୋଷ ଥାଏ, ସେ ଜଗତକୁ ଦୋଷୀ ରୂପରେ ଦେଖିଥାଏ । ଯାହାର ହୃଦୟ ଯେତେ ପବିତ୍ର ଓ ନିର୍ମଳ, ସେ ଜଗତକୁ ସେତିକି ପବିତ୍ର ଚକ୍ଷୁରେ ଦେଖେ ।

 

ତୁମ୍ଭେ ନିଜେ ଅନନ୍ତ ସ୍ଵରୂପ । ସେହି ସର୍ବବ୍ୟାପୀ ସତ୍ତା ତୁମ୍ଭଠାରେ ମଧ୍ୟ ଅଛି । ନିଜକୁ ସଂଯତ କର, ତୁମ୍ଭେ ଯଥାର୍ଥ ଆତ୍ମାର ବାଣୀ ଶୁଣି ପାରିବ ।

 

ମଣିଷ ଯାହା କରୁଚି, ସବୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ କରୁଛି ବୋଲି ମନେ କରିବା ଦରକାର । ତା ହେଲେ ଇନ୍ଦ୍ରିୟଗତ ଆକର୍ଷଣ ମୋହରେ ପଡ଼ି ସେ କରୁଥିବା ନାନ ଅପକର୍ମ ନିୟନ୍ତ୍ରିତ ହୋଇଯିବ ।

 

ଭକ୍ତି ଲାଭ କରିବାର ପ୍ରୟାସ ଥିଲେ ଈଶ୍ଵରଙ୍କୁ ଧ୍ୟାନ ଏବଂ ତାଙ୍କ ଠାରେ ଦୃଢ଼ତା ସ୍ଥାପନ କରିବାକୁ ହେବ । ତା’ ନ ହେଲେ ହୃଦୟରେ ଭକ୍ତିର ସଂଚାର ହୁଏ ନାହିଁ ।

 

ଜାଗତିକ ସମସ୍ତ ପଦାର୍ଥ ଈଶ୍ଵରଙ୍କର । ନିଜର କିଛି ନାହିଁ ବୋଲି ଭାବ, ତାହା ହେଲେ ସ୍ଵାର୍ଥ ବାସନା କ୍ରମଶଃ ହ୍ରାସ ପାଇବ । ମାନବିକତା ବିକାଶ ନିମନ୍ତେ କର୍ମ କରି ଆଗେଇ ଚାଲ; ପଛାଅ ନାହିଁ ।

 

ଦେବରାଜ୍ୟ ସମ୍ଭବ ହେବ କିପରି ?

 

ଦୁନିଆରେ ଆଜି ସ୍ଵାର୍ଥରୁ ଆସକ୍ତି, ଆସକ୍ତିରୁ ଅଭିମାନ, ଅଭିମାନରୁ ବିଦ୍ଵେଷ ଓ ବିଦ୍ୱେଷରୁ ସମସ୍ତ ସଂଘର୍ଷ ପୃଥିବୀରେ ସୃଷ୍ଟି ହେଉଛି । ତେନୁ ଧରାପୃଷ୍ଟରୁ ସ୍ଵାର୍ଥରୂପୀ ଏଇ ଆସୁରୀ ଶକ୍ତିକୁ ହଟାଇ ଦେବରାଜ୍ୟ ପ୍ରତିଷ୍ଠା ଲାଗି ଅନାସକ୍ତ ଓ ନିରଭିମାନ ବିଶ୍ଵନାଗରିକ ଗଠନ କରିବାକୁ ହେବ । ଏହା ହିଁ ଆଜିର ପ୍ରତ୍ୟେକ ଧର୍ମସଂସ୍ଥା ଓ ଶିକ୍ଷା ସଂସ୍ଥାର ଲକ୍ଷ୍ୟ ହେବା ଦରକାର । ବିଭିନ୍ନ ଧର୍ମ ସଂପ୍ରଦାୟର ଗୁରୁ ବା କର୍ଣ୍ଣଧାରମାନେ ନିଜ ନିଜକୁ ତଥା ସେମାନଙ୍କ ଆଶ୍ରିତ ଲୋକବଳ ଓ ସମ୍ବଳକୁ ଏ ଦିଗରେ ବିନିଯୋଗ କରନ୍ତୁ। ତେବେ ଯାଇଁ ଦେବରାଜ୍ୟ ଓ ରାମରାଜ୍ୟ ପ୍ରତିଷ୍ଠା ସମ୍ଭବ ହେବ ।

 

-ସମାପ୍ତ-